କଟକ ମହାନଗର ନିଗମ ମଣ୍ଡଳସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ

କଟକ : କଟକ ମହାନଗର ନିଗମ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଓ ଶିଶୁ ମହୋତ୍ସବ-୨୦୧୯, ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଯୋବ୍ରାଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି।  କଟକ ସଦରର ମଣ୍ଡଳ ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ କଟକ ସହରର ୧୪ଟି ଆଞ୍ଚଳିକ ସାଧନ କେନ୍ଦ୍ରରୁ କୃତକାର୍ଯ୍ୟ ହୋଇଥିବା ପ୍ରାୟ ୩୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପୌର ସରକାରୀ ଉଚ୍ଚ ବିଦ୍ୟାଳୟ, ଯୋବ୍ରାର ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ ଏଥିରେ ସଭାପତିତ୍ୱ କରିଥିଲେ। କଟକ ସଦର ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ରେଭେନ୍ସା କଲିଜିଏଟ୍‍ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅନୁସ୍ମିତା ସ୍ୱାଇଁ ଏବଂ ଏବିଇଓ ତଥା ୟୁଆରସିସି ଅଜୟ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ଅନନ୍ତ ଚରଣ ଦେହୁରୀ ମୁଖ୍ୟବକ୍ତା ଭାବେ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ସମ୍ପର୍କିତ ବହୁତ କିଛି ଶିକ୍ଷଣୀୟ ତଥ୍ୟ ପ୍ରଦାନ କରିଥିଲେ।

କଟକ ସହରର ସମସ୍ତ ୧୪ ଜଣ ସିଆରସିସି, ପୂର୍ବତନ ସିଆରସିସି, ଯୋବ୍ରା ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ତଥା ବିଭିନ୍ନ ଆଞ୍ଚଳିକ ସାଧନ କେନ୍ଦ୍ରରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ ବିଭିନ୍ନ ପ୍ରତିଯୋଗିତାମାନ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଯୋବ୍ରା ଆଂଚଳିକ ସାଧନ କେନ୍ଦ୍ରର ସିଆରସିସି ଭାରତୀ ପଦ୍ମଜା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

 

Comments are closed.