ସିବିଆଇ ସଙ୍କଟ : କେନ୍ଦ୍ରର ତରବରିଆ କାର୍ଯ୍ୟାନୁଷ୍ଠାନର ଭତ୍ସନା କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇବା ନେଇ କେନ୍ଦ୍ର ସରକାର ଯେତେ ସଫେଇ ଦେଲେ ମଧ୍ୟ ସିବିଆଇ ସଙ୍କଟ ପରିପ୍ରେକ୍ଷୀରେ ତରବରିଆ ପଦକ୍ଷେପ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ସମାଲୋଚିତ ହୋଇଛନ୍ତି। ଏହି ମାମଲାରେ କେନ୍ଦ୍ରୀୟ ଭିଜିଲାନ୍ସ କମିସନ (ସିଭିସି), ବର୍ମା ଏବଂ କେନ୍ଦ୍ର ସରକାରଙ୍କ ଯୁକ୍ତି ଶୁଣିବା ପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ପୀଠ ଗୁରୁବାର ନାନା ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ସରକାରଙ୍କୁ ଏଭଳି ତରବରିଆ କାର୍ଯ୍ୟାନୁଷ୍ଠାନ ପାଇଁ ଭତ୍ସନା କରି ପୀଠ କହିଛନ୍ତି, ବର୍ମାଙ୍କୁ ଛୁଟିରେ ପଠାଯିବା ପୂର୍ବରୁ ନିୟମ ମୁତାବକ କାହିଁକି ନିଯୁକ୍ତି କମିଟି ସହିତ ଯୋଗାଯୋଗ କରାଯାଇ ନ ଥିଲା। ପ୍ରଶାସନ ପାଇଁ ସର୍ବୋତ୍ତମ ପଦକ୍ଷେପ ଗ୍ରହଣ କରିବା ହିଁ ପ୍ରତ୍ୟେକ ସରକାରଙ୍କ କର୍ତ୍ତବ୍ୟ; କିନ୍ତୁ ସିବିଆଇ ପ୍ରସଙ୍ଗରେ କାହିଁକି ନିରପେକ୍ଷତା ଅବଲମ୍ବନ କରାଗଲା ନାହିଁ ବୋଲି ପୀଠ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ଏବଂ ସିଭିସି ଯଦି ଜୁଲାଇ ମାସରୁ ଏହି ବିବାଦକୁ ସଜ୍ୟ କରୁଥିଲେ ତା’ହେଲେ ଏ ସମ୍ବନ୍ଧରେ କାହିଁକି ନିଯୁକ୍ତି କମିଟି ସହିତ ପରାମର୍ଶ କଲେ ନାହିଁ। ବର୍ମାଙ୍କୁ ଦାୟିତ୍ୱରହିତ କରିବାର ନିଷ୍ପତ୍ତି ରାତିଅଧିଆ ନୁହେଁ; ବରଂ ଅକ୍ଟୋବରରୁ ନିଆଯାଇଥିଲା ବୋଲି ପୀଠ ସନ୍ଦେହ ବ୍ୟକ୍ତ କରିଛନ୍ତି। ସେହିଭଳି କେନ୍ଦ୍ର ସରକାର ସିବିଆଇ ନିର୍ଦେଶକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦେଶକ ରାଜେଶ ଆସ୍ଥାନାଙ୍କୁ କେବଳ ଛୁଟିରେ ପଠାଯାଇଛି, ସେମାନଙ୍କୁ ବଦଳି କରାଯାଇ ନାହିଁ ବୋଲି ଯେଉଁ ଯୁକ୍ତି ଦର୍ଶାଇଥିଲେ ତାହାର ଉତ୍ତରରେ ପ୍ରଧାନ ବିଚାରପତି ଗୋଗଇ କହିଛନ୍ତି ଯେ ବଦଳିକୁ କେବଳ ସାଧାରଣ ଅର୍ଥରେ ବୁଝିବା ଉଚିତ ନୁହେଁ। ଏହି ପରିପ୍ରେକ୍ଷୀରେ ବର୍ମାଭ୍‍କ ଆବେଦନ ଉପରେ ପୀଠ ରାୟକୁ ସଂରକ୍ଷିତ ରଖିଛନ୍ତି।
