ସଂକ୍ରମିତଙ୍କ ମଧ୍ୟରୁ ଏକ ତୃତୀୟାଂଶ ସୁରତ ଫେରନ୍ତା; କେବଳ ଗଞ୍ଜାମରେ ୭୦

ଭୁବନେଶ୍ବର:  ଏବେ ଚିନ୍ତା ବଢ଼ାଇଛନ୍ତି ସୁରତ ଫେରନ୍ତା ।  ଖୋର୍ଧା ଜିଲାରେ ଦିଲ୍ଲୀ ସଂଯୋଗ, ଯାଜପୁର-ଭଦ୍ରକ-ବାଲେଶ୍ବରରେ ବଙ୍ଗ ସଂଯୋଗ ପରେ ଏବେ ଗଞ୍ଜାମ ଜିଲା ପାଇଁ ସୁରତ୍ ଫେରନ୍ତା ଅଡ଼ୁଆ ହୋଇଛନ୍ତି । ଗଞ୍ଜାମ ଜିଲାରେ  ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି ଏବଂ ଏମାନଙ୍କ ମଧ୍ୟରୁ ୭୦ ଜଣଙ୍କର ରହିଛି ସୁରତ୍ ସଂଯୋଗ । ଜଣେ କେରଳ ଫେରନ୍ତା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।  ଗଞ୍ଜାମ ଜିଲ୍ଲାରୁ ମୋଟ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଯାଜପୁରକୁ ପଛରେ ପକାଇଛି ଗଞ୍ଜାମ । ଯାଜପୁରରୁ ଏଯାବତ୍‌ ୫୫ ଓ ଖୋର୍ଦ୍ଧାରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ୨୭୧ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ଜଣେ ଟ୍ରକ୍ ଡ଼୍ରାଇଭରଙ୍କୁ ବାଦ ଦେଲେ ସଂକ୍ରମିତଙ୍କ ସଂଖ୍ୟା ୨୭୦ । ଏମାନଙ୍କ ମଧ୍ୟରୁ ୮୮ ଜଣଙ୍କର ରହିଛି ସୁରତ୍ ସଂଯୋଗ । ଗଞ୍ଜାମରୁ ୭୦, ମୟୂରଭଞ୍ଜରୁ ୫, କେନ୍ଦ୍ରାପଡ଼ାରୁ ୪, ଜଗତସିଂହପୁରରୁ ୪, ଭଦ୍ରକରୁ ୨, ବାଲେଶ୍ବରରୁ ୨ ଓ କଟକରୁ ଜଣେ ସଂକ୍ରମିତଙ୍କର ସୁରତ୍ ଲିଙ୍କ୍ ରହିଛି । ସୁରତରେ ଓଡ଼ିଶାରୁ ପ୍ରାୟ ୫ ଲକ୍ଷ ଲୋକ କାମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୧୫% ଓଡ଼ିଆ ଘରକୁ ଫେରିଛନ୍ତି । ଗତକାଲି ଆସିବାକୁ ଥିବା ୩ଟି ଟ୍ରେନ୍ ବାତିଲ ହୋଇଥିଲେ ହେଁ ହାଇକୋର୍ଟଙ୍କ ନିର୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ଏହି ଟ୍ରେନ୍ ଆସିବାକୁ ବାଟ ଖୋଲି ଦେଇଛି । ଏହି ସ୍ଥିତିରେ ଗଞ୍ଜାମ ଜିଲାକୁ ଆହୁରି ପ୍ରାୟ ୨ ଲକ୍ଷ ଲୋକ ସୁରତରୁ ଫେରିବାର ସମ୍ଭାବନା ରହିଛି । ସେହିପରି ଅନ୍ୟାନ୍ୟ ଜିଲାକୁ ସୁରତରୁ ବହୁ ଲୋକ ଆସିବେ । କେବଳ ସୁରତ୍ ନୁହେଁ, କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ହରିଆଣା, କର୍ଣ୍ଣାଟକ ଆଦି ଅନ୍ୟାନ୍ୟ ରାଜ୍ୟରୁ ବି ପ୍ରବାସୀମାନେ ଓଡ଼ିଶା ଫେରିବେ ।  ସମସ୍ତ ପ୍ରବାସୀ ଓଡ଼ିଶା ଫେରିଲେ କରୋନାକୁ ରୋକିବା କେତେ କଷ୍ଟକର ତାହା ସ୍ପଷ୍ଟ ହେଉଛି ।

ରାଜ୍ୟରେ ଶୁକ୍ରବାର ଚିହ୍ନଟ ହୋଇଥିବା ୫୨ ସଂକ୍ରମିତଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରୁ ୪୩ଜଣ ଥିବା ଜଣାପଡ଼ିଛି।  କେନ୍ଦ୍ରାପଡା ଜିଲ୍ଲାରୁ ୫ଜଣ, ଖୋର୍ଦ୍ଧାରେ ଜଣେ ଏବଂ ଭଦ୍ରକ ଜିଲ୍ଲାରୁ ୩ଜଣ ରହିଛନ୍ତି । ଗଞ୍ଜାମ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧ରେ ପହଞ୍ଚିଥିବା ବେଳେ କେହି ହେଲେ ବି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ  ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ଓ ୧୨ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ରାଜ୍ୟକୁ ଫେରିବାକୁ ଥିବା ପ୍ରବାସୀମାନଙ୍କ ପାଇଁ  ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ  ବାଧ୍ୟ୍ୟତାମୂଳକ କରାଯାଇଛି । ଇତିମଧ୍ୟରେ ଲକ୍‌ଡାଉନ୍‌ କଟକଣା କୋହଳ ହେବା ସହିତ ବାହାର ରାଜ୍ୟରେ ଫସିଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି କେନ୍ଦ୍ର ଅନୁମତି ଦେବା ସହିତ ନିୟମାବଳୀ ଜାରି କରିଛନ୍ତି । ଏହି ସ୍ଥିିତିରେ ପରିସ୍ଥିତି ଉପରେ ତୀକ୍ଷ୍ମ ଦୃଷ୍ଟି ରଖିବା ଓ ସଙ୍ଗରୋଧକୁ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସଙ୍ଗରୋଧକୁ ୨୮ଦିନକୁ ବୃଦ୍ଧି କରାଯିବା ସହ ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ଅନ୍ତେବାସୀଙ୍କ ପାଇଁ ସ୍ବେଚ୍ଛାକୃତ ଶ୍ରମଦାନ, ଯୋଗ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । 

Comments are closed.