ବରିଷ୍ଠ ନାଗରିକଙ୍କ ସୁସ୍ଥତା ପାଇଁ ’ସୁରକ୍ଷିତ ଜେଜେ ବାପା-ଜେଜେ ମାଆ, ଅଜା-ଆଈ ଅଭିଯାନ’

କୋଭିଡ-୧୯ ମହାମାରୀ ସମୟରେ

ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀ ସମୟରେ ବରିଷ୍ଠ ନାଗରିକଙ୍କ ସୁସ୍ଥ ରଖିବା ପାଇଁ ‘ସୁରକ୍ଷିତ୍ ଜେଜେ ବାପା-ଜେଜେ ମାଆ, ଅଜା-ଆଈ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। କୋଭିଡ-୧୯ ମହାମାରୀ ସମୟରେ ଦେଶର ୨.୯ ନିୟୁତ ବରିଷ୍ଠ ନାଗରିକଙ୍କ ସୁସ୍ଥତାକୁ ସୁନିଶ୍ଚିତ କରିବା ପାଇଁ ‘ସୁରକ୍ଷିତ୍ ଜେଜେ ବାପା-ଜେଜେ ମାଆ, ଅଜା-ଆଈ ଅଭିଯାନ,’ ନୀତି ଆୟାଗ, ପିରାମଲ୍ ଫାଉଣ୍ଡେସନ୍ ଏବଂ ୨୫ ଆକାଂକ୍ଷୀ ଜିଲ୍ଲାର ଏକ ମିଳିତ ପ୍ରୟାସ। ବରିଷ୍ଠ ନାଗରିକଙ୍କ ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିବେଦନ ପରେ ନୀତି ଆୟୋଗ ଏହି ଅଭିଯାନ ଆରମ୍ଭ କରିଛି।
ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲା ହେଉଛି ସେହି ୨୫ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ଗୋଟିଏ, ଯେଉଁଠାରେ ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି।
ସାମାଜିକ କଲ୍ୟାଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସହାୟତାରେ ପିରାମଲ ଫାଉଣ୍ଡେସନ ସୁରେନ୍ଦ୍ରନଗର ଜିଲ୍ଲାରେ ଏହି ଅଭିଯାନ କାର୍ଯ୍ୟକାରୀ କରୁଛି। ଏହି ଅଭିଯାନରେ ୧୫୦ରୁ ଅଧିକ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ସେମାନେ ଜିଲ୍ଲା ପ୍ରଶାସନ ଠାରୁ ଯୋଗାଯୋଗ ବିବରଣୀ ନେଇ ଫୋନ୍ କଲ ମାଧ୍ୟମରେ ଜିଲ୍ଲାର ପ୍ରାୟ ୨୫,୦୦୦ ବରିଷ୍ଠ ନାଗରିକଙ୍କ ସହ ଯୋଗାଯୋଗ କରିଛନ୍ତି। ସେମାନେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରୁଛନ୍ତି ଏବଂ ସେମାନଙ୍କୁ କରୋନା ଭୂତାଣୁ ବିଷୟରେ ସୂଚନା ଦେଉଛନ୍ତି। ଔଷଧ, ଅତ୍ୟାବଶ୍ୟକ ସାମଗ୍ରୀ ଅବା ରାସନ କାର୍ଡ ସହିତ ଜଡିତ କାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ସୁରେନ୍ଦ୍ରନଗର ଜିଲ୍ଲା ପ୍ରଶାସନ ୫ ହଜାରରୁ ଅଧିକ ବରିଷ୍ଠ ନାଗରିକଙ୍କ ସହ ଯୋଗାଯୋଗ କରିଛି। ଏହିପରି ୮୫୦ ବୟସ୍କ ବ୍ୟକ୍ତିଙ୍କୁ ସେମାନେ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିଛନ୍ତି।

Comments are closed.