ଜାମ୍ମୁକାଶ୍ମୀରରେ କ୍ରିକେଟ୍‍ର ପ୍ରସାର କରିବାକୁ ଚାହାନ୍ତି ରୈନା

ନୂଆଦିଲ୍ଲୀ : ଆନ୍ତର୍ଜାତିକ କ୍ରିକେଟ୍‍ରୁ ବିଦାୟ ନେବାର କିଛିଦିନ ପରେ ଜାମ୍ମୁକାଶ୍ମୀରରେ କ୍ରିକେଟ୍‍ର ପ୍ରସାର କରିବାକୁ ଚାହାନ୍ତି ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ବ୍ୟାଟ୍‍ସମ୍ୟାନ୍‍ ସୁରେଶ ରୈନା। ନିଜଆଡ଼ୁ ରୈନା ଏହି ପ୍ରସ୍ତାବ ଦେଇଛନ୍ତି। ଏହି ସନ୍ଦର୍ଭରେ ଜାମ୍ମୁକାଶ୍ମୀରର ପୁଲିସ୍‍ ମହାନିର୍ଦେଶକ ଦିଲ୍‍ବାଗ ସିଂହଙ୍କ ପାଖକୁ ରୈନା ଏକ ପତ୍ର ଲେଖିଛନ୍ତି। ଏଥିରେ ରୈନା ଉଲ୍ଲେଖ କରିଛନ୍ତି ଯେ କ୍ରିକେଟ୍‍ରୁ ସେ ସବୁକିଛି ପାଇଛନ୍ତି। ତେଣୁ କ୍ରିକେଟ୍‍କୁ କିଛି ଫେରାଇଦେବାକୁ ଚାହୁଁଛନ୍ତି।

ସୁରେଶ ରୈନା ହେଉଛନ୍ତି ଜଣେ କାଶ୍ମୀରୀ ପଣ୍ଡିତ। ତାଙ୍କ ପିତା ତ୍ରିଲୋକ ଚାନ୍ଦ ଜାମ୍ମୁ ଅଞ୍ଚଳର ରୈନାୱାରୀ ଅଞ୍ଚଳର ମୂଳବାସିନ୍ଦା। ତାଙ୍କ ମାତା ହିମାଚଳ ପ୍ରଦେଶର ଧର୍ମଶାଳାର ବାସିନ୍ଦା। ଏଥିପାଇଁ ଜାମ୍ମୁକାଶ୍ମୀରରେ କ୍ରିକେଟ୍‍ର ପ୍ରସାର କରିବାକୁ ମନ ବଳାଇଛନ୍ତି ରୈନା। ଡିଜିପିଙ୍କୁ ଦେଇଥିବା ପତ୍ରରେ ରୈନା ଲେଖିଛନ୍ତି, ୧୫ ବର୍ଷ ଧରି ଆନ୍ତର୍ଜାତିକ କ୍ରିକେଟ୍‍ ଖେଳି ବହୁତ କିଛି ପାଇଛି ଏବଂ ବହୁତ ଜ୍ଞାନ ଆହରଣ କରିଛି। ତେଣୁ କ୍ରିକେଟ୍‍ର ଯେଉଁ ଦକ୍ଷତା ଓ ଜ୍ଞାନ ମୋ ପାଖରେ ଅଛି; ତା’କୁ ପରବର୍ତ୍ତୀ ପିଢ଼ିଙ୍କୁ ଶିଖାଇବାକୁ ଚାହେଁ। ମୋର ଲକ୍ଷ୍ୟ ହେଉଛି ଜାମ୍ମୁକାଶ୍ମୀରର କୋଣ ଅନୁକୋଣରୁ କ୍ରିକେଟ୍‍ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କ ଦକ୍ଷତାକୁ ଶାଣିତ କରିବା। ଜାମ୍ମୁକାଶ୍ମୀର ୧୯୫୯-୬୦ରୁ ରଣଜୀ ଟ୍ରଫି ଖେଳୁଥିଲେ ହେଁ ବେଶି କିଛି ହାସଲ କରି ପାରିନାହିଁ। କେବଳ ୨୦୧୩-୧୪ ସିଜିନ୍‍ରେ ପରଭେଜ୍‍ ରସୁଲଙ୍କ ନେତୃତ୍ୱରେ ଜାମ୍ମୁକାଶ୍ମୀର ରଣଜୀ ଟ୍ରଫିର କ୍ୱାର୍ଟରଫାଇନାଲ ଖେଳିଥିଲା। ପୁଣି ଗତବର୍ଷ ୱାଙ୍ଖେଡ଼େ ଷ୍ଟାଡିୟମ୍‍ରେ ୪୨ ଥର ରଣଜୀ ଚମ୍ପିଆନ୍‍ ମୁମ୍ବଇକୁ ଜାମ୍ମୁ-କାଶ୍ମୀର ପରାସ୍ତକରି ହଇଚଇ ସୃଷ୍ଟି କରିଥିଲା।

Comments are closed.