ସର୍ବୋଚ୍ଚ ଅଦାଲତଙ୍କ ପ୍ରଶ୍ନ, ଦେଶଦ୍ରୋହ ଆଇନ ଯର୍ଥାଥ କି?

ନୂଆଦିଲ୍ଲୀ: ବ୍ରିଟିଶ ସାମ୍ରାଜ୍ୟବାଦର ଆଇନ ହେଉଛି ଦେଶଦ୍ରୋହ। ସ୍ବାଧୀନତାକୁ ଚପାଇ ଦେଉଥିବା ଅଭିଯୋଗରେ ଇଂରେଜ ସରକାର ସେତେବେଳେ ମହାତ୍ମା ଗାନ୍ଧୀ ଓ ବାଲ୍‌ ଗଙ୍ଗାଧର ତିଳକଙ୍କ ପରି ସଂଗ୍ରାମୀଙ୍କକ ବିରୋଧରେ ଏହି ମାମଲା ରୁଜୁ କରି ଆସୁଥିଲେ। ଦୀର୍ଘ ୭୫ ବର୍ଷ ପରେ ଏହାର କ’ଣ ପ୍ରାସଙ୍ଗିକତା ଅଛି ବୋଲି ପ୍ରଶ୍ନ କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ସରକାର ବିରୋଧୀ ସ୍ବରକୁୁ ଚପାଇ ଦେବାଲାଗି ଅନେକ ସ୍ଥାନରେ ଏହି ଆଇନର ଦୁରୁପଯୋଗ ହେଉଛି। ଏସଂକ୍ରାନ୍ତରେ ସର୍ବୋଚ୍ଚ ଅଦାଲାତ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଆଟର୍ଣ୍ଣି ଜେନେରାଲ ଏଥିରେ ସହମତ ହେବା ସହ ଦେଶଦ୍ରୋହ ଆଇନର ବ୍ୟବହାରକୁ ସଙ୍କୁଚିତ କରିବା ଲାଗି ନୂତନ ମାର୍ଗଦର୍ଶିକା ଆଣାଯିବା ସପକ୍ଷରେ ମତ ଦେଇଛନ୍ତି।

ସ୍ବାଧୀନତାର ୭୫ବର୍ଷ ପରେ ସାମ୍ପ୍ରତିକ ଭାରତରେ ଦେଶଦ୍ରୋହ ଆଇନର କି ଆବଶ୍ୟକତା ରହିଛି? ଏଭଳି ପ୍ରଶ୍ନ ସହ ଏହି ଆଇନର ଦୁରୁପଯୋଗ ହେଉଥିବାବେଳେ ସରକାରୀ ଅଧିକାରୀଙ୍କଠାରେ ଉତ୍ତରଦାୟିତ୍ବର ଅଭାବ ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ଅଦାଲତ ପ୍ରଧାନ ବିଚାରପତି ଏନ୍‌.ଭି. ରମଣା। ଏହି ଆଇନର ସାମ୍ବିଧାନିକ ବୈଧତା ନେଇ ମଧ୍ୟ ପ୍ରଧାନ ବିଚାରପତି ଅଙ୍ଗୁଳି ନିର୍ଦେଶ କରିଛନ୍ତି। ଦେଶଦ୍ରୋହ ମାମଲାର ସାମ୍ବିଧାନିକ ବୈଧତା ସମ୍ପର୍କିତ ମାମଲାର ଶୁଣାଣିବେଳେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କଠାରୁ ଏହାର ଜବାବ ଲୋଡ଼ିଛନ୍ତି। ଏହି ପ୍ରସଙ୍ଗରେ ସେ ଏଥିନେଇ କୌଣସି ନିର୍ଦିଷ୍ଟ ସରକାରଙ୍କୁ ଦାୟୀ କରୁ ନାହାନ୍ତି ବୋଲି ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି।

