ଗୋଷ୍ଠୀ ଭୋଜନ ବ୍ୟବସ୍ଥା ନେଇ ସୁପ୍ରିମକୋର୍ଟଙ୍କ ନୋଟିସର ଜବାବ ଦେବାରେ ବିଫଳ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୫ଲକ୍ଷ ଜୋରିମାନା

ନୂଆଦିଲ୍ଲୀ :ବାରମ୍ବାର ନିର୍ଦେଶ ସତ୍ତ୍ବେ ଆବଶ୍ୟକ ସତ୍ୟପାଠ ଦାଖଲରେ ବିଫଳତା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଉପରେ ୫ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଧାର୍ଯ୍ୟ କରିଛନ୍ତି। ସର୍ବସାଧାରଣରେ ଗୋଷ୍ଠୀ ଭୋଜନ (ରିଆତି ଦରରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ) ବ୍ୟବସ୍ଥା କରିବା ନେଇ ଦାୟର ଏକ ଜନସ୍ବାର୍ଥ ମାମଲା ଆଧାରରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଠାରୁ ସତ୍ୟପାଠ ଲୋଡିଥିଲେ। ସତ୍ୟପାଠ ଦାଖଲ ନେଇ ସୁପ୍ରିମକୋର୍ଟ ସରକାରଗୁଡିକୁ ବାରମ୍ବାର ନିର୍ଦେଶନାମା ଜାରି କରିବା ସତ୍ତ୍ବେ ଏଥିପ୍ରତି ଧ୍ୟାନ ଦେଇ ନଥିଲେ। ଫଳରେ ସୁପ୍ରିମକୋର୍ଟ ବିଚାରପତି ଏନଭି ରମଣା, ଅଜୟ ରସ୍ତୋଗି ଓ ଭି ରାମସୁବ୍ରମଣ୍ୟମ୍ ସୋମବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ହେବା ସହ ୫ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି।

ତେବେ ଯେଉଁସବୁ ସରକାର ୨୪ଘଣ୍ଟା ମଧ୍ୟରେ ସେମାନଙ୍କ ସତ୍ୟପାଠ ଦାଖଲ କରିବେ ସେମାନଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡିବ। ଅନ୍ୟଥା ୫ଲକ୍ଷ ଜୋରିମାନା ଦେବାକୁ ହେବ। ସୁପ୍ରିମକୋର୍ଟଙ୍କ ଏହି ଜୋରିମାନା ଦଣ୍ଡରୁ ପଞ୍ଜାବ, ନାଗାଲାଣ୍ଡ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଝାଡଖଣ୍ଡ ଓ ଆଣ୍ଡାମାନ ନିକୋବର ସରକାର ବର୍ତ୍ତି ଯାଇଛନ୍ତି। କାରଣ ଏହି ସବୁ ସରକାର ସେମାନଙ୍କର ଜବାବ ଯଥା ସମୟରେ ଦାଖଲ କରିଛନ୍ତି। ସାମାଜିକ କର୍ମୀ ଅରୁଣ ଧାୱନଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ଆବେଦନକାରୀଙ୍କ ଓକିଲ ଅସୀମା ମାଣ୍ଡଲା କହିଥିଲେ ଯେ ସତ୍ୟପାଠ ଦାଖଲ ପାଇଁ ନିର୍ଦେଶ ଦିଆଯିବାର ୫ମାସ ବିତି ଯାଇଥିବାବେଳେ ମାତ୍ର ୫ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ସରକାର ନିଜର ଜବାବ ଦାଖଲ କରିଛନ୍ତି। ଓକିଲ ମାଣ୍ଡଲା କହିଥିଲେ ଯେ ଅପପୁଷ୍ଟି ଓ ଖାଦ୍ୟ ଅଭାବ କାରଣରୁ ୫ବର୍ଷର କମ୍ ବୟସର ୬୯% ପିଲାଙ୍କର ମୃତ୍ୟୁ ହେଉଛି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ସର୍ବସାଧାରଣଙ୍କ ପାଇଁ ଗୋଷ୍ଠୀ ଭୋଜନ ବ୍ୟବସ୍ଥା କରିବା ଦରକାର। କେନ୍ଦ୍ର ସରକାରଙ୍କ ପକ୍ଷ ରଖି ଅତିରିକ୍ତ ସଲିସିଟର ଜେନେରାଲ ମାଧବୀ ଦିବାନ କହିଥିଲେ ଯେ ସତ୍ୟପାଠ ଦାଖଲ ପାଇଁ ସରକାର ଅଧିକ ସମୟ ଲୋଡିଥିଲେ। ତେଣୁ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶର କୌଣସି ପ୍ରକାର ଅବମାନନା କରିନାହାନ୍ତି। ଦେଶରୁ କ୍ଷୁଧା ଦୂର ଓ ଅନାହାର ଜନିତ ମୃତ୍ୟୁ ରୋକିବା ପାଇଁ ଗୋଷ୍ଠୀ ଭୋଜନ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ ଅକ୍ଟୋବର ୧୮ ତାରିଖ ଶୁଣାଣି ବେଳେ କହିଥିଲେ। ତେଣୁ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଗୁଡିକ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଦରକାର।

