ତିନି ତଲାକ ଅଧ୍ୟାଦେଶ ବିରୋଧୀ ଆବେଦନ ଖାରଜ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ତିନି ତଲାକ୍‍ ଅଧ୍ୟାଦେଶକୁ ବିରୋଧରେ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କହିଛନ୍ତି ଏହି ପ୍ରସଙ୍ଗରେ ଅଦାଲତ ହସ୍ତକ୍ଷେପ କରିବାର ଆବଶ୍ୟକତା ମଣୁ ନାହାନ୍ତି। ଦୁଇ ମାସ ପୂର୍ବେ ଆଗତ ହୋଇଥିବା ଏହି ଅଧ୍ୟାଦେଶକୁ ୬ ମାସ ମଧ୍ୟରେ ଆଇନରେ ପରିଣତ କରାଯିବା ଆବଶ୍ୟକ। ଖୁବ୍‍ଶୀଘ୍ର ସଂସଦୀୟ ଶୀତକଳୀନ ଅଧିବେସନ ବସିବାକୁ ଯାଉଛି। ଉଲ୍ଲେଖ ଯେ ଏହି ଅଧ୍ୟାଦେଶ ସାମ୍ବିଧାନିକ ଧାରା ୧୪, ୧୫ ଏବଂ ୨୧ର ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ‘ସମସ୍ତ କେରଳ ଜାମିଅତ୍‍ ଉଲେମା’ ନାମକ ଏକ ମୁସଲମାନ ସଂଗଠନ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ଆବେଦନରେ ସଂଗଠନ ପକ୍ଷରୁ ଦର୍ଶାଯାଇଥିଲା ଯେ ସାମ୍ବିଧାନିକ ଧାରା ୧୨୩ ଅନୁସାରେ କେବଳ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଆବଶ୍ୟକତା ପଡୁଥିବା ପ୍ରସଙ୍ଗରେ ହିଁ ଅଧ୍ୟାଦେଶ ଅଣାଯାଇପାରିବ। ମାତ୍ର ତିନି ତଲାକ ମାମଲାରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଧାରା ୧୨୩ ଅନୁସାରେ ସନ୍ତୋଷଜନକ ନୁହେଁ। ୨୦୧୭ ଅଗଷ୍ଟରେ ବହୁ ପୁରାତନ ପ୍ରଥା ତିନି ତଲାକକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଥିଲେ। ମୁସଲମାନ ମହିଳାଙ୍କ ବୈବାହିକ ଜୀବନ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର କ୍ୟାବିନେଟ ଦ୍ୱାରା ଆଗତ ମୁସଲମାନ ମହିଳା ବିବାହ ଅଧିକାର ସୁରକ୍ଷା ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୮ ସେପ୍ଟେମ୍ବର ୧୯ରେ ସ୍ୱୀକୃତି ପ୍ରଦାନ କରିଥିଲେ।

Leave A Reply