ଅନ୍ୟପଟେ ସିବିଆଇର ଅନ୍ତରୀଣ ନିର୍ଦେଶକ ଭାବେ ଏମ୍‍. ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ବିରୋଧ କରି ବର୍ମା କୋର୍ଟରେ ଯୁକ୍ତି ବାଢିଛନ୍ତି ଯେ ଯେମିତି ସୁପ୍ରିମକୋର୍ଟରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ନିଯୁକ୍ତ କରାଯାଇପାରିବ ନାହିଁ; ଠିକ୍‍ ସେମିତି ସିବିଆଇରେ ମଧ୍ୟ କାହାରିକୁ କାର୍ଯ୍ୟକାରୀ ନିର୍ଦେଶକ ନିଯୁକ୍ତ କରାଯାଇପାରିବ ନାହିଁ। କାର୍ଯ୍ୟକାରୀ ସିବିଆଇ ନିର୍ଦେଶକ ନିଯୁକ୍ତି ନେଇ ଆଇନରେ କୌଣସି ବ୍ୟବସ୍ଥା ନାହିଁ ବୋଲି ବର୍ମାଙ୍କ ଓକିଲ ଫଲି ଏସ୍‍ ନରିମାନ ଦର୍ଶାଇଛନ୍ତି। ଏଥିସହ କେନ୍ଦ୍ର ସରକାର ତାଙ୍କ କ୍ଷମତା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଯୁକ୍ତିକୁ ମଧ୍ୟ ସେ ବିରୋଧ କରିଛନ୍ତି। ବର୍ମାଙ୍କଠାରୁ ସମସ୍ତ ଦାୟିତ୍ୱ କାଢି ନିଆଯିବା ଅର୍ଥ ତାଙ୍କୁ ବଦଳି କରାଯିବା ସହିତ ସମାନ; କାରଣ କୌଣସି ଅଧିକାରୀଙ୍କୁ ବଦଳି କରାଗଲେ କେବଳ ନିଯୁକ୍ତିସ୍ଥଳ ପରିବର୍ତ୍ତନ ହୁଏ ନାହିଁ; ବରଂ ତାଙ୍କ କାର୍ଯ୍ୟ ମଧ୍ୟ ବଦଳିଯାଏ। କେବଳ ଭିଜିଟିଂ କାର୍ଡରେ ଉଲ୍ଲେଖ କରିବା ଲାଗି କାହାରିକୁ ସିବିଆଇ ନିର୍ଦେଶକ ନିଯୁକ୍ତ କରାଯାଇ ନ ଥାଏ। ପ୍ରଥମେ ଦୀର୍ଘ ଦିନ ଛୁଟିରେ ପଠାଇ ପରେ ସେ ଏବେ ବି ନିର୍ଦେଶକ ଅଛନ୍ତି ବୋଲି ଦର୍ଶାଇବା ଯଥାର୍ଥ ନୁହେଁ ବୋଲି ନରିମାନ ଯୁକ୍ତି ବାଢିଛନ୍ତି।
ମାଂସ ବ୍ୟବସାୟୀ ମୋଇମ୍‍ କୁରେଶୀଙ୍କ ମାମଲାରେ ଆଶ୍ୱସ୍ତି ପ୍ରଦାନ ଲାଗି ସିବିଆଇ ଅଧିକାରୀ ତାଙ୍କଠାରୁ ଲାଞ୍ଚ ନେଇଥିବା ହାଇଦରାବାଦ ବ୍ୟବସାୟୀ ସାନା ସତୀଶ ଅଭିଯୋଗ ଦର୍ଶାଇବା ପରେ ସିବିଆଇ ସଙ୍କଟ ଘନିଭୂତ ହୋଇଥିଲା। ଏ ନେଇ ବର୍ମା ଆସ୍ଥାନାଙ୍କ ବିରୋଧରେ ଏଫ୍‍ଆଇଆର୍‍ ରୁଜୁ କରିଥିଲେ। ଏଥିରେ ଉତ୍‍କ୍ଷିପ୍ତ ହୋଇ ଆସ୍ଥାନା ବର୍ମାଙ୍କ ବିରୋଧରେ ପାଲଟା ଦୁର୍ନୀତି ଅଭିଯୋଗ କରିଥିଲେ। ଉଭୟ ଅଧିକାରୀଙ୍କ ମଧ୍ୟରେ ତିକ୍ତତା ତୀବ୍ରତ୍ତର ହେବା କାରଣରୁ ସଂସ୍ଥାର ଏକତା ଏବଂ ବିଶ୍ୱାସନୀୟତା ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏଣୁ କେନ୍ଦ୍ର ସରକାର ନିଜଆଡୁ ଏହି ମାମଲାରେ ହସ୍ତକ୍ଷେପ ପୂର୍ବକ ବର୍ମା ଏବଂ ଆସ୍ଥାନାଙ୍କୁ ରାତିଅଧିଆ ଦୀର୍ଘ ଦିନ ପର୍ଯ୍ୟନ୍ତ ଛୁଟିରେ ପଠାଇଦେଇଥିଲେ। ମାତ୍ର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଉଭୟ ଅଧିକାରୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Leave A Reply