ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଜଷ୍ଟିସ ଲୋଧା କ୍ଷୁବ୍ଧ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗତ ଗୁରୁବାର ଏକ ଐତିହାସିକ ରାୟରେ ବିସିସିଆଇର ନୂତନ ସମ୍ବିଧାନକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏ ପ୍ରସଙ୍ଗରେ ଜଷ୍ଟିସ ଲୋଧା କମିଟି ଯେଉଁ ସୁପାରିସ କରିଥିଲେ ତାହାକୁ ସମ୍ପୂର୍ଣ୍ଣଭାବେ କାର୍ଯ୍ୟକାରୀ କରିବା ନେଇ ବିସିସିଆଇ ଓ ଏହାର ଅନୁବନ୍ଧିତ ସଂଗଠନଗୁଡିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର କରିଥିଲେ। ତେବେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ସୁପ୍ରିମକୋର୍ଟ ପୀଠ ଗୁରୁବାର ବିସିସିଆଇର ନୂତନ ସମ୍ବିଧାନକୁ ଅନୁମୋଦନ କରିଥିବାବେଳେ ଜଷ୍ଟିସ ଲୋଧା କମିଟିର କେତେକ ଗୁରୁତ୍ୱପୂର୍ଣ୍ଣ ସୁପାରିସକୁ ନାକଚ କରିଛନ୍ତି। ଏହାକୁ ନେଇ ଜଷ୍ଟିସ ଲୋଧା ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜଷ୍ଟିସ ଲୋଧାଙ୍କ ସୁପାରିସ ମଧ୍ୟରେ (୧) ଗୋଟିଏ ରାଜ୍ୟ ଗୋଟିଏ ଭୋଟ, (୨) କ୍ରିକେଟ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅତିକମରେ ୩ ବର୍ଷର ବିରତି (କୁଲିଂ ଅଫ୍‍ ପିରିୟଡ ଓ (୩) କର୍ମକର୍ତ୍ତାଙ୍କ ସର୍ବୋଚ୍ଚ ବୟସସୀମା ୭୦ ବର୍ଷ ଧାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ସୁପ୍ରିମକୋର୍ଟ ଗୋଟିଏ ରାଜ୍ୟ ଗୋଟିଏ ଭୋଟ ପ୍ରସଙ୍ଗରେ ମହାରାଷ୍ଟ୍ର ଓ ଗୁଜରାଟକୁ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି। ମହାରାଷ୍ଟ୍ରରେ ବିସିସିଆଇର ଚାରିଟି ଓ ଗୁଜରାଟରେ ତିନିଟି ଅନୁବନ୍ଧିତ ସଂଗଠନ ରହିଛି। ଏଗୁଡିକ ହେଲା ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ, ମୁମ୍ବଇ କ୍ରିକେଟ ଆସୋସିଏସନ, ବିଦର୍ଭ କ୍ରିକେଟ ଆସୋସିଏସନ ଓ କ୍ରିକେଟ କ୍ଲବ ଅଫ୍‍ ଇଣ୍ଡିଆ (ମହାରାଷ୍ଟ୍ର), ଗୁଜରାଟ କ୍ରିକେଟ ଆସୋସିଏସନ, ବରୋଦା କ୍ରିକେଟ ଆସୋସିଏସନ ଓ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ (ଗୁଜରାଟ)। ଜଷ୍ଟିସ ଲୋଧା କମିଟିର ସୁପାରିସ ଅନୁଯାୟୀ କେବଳ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଓ ଗୁଜରାଟ କ୍ରିକେଟ ଆସୋସିଏସନକୁ ବିସିସିଆଇର ସ୍ୱୀକୃତି ମିଳିବା କଥା। ବର୍ତ୍ତମାନ ସୁପ୍ରିମକୋର୍ଟ ଅନ୍ୟ ପାଞ୍ଚଟି ଆସୋସିଏସନକୁ ସ୍ୱୀକୃତି ପ୍ରଦାନ କରିବା ଫଳରେ ଜଷ୍ଟିସ ଲୋଧା କମିଟିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସୁପାରିସକୁ ଗୁରୁତ୍ୱ ମିଳିପାରିନାହିଁ।
