ବିଶିଷ୍ଟ କ୍ରୀଡ଼ା ସଙ୍ଗଠକ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ଦେହାନ୍ତ

କଟକ: କ୍ରୀଡ଼ା ପ୍ରଶାସକ, କଳାହାଣ୍ଡି ଜିଲା କ୍ରୀଡ଼ା ସଂସଦ ଉପ ସଭାପତି ତଥା ଓଡ଼ିଶା ଅଲିମ୍ପିକ୍‌ସ ସଂଘର ଅର୍ଥ କମିଟି ସଦସ୍ୟ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବାସଭବନରେ ମଙ୍ଗଳବାର ସକାଳେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୭୩ ବର୍ଷ ହୋଇଥିଲା। ସ୍ବର୍ଗତ ତ୍ରିପାଠୀ କଳାହାଣ୍ଡି ଜିଲା କ୍ରୀଡ଼ା ସଂସଦ ଉପସଭାପତି ରହିବା ସହିତ ଫୁଟବଲର ବିକାଶ ଦିଗରେ କାର୍ଯ୍ୟ କରୁଥିଲେ। ଭବାନୀପାଟଣା ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରାଧନଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ। ତାଙ୍କର ପତ୍ନୀ, ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

ତ୍ରିପାଠୀଙ୍କ ପରଲୋକରେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା(ଫାଓ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ସୁରେନ୍ଦ୍ର ନାଥଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିବା ସହିତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଓଡ଼ିଶା ଜଣେ ଦକ୍ଷ କ୍ରୀଡ଼ା ପ୍ରଶାସକଙ୍କୁ ହରାଇଲା ବୋଲି ଫାଓ ସମ୍ପାଦକ ଶ୍ରୀ ବେହେରା କହିଛନ୍ତି। ସେହିପରି ସୁରେନ୍ଦ୍ର ନାଥଙ୍କ ପରଲୋକରେ ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ଓଓଏ ସମ୍ପାଦକ ଅଭିିଜିତ ପାଲ୍‌, ସଭାପତି ଜଗମୋହନ ପଟ୍ଟନାୟକ, କୋଷାଧ୍ୟକ୍ଷ ଅଧିପ ଦାସ, ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସୁରେନ୍ଦ୍ରନାଥଙ୍କ ପରଲୋକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଶୋକ ପ୍ରକାଶ କରିବା ସହିତ ଆତ୍ମାର ସଦ୍‌ଗତିି କାମନା କରିଛନ୍ତି । ସ୍ବର୍ଗତ ତ୍ରିପାଠୀ ଓସିଏର ପୂର୍ବତନ ସଦସ୍ୟ ଥିଲେ।

Comments are closed.