୧୩୪ ପୃଷ୍ଠାର ଜବାବ, ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷୁଣ୍ଣ କରିଛନ୍ତି ୪ ପ୍ରଧାନ ବିଚାରପତି

ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୋମବାର ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟ ନୋଟିସର ଜବାବ ଦାଖଲ କରିଛନ୍ତି। ଦୀର୍ଘ ୧୩୪ ପୃଷ୍ଠାର ଏହି ସତ୍ୟପାଠରେ ସେ ଗତ ୬ ବର୍ଷ ମଧ୍ୟରେ ୪ ପ୍ରଧାନ ବିଚାରପତିଙ୍କ କାର୍ୟ୍ୟକାଳରେ କିପରି ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ଘଟିଛି ତାହାର ବିସ୍ତୃତ ବର୍ଣ୍ଣନା କରିଛନ୍ତି।

ଅଦାଲତ ଅବମାନନା ନେଇ କ୍ଷମା ପ୍ରାର୍ଥନା କରିବା ପରିବର୍ତ୍ତେ ସେ ନିଜର ଦାମ୍ଭିକତା ପ୍ରଦର୍ଶନ କରିଛନ୍ତି। ତେବେ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍.ଏ ବୋବଡେ ବିନା ହେଲମେଟ୍ରେ ୫୦ଲକ୍ଷ ଟଙ୍କା ମୂଲ୍ୟର ହାର୍ଲେ ଡେଭିଡସନ୍ ମୋଟର ସାଇକଲ ଚଢ଼ିବା ପ୍ରସଙ୍ଗରେ ସେ ଗାଡ଼ିରେ ଷ୍ଟାଣ୍ଡ ମରାହୋଇଥିବା ଦେଖି ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଗାଡ଼ି ଷ୍ଟାଣ୍ଡରେ ରହିଥିବା ଓ ଚାଲୁ ନ ଥିବାବେଳେ ହେଲମେଟ୍ ପିନ୍ଧିବାର ଆବଶ୍ୟକତା ନ ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ପ୍ରସଙ୍ଗରେ ସେ ତାଙ୍କର ଅବଶିଷ୍ଟ ମନ୍ତବ୍ୟ ଯଥାର୍ଥ ବୋଲି ଭୂଷଣ ଦର୍ଶାଇଛନ୍ତି। ବିଚାରପତି ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା, ସାହାରା-ବିରଳା ଡାଏରୀ ମାମଲା, କାହିକୋ ପଲ୍ ଆତ୍ମହତ୍ୟା ମାମଲା, ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଦୁର୍ନୀତି ମାମଲା, ସୁପ୍ରିମକୋର୍ଟରେ ମାଷ୍ଟର ଅଫ ରୋଷ୍ଟର ବିବାଦ, ଆସାମରେ ଏନ୍ଆରସି କାର୍ୟ୍ୟକାରିତା, ନାଗରିକତ୍ବ ଆଇନ ସଂଶୋଧନ ମାମଲା ଓ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଆଦି ପ୍ରସଙ୍ଗରେ ନ୍ୟାୟିକ ବ୍ୟବସ୍ଥା କିପରି ବିଫଳ ହୋଇଛି ତାହା ସେ ସାବ୍ୟସ୍ତ କରିଛନ୍ତି।

ଏହି ସବୁ ପ୍ରସଙ୍ଗରେ ତତ୍କାଳରେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଦୀପକ ଗୁପ୍ତା, ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ ଏ.ପି ଶାହା ପ୍ରମୁଖ ଦେଇଥିବା ମନ୍ତବ୍ୟ ଓ ମତାମତର ନକଲ ଉପସ୍ଥାପନ ପୂର୍ବକ ଭୂଷଣ ନିଜ ଯୁକ୍ତିକୁ ସାବ୍ୟସ୍ତ ପାଇଁ ଉଦ୍ୟମ କରିଛନ୍ତି। ସେ କ୍ରମାଗତ ଭାବେ ପୋଷ୍ଟ କରିଥିବା ଦୁଇଟି ଟ୍ବିଟ୍; ଯାହାକୁ ନେଇ ସୁପ୍ରିମକୋର୍ଟ ଜୁଲାଇ ୨୪ରେ ଆପରାଧିକ ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି ତାହାକୁ ଭୂଷଣ ଯୁକ୍ତିଯୁକ୍ତ ବୋଲି ଜୋର୍ ଦେଇଛନ୍ତି। କରୋନା ସଂକ୍ରମଣ ଯୋଗୁଁ ଗତ ସାଢ଼େ ୩ମାସରୁ ଅଧିକ କାଳ ଧରି ଅଦାଲତ ବନ୍ଦ ରହିଥିବାବେଳେ ଏବଂ କୌଣସି ମାମଲାର ବଳିଷ୍ଠ ବିଚାର ହୋଇ ନ ଥିବାବେଳେ ପ୍ରଧାନ ବିଚାରପତି ବାଇକ୍ ଚଢ଼ିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ।

ପ୍ରଧାନ ବିଚାରପତିଙ୍କୁ ଏ ନେଇ ସମାଲୋଚନା କରିବା ଦ୍ବାରା ସେ କୌଣସି ଭାବେ ଅଦାଲତର ଅବମାନନା କରିନାହାନ୍ତି। ‘ପ୍ରଧାନ ବିଚାରପତି ଆଦୌ ସୁପ୍ରିମକୋର୍ଟ ନୁହନ୍ତି କିମ୍ବା ସୁପ୍ରିମକୋର୍ଟ ଆଦୌ ପ୍ରଧାନ ବିଚାରପତି ନୁହନ୍ତି; ଯଦି ଏପରି କେହି ଭାବୁଥାଆନ୍ତି; ତେବେ ଏହା ଦ୍ବାରା ସେ ଅନୁଷ୍ଠାନର ମର୍ୟ୍ୟାଦା ହାନି କରୁଛନ୍ତି’ ବୋଲି ଭୂଷଣ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ତାଙ୍କ ବିରୋଧରେ ନୋଟିସ ପଠାଇ ସୁପ୍ରିମକୋର୍ଟ ଭାରତୀୟ ନାଗରିକଙ୍କ ବାକ୍-ସ୍ବାଧୀନତା କ୍ଷୁଣ୍ଣ କରିବାକୁ ଉଦ୍ୟମ ହୋଇଛି।

ସୁପ୍ରିମକୋର୍ଟ ଭଳି ପ୍ରତ୍ୟେକ ଅନୁଷ୍ଠାନର ଭୂମିକା ସମ୍ପର୍କରେ ସ୍ବଚ୍ଛ ଆଲୋଚନା ସୁସ୍ଥ ଗଣତନ୍ତ୍ରର ପରିଚାୟକ ଏବଂ ଏହାକୁ ସ୍ବାଗତ କରାଯିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି। ଭୂଷଣଙ୍କ ଏହି ଜବାବ ଉପରେ ଆସନ୍ତା ୫ ତାରିଖରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଶୁଣାଣି କରିବେ। ଉକ୍ତ ପୀଠ ନିଜ ଆଡ଼ୁ ଭୂଷଣଙ୍କୁ ଉପରୋକ୍ତ ନୋଟିସ ପଠାଇଥିଲେ।

Comments are closed.