କେନ୍ଦ୍ରକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରଶ୍ନବାଣ

ନୂଆଦିଲ୍ଲୀ: ଟିକାକରଣ ସମ୍ପର୍କରେ ଜାତୀୟ ନୀତି, ଟିକାର ମୂଲ୍ୟ, ଅମ୍ଳଜାନର ସ୍ଥିତି ଓ ଯୋଗାଣ, ଜରୁରୀ ଆବଶ୍ୟକ ହେଉଥିବା ଔଷଧ ଏବଂ ତାଲାବନ୍ଦ ଘୋଷଣା ଇତ୍ୟାଦି ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। ନିଜ ଆଡ଼ୁ ଗୃହୀତ ମାମଲାର ଶୁଣାଣିବେଳେ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ବିଚାରପତି ଏଲ.ଏନ୍ ରାଓ ଓ ବିଚାରପତି ଏସ୍.ଆର ଭଟ୍ଟଙ୍କୁ ନେଇ ଗଠିତ ପୀଠ ସାମ୍ପ୍ରତିକ ସ୍ଥିତିର ମୁକାବିଲା ପାଇଁ ତାଲାବନ୍ଦ ଘୋଷଣା କରାଯିବ କି ନାହିଁ ଏବଂ ଏ ସମ୍ପର୍କରେ ସରକାର କ’ଣ ବିଚାର କରୁଛନ୍ତି ତାହା ସ୍ପଷ୍ଟ କରିବାକୁ କହିଛନ୍ତି। ଅମ୍ଳଜାନ ଯୋଗାଣ କ୍ଷେତ୍ରରେ କି ପଦକ୍ଷେପ ନିଆଯାଇଛି ତାହା ପଚାରିବା ସହ ଏଥିରେ କାହାରି ପ୍ରତି ପାତର ଅନ୍ତର ନ କରି ସମସ୍ତଙ୍କୁ ସମାନ ପରିମାଣରେ ଯୋଗାଇ ଦେବାକୁ ପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ଟିକା ମୂଲ୍ୟ ସମ୍ପର୍କରେ ପୀଠ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହାର ଭିନ୍ନ ଭିନ୍ନ ମୂଲ୍ୟ ଅତ୍ୟନ୍ତ ବିଭ୍ରାନ୍ତିକର ଓ ଚିନ୍ତାଜନକ। କାହିଁକି କେନ୍ଦ୍ର, ରାଜ୍ୟ ଓ ଘରୋଇ ଡାକ୍ତରଖାନା ପାଇଁ ଏପରି ମୂଲ୍ୟ ଧାର୍ଯ୍ୟ କରାଯାଇଛି ତାହା ବୁଝାଇବାକୁ ପୀଠ ନିର୍ଦେଶ ଦେଇଛନ୍ତି। ଘରୋଇ କମ୍ପାନୀ ଉପରେ ରାଜ୍ୟଗୁଡ଼ିକୁ ଟିକା ପ୍ରଦାନ (କେତେ ଦିଆଯିବ) ନିଷ୍ପତ୍ତି ଛାଡ଼ିଦେବା ଠିକ୍ ନୁହେଁ। ରାଜ୍ୟଗୁଡ଼ିକୁ ଟିକା କିଣିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। କେନ୍ଦ୍ର ସରକାର କାହିଁକି ସବୁ ଟିକା କିଣୁ ନାହାନ୍ତି ବୋଲି ପୀଠ ପ୍ରଶ୍ନ କରିଛନ୍ତି। ଏତଦ୍ବ୍ୟତୀତ ଇଣ୍ଟରନେଟ ବ୍ୟବହାର କରୁ ନ ଥିବା ଗରିବ ଓ ନିରକ୍ଷର ଲୋକେ କିପରି ଟିକା ପାଇଁ ନାମ ପଞ୍ଜୀକରଣ କରିବେ ସରକାର ତାହା ଚିନ୍ତା କରିବା ଆବଶ୍ୟକ। ଦେଶର ୫୯.୪୬ କୋଟି ଜନତାଙ୍କ ବୟସ ୪୫ ବର୍ଷରୁ ଅଧିକ ଏବଂ ଏଥିମଧ୍ୟରେ ଅନେକ ଗରିବ ଓ ନିମ୍ନ ବର୍ଗର। ଗରିବ ଲୋକେ ଟିକା ପାଇଁ କେଉଁଠୁ ପଇସା ଆଣିବେ ? ଆମେ ଘରୋଇକରଣ ବ୍ୟବସ୍ଥାରେ ଚାଲି ପାରିବା ନାହିଁ ବୋଲି ପୀଠ ସରକାରଙ୍କୁ କହିଛନ୍ତି। ସରକାର ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ପୂର୍ବକ ସମସ୍ତଙ୍କୁ ମାଗଣା ଟିକା ଦେବାକୁ ପୀଠ ପ୍ରସ୍ତାବ ଦେଇଛନ୍ତି।

