କେବେ ଫେରିବେ ସୁରତ ଓଡ଼ିଆ – ଟିକଟ କେନ୍ଦ୍ରରେ ଅସମ୍ଭାଳ ଭିଡ଼, ମାର୍‌ପିଟ୍‌

ବ୍ରହ୍ମପୁର: ଯେକୌଣସି ମତେ ଭିଟାମାଟି ଫେରିବାକୁ ସୁରତ ଓଡ଼ିଆ ବ୍ୟାକୁଳିତ। ଦୁଇଦିନ ହେଲା ବସ୍ ପରିବହନ ବନ୍ଦ ହୋଇଯିବା ପରେ ଏବେ ଟ୍ରେନ ହିଁ ସେମାନଙ୍କ ପାଇଁ ଏକମାତ୍ର ସାହାଭରସା ହୋଇଛି। ଟ୍ରେନରେ ଟିକଟ ଖଣ୍ଡିଏ କରିବାକୁ ଓଡ଼ିଆମାନେ ଦିନ ତମାମ ଚକ୍କର କାଟୁଛନ୍ତି। ଦୀର୍ଘ ୧୫ଦିନ ହେଲା ବସ୍ ଏବଂ ଟ୍ରେନରେ ଟିକଟ ଖଣ୍ଡିଏ ନପାଇ ଅବସାଦ ମନରେ ରହିଥିବା ଓଡ଼ିଆମାନେ ବିଭିନ୍ନ ଘରୋଇ ଟ୍ରେନ ଟିକଟ ଆବେଦନ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ଜମାଇଛନ୍ତି। କେତେକ ସ୍ଥାନରେ ଉତ୍ତେଜନା ଓ ମାର୍‌ପିଟ୍‌ ଭଳି ଘଟଣା ଘଟିଛି।

ସୁରତ ସହର ଭିତରେ ୧୦ରୁ ଅଧିକ ଘରୋଇ ସଂସ୍ଥାକୁ ଟ୍ରେନ ଟିକଟ ପାଇଁ ଆବେଦନପତ୍ର ଗ୍ରହଣ କରିବା ଦାୟିତ୍ବ ନ୍ୟସ୍ତ କରାଯାଇଛି। ସହରର ପାଣ୍ଡ୍ୟାସରା, ବେଡରୋଡ, ସଚିନ, ସାୟନ ଓ ଅମ୍ରୋଲିରେ ଘରୋଇ ଟ୍ରେନ ଟିକଟ ଆବେଦନ କେନ୍ଦ୍ର ଖୋଲାଯାଇଛି। ଏହିସବୁ କାଉଣ୍ଟର ସେଠାକାର ଓଡ଼ିଆଙ୍କ କଥା ବୁଝୁଥିବା କେତେକ ସଂଘ ପରିଚାଳନା କରୁଛନ୍ତି। ହେଲେ ପ୍ରତିଦିନ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଶେଷରେ ନିରାଶ ହେବା ପରେ ଓଡ଼ିଆମାନେ ଭାରସାମ୍ୟ ହରାଇ ଅସ୍ବାଭାବିକ କାମ କରିବାକୁ ପଛାଇ ନାହାଁନ୍ତି। ଗତକାଲି ରାତିରେ ବେଡରୋଡରେ ଟିକଟ ଆବେଦନ କେନ୍ଦ୍ରରେ ପାଟିତୁଣ୍ଡ କରିଥିଲେ। କେନ୍ଦ୍ର କର୍ମକର୍ତ୍ତା ଏବଂ ଓଡ଼ିଆଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଛି।

କେନ୍ଦ୍ର ସରକାର ୮୫ ଭାଗ ଏବଂ ରାଜ୍ୟ ସରକାର ୧୫ ଭାଗ ଟିକଟ ବାବଦରେ ବହନ କରିବାକୁ ଘୋଷଣା କରିଛନ୍ତି। ଏହାବାଦେ ଆବେଦନକାରୀଙ୍କୁ ଜଣ ପିଛା ୭୧୦ ଟଙ୍କା ଦେବାକୁ ପଡୁଛି। କିନ୍ତୁ ଆବେଦନପତ୍ର ଗ୍ରହଣ କରୁଥିବା କେନ୍ଦ୍ରଗୁଡିକ ଜଣକଠାରୁ ହଜାରେ ଟଙ୍କା ଲେଖାଏଁ ଆଦାୟ କରୁଥିବା ସେଠାକାର କେତେକ ଓଡ଼ିଆ ଶ୍ରମିକ ଅଭିଯୋଗ କରିଛନ୍ତି। ଡାଏମଣ୍ଡ ନଗରରେ ରହୁଥିବା ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ରବୀନ୍ଦ୍ର କରଣ, ଦାମୋଦର ପ୍ରଧାନ, ଟୁନା ଜେନା, ଗୋପାଳ ବେହେରା, ସୁଦର୍ଶନ ବେହେରା ପ୍ରମୁଖ ୪ଦିନ ହେଲା ହଜାରେ ଟଙ୍କା ଲେଖାଏଁ ଟ୍ରେନ ଟିକଟ ଆବେଦନ କେନ୍ଦ୍ରରେ ପୈଠ କରିଥିଲେ ମଧ୍ୟ ସେମାନଙ୍କୁ ହତାଶ ହେବାକୁ ପଡିଛି ବୋଲି ଅଭିଯୋଗ କରିଛନ୍ତି।

ଏଣେ ଆଜି ସୁରତରେ କଂଗ୍ରେସ ପକ୍ଷରୁ ଶ୍ରମିକଙ୍କୁ ମାଗଣାରେ ଟ୍ରେନରେ ନେବାର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯିବା ପରେ ଟଙ୍କା ଜମା କରିଥିବା ଶ୍ରମିକମାନେ ଉତ୍ତେଜିତ ହୋଇପଡିଛନ୍ତି। ସେଠାକାର କଂଗ୍ରେସ ନେତା ବାବୁ ରାଇକା ଓ ହରିଶଭାଇ ସୂର୍ୟ୍ୟବଂଶୀ ଆଜି ଏ ସଂକ୍ରାନ୍ତରେ ଏକ ଆବେଦନପତ୍ର ସୁରତ ଜିଲାପାଳଙ୍କୁ ପ୍ରଦାନ କରି ଶ୍ରମିକଙ୍କ ଟ୍ରେନ ଖର୍ଚ୍ଚ ବହନ କରିବାକୁ କହିଥିବା ଶ୍ରମିକ ସେବା ସଂଘ ସଭାପତି ଡ.ପିତାମ୍ବର ପ୍ରଧାନ ସୂଚନା ଦେଇଛନ୍ତି। ଶ୍ରମିକମାନଙ୍କ ପାଇଁ ଟ୍ରେନ ବ୍ୟବସ୍ଥା କରି ନିଜ ନିଜର ଭିଟାମାଟିକୁ ଫେରାଇବାକୁ ଉଦ୍ୟମ କରାଯିବ ବୋଲି ଏହି ଦୁଇ ନେତା ସୂଚନା ଦେବା ପରେ ଅର୍ଥାଭାବରେ ଥାଇ ଟ୍ରେନ ଟିକଟ ପାଇଁ ପଇସା ଜମା କରିଥିବା ଶ୍ରମିକମାନେ ଏବେ ଉତ୍ତେଜିତ ହୋଇ ପଡିଛନ୍ତି। ଏପଟେ କେତେକ ଦଲାଲ ଟିକଟ କରାଇ ଦେବା ନାମରେ ଶ୍ରମିକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି।

Comments are closed.