ଏପରି ଗୋଷ୍ଠୀ ଭୋଜନ ବ୍ୟବସ୍ଥା ସମ୍ପର୍କରେ ସୁପ୍ରିମକୋର୍ଟ ସମସ୍ତ ସରକାରଙ୍କ ଠାରୁ ଜବାବ ଲୋଡିଥିଲେ। ମାତ୍ର ଏହା ଉପରେ ଜବାବ ଦେବାରେ କେନ୍ଦ୍ର ସମେତ ଅଧିକାଂଶ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ବିଫଳ ହୋଇଛନ୍ତି। ଯାହା ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇ ଉକ୍ତ ଜୋରିମାନା ଦଣ୍ଡାଦେଶ ଧାର୍ଯ୍ୟ କରିଛନ୍ତି। ଫେବୃଆରୀ ୧୭ରେ ଏହି ପ୍ରସଙ୍ଗରେ ପରିବର୍ତ୍ତୀ ଶୁଣାଣି କରାଯିବ। ସେସମୟ ସୁଦ୍ଧା ଯେକୌଣସି ପ୍ରକାର ଜବାବ ଦାଖଲ କରିବାକୁ ସରକାରଗୁଡିକୁ କୁହାଯାଇଛି। ଆବେଦନକାରୀମାନେ ସେମାନଙ୍କ ଆବେଦନରେ ଦେଶରୁ କ୍ଷୁଧା ଜନିତ ମୃତ୍ୟୁ ରୋକିବା ଲାଗି ଗୋଷ୍ଠୀ ଭୋଜନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଛନ୍ତି। କ୍ଷୁଧା ଜନିତ ମୃତ୍ୟୁ ରୋକିବା ଲାଗି ନ୍ୟାସନାଲ ଲିଗାଲ ସର୍ଭିସ ଅଥରିଟି (ଏନଏଲଏସଏ) ଗଠନ ଲାଗି ପ୍ରସ୍ତାବ ଦେଇଛନ୍ତି। ଆବେଦନରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ଓଡିଶା, ଝାଡଖଣ୍ଡ ଓ ଦିଲ୍ଲୀ ଭଳି ରାଜ୍ୟରେ ଚାଲୁଥିବା ଗୋଷ୍ଠ ଭୋଜନ ବ୍ୟବସ୍ଥା (ଆହାର କେନ୍ଦ୍ର)କୁ ପ୍ରଶଂସା କରାଯାଇଛି। ସେହିପରି ସାଧାରଣ ବଣ୍ଟନ ବ୍ୟବସ୍ଥାରୁ ବଞ୍ଚିତ ଜନସାଧାରଣଙ୍କ ପାଇଁ ଫୁଡ ଗ୍ରିଡ ଗଠନ ଲାଗି ଆବେଦନରେ ଉଲ୍ଲେଖ କରାଯାଇଛି।

Comments are closed.