ପୁନଶ୍ଚ ଯଦି କୌଣସି ସାଧାରଣ ନାଗରିକ ସାମାଜିକ ଗଣମାଧ୍ୟମରେ ଅମ୍ଳଜାନ, ଡାକ୍ତରଖାନା ଶଯ୍ୟା କିମ୍ବା ଡାକ୍ତର ଅଭାବ ନେଇ ଖବର ପ୍ରସାରଣ କରନ୍ତି, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ତାଗିଦା କରିଛନ୍ତି। ସାଧାରଣ ଲୋକଙ୍କ ବ୍ୟସ୍ତତାକୁ ସରକାର ଗୁଜବ ଦର୍ଶାଇ ଦମନ କରିପାରିବେ ନାହିଁ। ଏ ନେଇ କେନ୍ଦ୍ର ଓ ସମସ୍ତ ପ୍ରାଦେଶିକ ସରକାର ଏବଂ ସମସ୍ତ ରାଜ୍ୟର ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଜାରି କରି ପୀଠ କହିଛନ୍ତି ଯେ ଏଭଳି ସମସ୍ୟା ସମ୍ପର୍କିତ ପ୍ରଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ପୁଲିସ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରାଯିବ। ଦେଶରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଯଥେଷ୍ଟ ନୁହେଁ; ତେଣୁ ସରକାର ଡାକ୍ତରଖାନାଗୁଡ଼ିକରେ କେତେ ଶଯ୍ୟା ଉପଲବ୍ଧ ତାହାର ସୂଚନା ପ୍ରଦାନ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେବା ସହ ଦୁଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାେୟାଟେକ୍କୁ ସରକାର କୌଣସି ଆର୍ଥିକ ଅନୁଦାନ ଦେଇଛନ୍ତି କି ନାହିଁ ତାହା ସ୍ପଷ୍ଟ କରିବାକୁ କହିଛନ୍ତି।

ବାଂଲାଦେଶରୁ ରେମ୍ଡିସିଭିର ଆମଦାନୀ ପାଇଁ ସ୍ବତ୍ବାଧିକାର ଆଇନର ଆବଶ୍ୟକ ପଡ଼ିବ ନାହିଁ; କେବଳ କମ୍ପାନୀଠାରୁ ଲାଇସେନ୍ସ ହାସଲ କରିବା ଦରକାର ବୋଲି ପୀଠ କହିଛନ୍ତି। ସର୍ବୋପରି ସରକାରୀ ଓ ଘରୋଇ ଡାକ୍ତରଖାନାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଅବିଶ୍ରାନ୍ତ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିବାକୁ ପୀଠ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ରାଜ୍ୟ ଉଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ତଥା ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାଙ୍କୁ ସମାଲୋଚନା କରିବା ଘଟଣାକୁ ପୀଠ ନାପସନ୍ଦ କରିଛନ୍ତି। ଉଚ୍ଚ ନ୍ୟାୟାଳୟ ବିଚାରପତିମାନେ ପ୍ରସଙ୍ଗ ବାହାରକୁ ଯାଇ କୌଣସି ଆକ୍ଷେପ ନ କରିବାକୁ ବିଚାରପତି ଚନ୍ଦ୍ରଚୂଡ଼ ପରାମର୍ଶ ଦେଇଛନ୍ତି। ମାଡ୍ରାସ ଓ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ମନ୍ତବ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ଓକିଲ ତୁଷାର ମେହତା ପୀଠଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ଏହାଦ୍ବାରା ସରକାର କିଛି କାମ କରୁ ନଥିବା ପ୍ରତୀୟମାନ ହେଉଛି। ଏହାର ଜବାବରେ ଚନ୍ଦ୍ରଚୂଡ଼ ଏହା କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୦କୁ ଧାର୍ଯ୍ୟ କରାଯାଇଛି।

Comments are closed.