ବିଚାରପତି ବ୍ରିଟିଶ ଶାସନ କାଳରେ ଦେଶଦ୍ରୋହର ଅର୍ଥ ବୁଝାଇବାକୁ ଯାଇ କହିଛନ୍ତି, ଔପନିବେଶିକ ଶାସନ କାଳରେ ଏଭଳି ମାମଲା ଓ ଏଥି ଆଧାରିତ ଦଣ୍ଡବିଧାନ ବର୍ତ୍ତମାନଠାରୁ ଯଥେଷ୍ଟ କମ୍ ଥିଲା। ଏବେ ଏହାର ଯଥେଷ୍ଟ ଦୁରୁପଯୋଗ ହେଉଥିବା ଲକ୍ଷ୍ୟ କରାଯାଉଛି। ବଢ଼େଇକୁ କୌଣସି ସାମଗ୍ରୀ ନିର୍ମାଣ ପାଇଁ କାଠ କାଟିବା ଦାୟିତ୍ବ ଦେଲେ ସେ ଯେମିତି ଗଛ କାଟୁକାଟୁ ଜଙ୍ଗଲ କାଟିଦେବାର ଆଶଙ୍କା ଥାଏ; ଏବେ ଦେଶଦ୍ରୋହ ଆଇନର ଠିକ୍‌ ସେମିତି ବ୍ୟବହାର ହେଉଛି ବୋଲି ପ୍ରଧାନ ବିଚାରପତି ଦୃଷ୍ଟାନ୍ତ ରଖିଛନ୍ତି।

ଅବସରପ୍ରାପ୍ତ ସେନାଧିକାରୀ ମେଜର ଜେନେରାଲ ଏସ୍‌.ଜି ବମ୍ବାଟକେରେଙ୍କ ପକ୍ଷରୁ ଜୁନ୍‌ ୨୪ରେ ଆଗତ ମାମଲା ଉପରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ପୀଠ ଶୁଣାଣି କରୁଛନ୍ତି। ଏହି ପୀଠରେ ବିଚାରପତି ଏ.ଏସ୍‌ ବୋପାନ୍ନା ଓ ବିଚାରପତି ହୃଷୀକେଶ ରାୟ ଅଛନ୍ତି। ଆବେଦନକାରୀ ଧାରା ୧୨୪(କ)ର ବୈଧତା ନେଇ ପ୍ରଶ୍ନ ଉଠାଇବା ସହ ଏହାକୁ ଏକ ‘ଫାଲ୍‌ତୁ’ ଆଇନ ଏବଂ ଏହାଦ୍ବାରା ଅଭିବ୍ୟକ୍ତିର ସ୍ବାଧୀନତା ତଥା ମୁକ୍ତ ବକ୍ତବ୍ୟ ଉପରେ କୁପ୍ରଭାବ ପଡ଼ୁଥିବା ଦର୍ଶାଇଛନ୍ତି। ନାଗରିକଙ୍କ ବକ୍ତବ୍ୟକୁ ଅଯଥାରେ ଆପରାଧିକ ଦୃଷ୍ଟିକୋଣରୁ ବିଚାର କରାଯାଉଛି। ଏହା ନାଗରିକଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି। ସୂଚନାଯୋଗ୍ୟ ଯେ ବୁଧବାର ଏହି ମାମଲାର ଶୁଣାଣିବେଳେ ପୀଠ ବମ୍ବାଟକେରେଙ୍କୁ ଆବେଦନର ଏକ ନକଲ ଆଟର୍ଣ୍ଣି ଜେନେରାଲଙ୍କୁ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହି ମାମଲାର ଶୁଣାଣିବେଳେ ସୂଚନା-ପ୍ରଯୁକ୍ତି (ଆଇଟି) ଆଇନର ଧାରା ୬୬(କ) ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ। ୨୦୧୫ରୁ ଉଚ୍ଛେଦ ହୋଇସାରିଥିବା ଏହି ଆଇନ ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି କହିଥିଲେ।

Comments are closed.