ଜବାବ ମାଗିଲେ ସୁପ୍ରିମକୋର୍ଟ, କେମିତି ରହିଛି ଡାକ୍ତରଖାନା ଓ ନର୍ସିଂହୋମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ସୁପ୍ରିମକୋର୍ଟ କେନ୍ଦ୍ର ତଥା ରାଜ୍ୟମାନଙ୍କୁ ଡାକ୍ତରଖାନା ଏବଂ ନର୍ସିଂହୋମରେ ଅଗ୍ନି ନିରାପତ୍ତା ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ଏବଂ କୋଭିଡ -୧୯ ନିର୍ଦ୍ଦେଶାବଳୀ ପାଳନ କରିବା ଭଳି ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ-୧୯ ରୋଗୀଙ୍କୁ ଡାକ୍ତରଖାନାରେ ଉଚିତ ଚିଲିଟସ ଏବଂ ମୃତଦେହକୁ ସମ୍ମାନର ସହ ରଖିବା ସମ୍ପର୍କରେ ନିଜଆଡୁ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି।
ଗୁଜୁରାଟର ରାଜକୋଟରେ ଥିବା ଏକ ସ୍ୱତନ୍ତ୍ର କୋଭିଡ -୧୯ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟଣାରେ ଅଦାଲତ ନିଜଆଡୁ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତି। ଏହି ଘଟଣାରେ ଅନେକ ରୋଗୀଙ୍କର ମୃତ୍ୟୁ ଘଟିଥିଲା ଏବଂ ଏହି ଘଟଣା ଯୋଗୁଁ ଦେଶର ଡାକ୍ତରଖାନାଗୁଡ଼ିକରେ ଉପଯୁକ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଭାବ ପ୍ରସଙ୍ଗ ଉଠିଥିଲା।
ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ର ତଥା ଗୁଜୁରାଟ ସରକାରଙ୍କ ପାଇଁ ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ତିନି ଦିନ ମଧ୍ୟରେ ଡାକ୍ତରଖାନା ଏବଂ ନର୍ସିଂହୋମରେ କୋଭିଡ -୧୯ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଏ ନେଇ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି।
ଏହି ପ୍ରସଙ୍ଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କୋର୍ଟକୁ ଜଣାଇବା ପାଇଁ ଶୁକ୍ରବାର ସୁଦ୍ଧା ରାଜ୍ୟଗୁଡିକ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି। ଖଣ୍ଡପୀଠ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଡିସେମ୍ବର ୧୪ ଦିନ ଧାର୍ଯ୍ୟ କରିଛନ୍ତି।