ଦ୍ୱିତୀୟରେ କ୍ରିକେଟ ଆସୋସିଏସନର ଜଣେ କର୍ମକର୍ତ୍ତା ତିନିଥର (ସର୍ବାଧିକ ୯ ବର୍ଷ) କୌଣସି ପଦରେ ରହିପାରିବେ କିନ୍ତୁ ପ୍ରତ୍ୟେକ ଅବଧି ପରେ ତିନି ବର୍ଷର ବିରତି (କୁଲିଂ ଅଫ୍‍ ପିରିୟଡ) ରହିବ ବୋଲି ସୁପାରିସ ହୋଇଥିଲା। ସୁପ୍ରିମକୋର୍ଟ ତାଙ୍କ ରାୟରେ ସର୍ବାଧିକ ୯ ବର୍ଷ କାର୍ଯ୍ୟକାଳକୁ କାଏମ ରଖିଥିବାବେଳେ ଗୋଟିଏ ବିରତି ସମୟକୁ ବାଦଦେଇଛନ୍ତି। ଅର୍ଥାତ ଜଣେ କର୍ମକର୍ତ୍ତା କ୍ରମାଗତ ୬ ବର୍ଷ କାର୍ଯ୍ୟ କରିବାପରେ ତାଙ୍କ କ୍ଷେତ୍ରରେ କୁଲିଂ ଅଫ୍‍ ପିରିୟଡ ନିୟମ ଲାଗୁ ହେବ। କ୍ରମାଗତ ୬ ବର୍ଷ କାର୍ଯ୍ୟ କରିବା ଫଳରେ ସଂପୃକ୍ତ କର୍ମକର୍ତ୍ତା ଏକଚାଟିଆ ମନୋଭାବ ପୋଷଣ କରିବାର ଆଶଙ୍କା ରହିଛି ବୋଲି ଜଷ୍ଟିସ ଲୋଧା ମତବ୍ୟକ୍ତ କରିଛନ୍ତି। ତୃତୀୟରେ କର୍ମକର୍ତ୍ତାଙ୍କ ସର୍ବୋଚ୍ଚ ବୟସସୀମା ୭୦ ବର୍ଷ ଧାର୍ଯ୍ୟ କରିବାକୁ ଯେଉଁ ସୁପାରିସ ହୋଇଥିଲା, ସେହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିରବତା ଅବଲମ୍ବନ କରିଛନ୍ତି। ଫଳରେ ବର୍ତ୍ତମାନ ୭୦ କିମ୍ବା ତଦୁଦ୍ଧ୍ୱର୍ ବୟସର ବ୍ୟକ୍ତି କ୍ରିକେଟ ପ୍ରଶାସନ ସହ ସଂପୃକ୍ତ ରହିପାରିବେ। ପୁନଶ୍ଚ କ୍ରିକେଟ ପ୍ରଶାସନରେ କୌଣସି ରାଜନେତା, ମନ୍ତ୍ରୀ କିମ୍ବା ପ୍ରଶାସନିକ ଅଧିକାରୀ ସଂପୃକ୍ତ ରହିପାରିବେ ନାହିଁ ବୋଲି କମିଟି ସୁସାରିସ କରିଥିଲେ। ତେବେ ସୁପ୍ରିମକୋର୍ଟ ତାଙ୍କ ରାୟରେ ରେଳବାଇ, ସର୍ଭିସେସ୍‍ ଓ ଆସୋସିଏସନ ଅଫ୍‍ ୟୁନିଭର୍ସିଟିଜ୍‍ ଭଳି ସଂଗଠନକୁ ସ୍ୱୀକୃତି ପ୍ରଦାନ କରିଥିବାରୁ ଜଷ୍ଟିସ ଲୋଧା କ୍ଷୋଭପ୍ରକାଶ କରିଛନ୍ତି। ତାଙ୍କ ମତରେ ରେଳବାଇ, ସର୍ଭିସେସ୍‍ ସମେତ ଏହି ସଂଗଠନଗୁଡିକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାରେ କୌଣସି ଅସୁବିଧା ନାହିଁ, ତେବେ ଏହି ସଂସ୍ଥାର ମୁଖ୍ୟ ପଦରେ ଥିବା ଅଧିକାରୀମାନେ ବିସିସିଆଇ ନିର୍ବାଚନରେ ଭୋଟ ଦେବାର ଅଧିକାର ପାଇଥିବାରୁ ସେ ଅସନ୍ତୁଷ୍ଟ ହୋଇପଡିଛନ୍ତି। ଏହାଫଳରେ କ୍ରିକେଟ ପ୍ରଶାସନରେ ପୂର୍ବଭଳି ସରକାରୀ ହସ୍ତକ୍ଷେପ ବଳବତ୍ତର ରହିବ ବୋଲି ଜଷ୍ଟିସ ଲୋଧା ଆଶଙ୍କା ପ୍ରକାଶ କରିଛନ୍ତି।
ଜଷ୍ଟିସ ଲୋଧା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବିସିସିଆଇର କାର୍ଯ୍ୟଧାରାରେ ସଂସ୍କାର ଆଣିବାକୁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତଦନୁଯାୟୀ ୨୦୧୬ ଜାନୁଆରୀରେ ସେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ସେତେବେଳେ ପୂର୍ବତନ ସିଏଜି (କମ୍ପଟ୍ରୋଲର ଆଣ୍ଡ୍‍ ଅଡିଟର ଜେନେରାଲ) ବିନୋଦ ରାୟଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ପ୍ରଶାସକ କମିଟି ଗଠନ କରିଥିଲେ। ବିସିସିଆଇର ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ପ୍ରଶାସକ କମିଟି ସଂଗଠନର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଏଥିସହିତ ଜଷ୍ଟିସ ଲୋଧା କମିଟି ସୁପାରିସକୁ ଶହେ ପ୍ରତିଶତ ଲାଗୁ କରିବାକୁ ସୁପ୍ରିମକୋର୍ଟ ବିସିସିଆଇ ଓ ଏହାର ରାଜ୍ୟ ସଂଗଠନଗୁଡିକୁ ନିର୍ଦେଶ ଦେଇଥିଲେ।

Comments
Loading...