ପ୍ରବାସୀଙ୍କୁ ଘରକୁ ପଠାଇବା ଓ କାମ ଯୋଗାଇବା ସରକାରଙ୍କ ଦାୟିତ୍ବ: ସୁପ୍ରିମକୋର୍ଟ

ସରିଲା ପ୍ରବାସୀ ପ୍ରସଙ୍ଗ ମାମଲାର ଶୁଣାଣି; ୯ ତାରିଖରେ ପ୍ରକାଶ ପାଇବ ରାୟ

ନୂଆଦିଲ୍ଲୀ: ପ୍ରବାସୀ ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ ଶେଷ ହୋଇଛି ଶୁଣାଣି । ଆସନ୍ତା ୯ ତାରିଖରେ ଏ ସଂକ୍ରାନ୍ତ ରାୟ ପ୍ରକାଶ ପାଇପାରେ । ମାତ୍ର ଶୁକ୍ରବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ପ୍ରବାସୀଙ୍କ ସମସ୍ୟାକୁ ନେଇ ନିଜର ଆଭିମୁଖ୍ୟ କଠୋର କରିଛି । ଅଦାଲତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ୧୫ ଦିନ ମଧ୍ୟରେ ଦେଶବ୍ୟାପୀ ଅଟକିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ଏବଂ ରାଜ୍ୟ ସରକାରମାନେ ସେମାନଙ୍କ ରାଜ୍ୟକୁ ଫେରୁଥିବା ଶ୍ରମିକମାନଙ୍କୁ କାମଧନ୍ଦା ବ୍ୟବସ୍ଥା କରନ୍ତୁ ।

ଏହି ଅବସରରେ କେନ୍ଦ୍ର ସରକାର ପ୍ରବାସୀଙ୍କ ନିମନ୍ତେ ଚଳାଯାଇଥିବା ସ୍ବତନ୍ତ୍ର ଟ୍ରେନ୍ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ । ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ୪୨୦୦ ସ୍ବତନ୍ତ୍ର ଟ୍ରେନ ଚଳାଚଳ ବ୍ୟବସ୍ଥା କରାଯାଇଛି ଏବଂ ଏଥିରେ ପାଖାପାଖି ୧ କୋଟି ଲୋକ ନିଜର ଗାଁକୁ ଫେରି ପାରିଛନ୍ତି । ସେହିପରି ଘରୋଇ ଡ଼ାକ୍ତରଖାନାରେ କରୋନା ଚିକିତ୍ସା ବ୍ୟୟ ସର୍ବାଧିକ ସୀମା ଧାର୍ଯ୍ୟ କରାଯାଇଛି । ଏହି ପ୍ରସଙ୍ଗରେ ଅଦାଲତ କେନ୍ଦ୍ର ସରକାରଙ୍କୁ ୧ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିମନ୍ତେ ନିର୍ଦେଶ ଦେଇଛନ୍ତି ।

ପ୍ରବାସୀ ଶ୍ରମିକ ପ୍ରସଙ୍ଗରେ କେଉଁ ରାଜ୍ୟର କଣ ରଖିଲେ ମତ

ପ୍ରବାସୀ ପ୍ରସଙ୍ଗରେ ବିଭିନ୍ନ ରାଜ୍ୟ ସରକାର ଅଦାଲତରେ ନିଜର ମତ ରଖିଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି.ନରସିଂହ୍ମା କହିଛନ୍ତି ଯେ ଉତ୍ତରପ୍ରଦେଶରେ କେଉଁଠି ମଧ୍ୟ ଶ୍ରମିକଙ୍କଠାରୁ ଗାଡ଼ିଭଡ଼ା ଆଦାୟ କରାଯାଉ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀଙ୍କୁ ଫେରାଇ ଆଣିବା ନିମନ୍ତେ ୧୬୬୪ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି ଏବଂ ଏହାଯୋଗେ ୨୧ ଲକ୍ଷରୁ ଅଧିକ ଲୋକଙ୍କୁ ଘରକୁ ଫେରାଇ ଅଣାଯାଇଛି । ସେହିପରି ଦିଲ୍ଲୀରୁ ବସ୍ ଯୋଗେ ୫.୫ ଲକ୍ଷ ଲୋକ ଘରକୁ ଫେରିଛନ୍ତି ।

