ନିର୍ବାଚନୀ ବଣ୍ଡ ଜାରି ଉପରେ ରହିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବା ଦୃଷ୍ଟିରୁ ଏପ୍ରିଲ୍ ୧ରୁ ୧୦ ତାରିଖ ମଧ୍ୟରେ ନିର୍ବାଚନୀ ବଣ୍ଡ ଜାରି ନ କରିବାକୁ ଡେମୋକ୍ରାଟିକ୍ ରିଫର୍ମସ୍ ଆସୋସିଏସନ୍ ନାମକ ଏକ ସ୍ୱଚ୍ଛାସେବୀ ସଂଗଠନ ପକ୍ଷରୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଏସ୍.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ବିଚାରକ ମଣ୍ଡଳୀ ଏହି ଆବେଦନ ଉପରେ ଶୁଣାଣି କରିଥିଲେ। ଖଣ୍ଡପୀଠ କହିଛନ୍ତି, ପୂର୍ବରୁ ଅନେକଥର ନିର୍ବାଚନୀ ବଣ୍ଡ ଜାରି କରାଯାଇଛି ଏବଂ ଏହାର ପ୍ରଭାବ କଦାପି ନିର୍ବାଚନ ଉପରେ ପଡ଼ିନାହିଁ। ତେଣୁ ଏହା ଉପରେ ରହିତାଦେଶ ଜାରି କରିବାର କୌଣସି ଆବଶ୍ୟକତା ନାହିଁ।
ଖଣ୍ଡପୀଠ କହିଚନ୍ତି, ନିର୍ବାଚନୀ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକ ଯେତେସବୁ ଦାନ ପାଇଛନ୍ତି ସେ ସଂକ୍ରାନ୍ତରେ ଜଉମୁଦ ଲଫାପାରେ ନିର୍ବାଚନ କମିଶନଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯିବା ସଙ୍ଗେ ସଙ୍ଗେ ପୂର୍ବରୁ ଏ ସଂକ୍ରାନ୍ତୀୟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି। ସବୁ ପକ୍ଷର ଜବାବ ସୁଆଲ ଶୁଣିସାରିବା ପରେ ମାର୍ଚ୍ଚ ୨୪ ତାରିଖ ପରେ ଶୁଣାଣି କରିବାକୁ କୋର୍ଟ ନିର୍ଦ୍ଦେଶକୁ ସଂରକ୍ଷିତ ରଖିଥିଲେ।