ଇଲେକ୍ଟ୍ରୋନିକ ତଥ୍ୟ ଉପସ୍ଥାପନ ପାଇଁ ପ୍ରମାଣପତ୍ର ଜରୁରୀ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅଦାଲତରେ ଇଲେକ୍ଟ୍ରୋନିକ (ବୈଦ୍ୟୁତିକ) ତଥ୍ୟ ବା ପ୍ରମାଣ ଉପସ୍ଥାପନ କରିବା ସମୟରେ ଏଥିଲାଗି ଆବଶ୍ୟକ ପ୍ରମାଣପତ୍ର ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଇଲେକ୍ଟ୍ରୋନିକ ତଥ୍ୟ ଓ ପ୍ରମାଣ ଭାବେ ଡିସ୍କ, ପେନ ଡ୍ରାଇଭ, ଲାପ୍‍ଟପ, ମୋବାଇଲ ଫୋନ ଆଦି ମୂଳ ଉପକରଣକୁ ଅଦାଲତରେ ଉପସ୍ଥାପନ କରିବା ସମୟରେ ପ୍ରମାଣପତ୍ରର ଆବଶ୍ୟକତା ନାହିଁ। ଇଣ୍ଡିଆନ ଇଭିଡେନ୍ସ ଆକ୍ଟର ଧାରା ୬୫କୁ ସ୍ପଷ୍ଟ କରିବାକୁ ଯାଇ ସୁପ୍ରିମକୋର୍ଟ ବିଚାରପତି ଆରଏଫ ନରିମାନଙ୍କ ନେତୃତ୍ୱ ତିନି ଜଣିଆ ବିଚାରପତି ପୀଠ କହିଛନ୍ତି ପ୍ରତ୍ୟେକଟି ଇଲେକ୍ଟ୍ରୋନିକ୍ସ ପ୍ରମାଣ ଉପସ୍ଥାପନ ସମୟରେ ପ୍ରମାଣପତ୍ରର ଜରୁରୀ ନୁହେଁ। ଜଣେ ବ୍ୟକ୍ତି ଯଦି କାଠଗଡାରେ ଠିଆ ହୋଇ ଉପରୋକ୍ତ ଇଲେକ୍ଟ୍ରୋନିକ ଉପକରଣକୁ ପ୍ରମାଣ ଭାବେ ଉପସ୍ଥାପନ କରେ ଏଥିପାଇଁ ତାଙ୍କୁ ଧାରା ୬୫ଖ(୪) ଅନୁଯାୟୀ ପ୍ରମାଣପତ୍ର ଦେବା ଦରକାର ବାଧ୍ୟତାମୂଳକ ନୁହେଁ। କାରଣ ଏହି ଇଲେକ୍ଟ୍ରୋନିକ ଉପକରଣର ବାସ୍ତବତାକୁ ପ୍ରମାଣ କରାଯାଇପାରିବ। ଯଦି କୌଣସି ଇଲେକ୍ଟ୍ରୋନିକ ପ୍ରମାଣ ନେଟୱର୍କ କିମ୍ବା ସର୍ଭରରେ ଗଚ୍ଛିତ ରହିଥାଏ ଏଥିପାଇଁ ପ୍ରମାଣପତ୍ର ଉପସ୍ଥାପନ ଜରୁରୀ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଫୌଜଦାରୀ ମାମଲାର ତଦନ୍ତ ପାଇଁ ଇଲେକ୍ଟ୍ରୋନିକ ତଥ୍ୟ ପ୍ରମାଣକୁ ଅଧିକ ଗୁରୁତ୍ୱ ଦିଆଯିବା ଦରକାର। ଏଥିପାଇଁ ସୂଚନା ପ୍ରଯୁକ୍ତି ଆଇନରେ ଆବଶ୍ୟକ ନିୟମ ପ୍ରଣୟନ ହେବା ଉଚିତ୍‍। ଜୁଲାଇ ୨୦୧୯ରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠଙ୍କ ସୂଚନା ଆଧାରରେ ତିନିଜଣିଆ ବିଚାରପତି ପୀଠ ଏହା କହିଛନ୍ତି। ୨୦୧୭ରେ ସାଫି ମହମ୍ମଦ ଓ ହିମାଚଳ ପ୍ରଦେଶ ସରକାରଙ୍କ ମଧ୍ୟରେ ହୋଇଥିବା ଏକ ମାମଲା ଏବଂ ୨୦୧୨ରେ ଅନବାର ପିଭି ଓ ପିକେ ବାସିରଙ୍କ ମଧ୍ୟରେ ହୋଇଥିବା ମାମଲାକୁ ନେଇ ଇଲେକ୍ଟ୍ରୋନିକ ପ୍ରମାଣ ଉପସ୍ଥାପନ ସମୟରେ ପ୍ରମାଣପତ୍ର ଜରୁରୀ କି ନାହିଁ ତା’ ଉପରେ ସୁପ୍ରିମକୋର୍ଟଙ୍କ ବୃହତ୍ତର ପୀଠଙ୍କ ମତାମତ ଲୋଡା ଯାଇଥିଲା। ଇଣ୍ଡିଆନ ଇଭିଡେନ୍ସ ଆକ୍ଟର ଧାରା ୬୫ଖ(୪) ଅନୁଯାୟୀ ଅଦାଲତରେ କୌଣସି ଇଲେକ୍ଟ୍ରୋନିକ ତଥ୍ୟ ଓ ପ୍ରମାଣ ଉପସ୍ଥାପନ ସମୟରେ ଏକ ପ୍ରମାଣପତ୍ର ଜରୁରୀ। ୨୦୧୭ରେ ନିମ୍ନ ଅଦାଲତ ଏହି ପ୍ରମାଣପତ୍ର ଅଭାବରୁ ଇଲେକ୍ଟ୍ରୋନିକ ତଥ୍ୟ ଓ ପ୍ରମାଣକୁ ଅଗ୍ରାହ୍ୟ କରିଦେଇଥିଲେ। ଏବେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ଇଲେକ୍ଟ୍ରୋନିକ ତଥ୍ୟ ପ୍ରମାଣ ପାଇଁ ପ୍ରମାଣପତ୍ର ଜରୁରୀ ନୁହେଁ।

Comments are closed.