ଅନୁରୂପ ଭାବରେ ବିହାର ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରଞ୍ଜିତ୍ କୁମାର ନିଜର ପକ୍ଷ ରଖିଛନ୍ତି । ସେ କହିଛନ୍ତି ଯେ ବିହାରକୁ ୨୮ ଲକ୍ଷରୁ ଅଧିକ ପ୍ରବାସୀ ଲକ୍ଡ଼ାଉନ କୋହଳ ହେବା ପରେ ଫେରିଛନ୍ତି । ଏହି ଲୋକମାନଙ୍କ ନିମନ୍ତେ ରୋଜଗାର ଯୋଗାଇଦେବାକୁ ବିହାର ସରକାର ସବୁପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ସଞ୍ଜୟ ଜୈନ କହିଛନ୍ତି ଯେ ଦିଲ୍ଲୀରେ ଏବେ ପ୍ରାୟ ୨ ଲକ୍ଷ ଶ୍ରମିକ ଅଛନ୍ତି । ଏହି ଲୋକମାନେ ନିଜ ଅଞ୍ଚଳକୁ ଫେରିବାକୁ ଚାହାନ୍ତି ନାହିଁ । ମାତ୍ର ୧୦ ହାରରୁ କମ୍ ଶ୍ରମିକ ନିଜ ଗାଁକୁ ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଦିଲ୍ଲୀ ସରକାର କହିଛନ୍ତି ।

ପ୍ରବାସୀ ପ୍ରସଙ୍ଗରେ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ୪ ପ୍ରମୁଖ ଆଦେଶ

ପ୍ରବାସୀ ଶ୍ରମିକଙ୍କ ମାମଲାକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହେବା ପରେ ଗତ ୨୮ ତାରିଖରେ ଅଦାଲତ ୪ଟି ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଥିଲେ ।

୧- ଟ୍ରେନ୍ ଓ ବସରେ ଗାଁକୁ ଫେରୁଥିବା ପ୍ରବାସୀଙ୍କଠାରୁ କୌଣସି ଭଡ଼ା ଆଦାୟ କରା ନ ଯାଉ । ଏହି ଖର୍ଚ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସରକାର ବହନ କରନ୍ତୁ ।

୨- ରେଳଷ୍ଟେସନରେ ଶ୍ରମିକଙ୍କୁ ଖାଦ୍ୟ ଓ ପାଣି ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ । ସେହିପରି ଟ୍ରେନ୍ରେ ଯାତ୍ରା ବେଳେ ଖାଦ୍ୟ-ପାନୀୟ ବ୍ୟବସ୍ଥା ରେଳ ବିଭାଗ କରୁ । ବସରେ ବି ସେମାନଙ୍କୁ ଖାଦ୍ୟ ପାନୀୟ ବ୍ୟବସ୍ଥା କରାଯାଉ

୩-ସାରା ଦେଶରେ ଅଟକିଥିବା ଶ୍ରମିକମାନେ ନିଜ ଘରକୁ ଯିବା ନିମନ୍ତେ ଟ୍ରେନ୍ ଓ ବସ୍ ଅପେକ୍ଷାରେ ଅଛନ୍ତି । ରାଜ୍ୟ ସରକାର ସେମାନଙ୍କ ନିମନ୍ତେ ଖାଦ୍ୟପେୟ ବ୍ୟବସ୍ଥା କରନ୍ତୁ । ଶ୍ରମିକଙ୍କୁ ଖାଦ୍ୟ କେଉଁଠି ମିଳିବ ଓ କେଉଁଠି ପଞ୍ଜୀକରଣ କରାଯିବ ସେ ସମ୍ପର୍କରେ ସୂଚନା ସେମାନଙ୍କ ପାଖରେ ପହଞ୍ଚିବା ବ୍ୟବସ୍ଥା କରାଯାଉ ।

୪. ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟାକୁ ଅନୁଧ୍ୟାନ କରି ସେମାନଙ୍କୁ ଯଥାଶୀଘ୍ର ନିଜନିଜ ଘରକୁ ପଠାଇବା ବ୍ୟବସ୍ଥା କରନ୍ତୁ । ଏ ସମ୍ପର୍କରେ ସୂଚନା ପ୍ରବାସୀ ଶ୍ରମିକଙ୍କ ନିକଟରେ ପହଞ୍ଚାଇବା ବ୍ୟବସ୍ଥା ହେଉ ।

Comments are closed.