ଆଇନ ବିରୋଧରେ ଆନ୍ଦୋଳନ କରିବା ମୌଳିକ ଅଧିକାର, କିନ୍ତୁ ଏଥିରେ କାହାକୁ ସମସ୍ୟା ନ ହେବା ଦରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇନ ବିରୋଧରେ ଆନ୍ଦୋଳନ କରିବା ଠିକ୍‌। ଏହା ପ୍ରତି ଭାରତୀୟଙ୍କର ମୌଳିକ ଅଧିକାର। କିନ୍ତୁ ଏହି ଆନ୍ଦୋଳନ ଅନ୍ୟମାନଙ୍କ ପ୍ରତି ସମସ୍ୟା ସୃଷ୍ଟି ନ କରିବା ଦରକାର ବୋଲି କହିଛନ୍ତି ସୁପ୍ରିମକୋର୍ଟ। ୩ କୃଷି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ରୁଜୁ ହୋଇଥିବା ପିଟିଶନ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିବା ସମୟରେ ଏହା କହିଛନ୍ତି।

Image Courtesy: Amar ujala

ପ୍ରଧାନ ବିଚାରପତି ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଖଣ୍ଡପୀଠ ବର୍ତ୍ତମାନ ଆଇନର ବୈଧତା ସ୍ଥିର କରିବେ ନାହିଁ। କୃଷକମାନଙ୍କର ବିରୋଧ କରିବାର ଅଧିକାର ରହିଛି। ଆମେ ଏଥିରେ ହସ୍ତକ୍ଷେପ କରିବୁ ନାହିଁ। କିନ୍ତୁ ବିରୋଧର ଉପାୟ ଏପରି ହୋଇଛି, ଯାହା ଉପରେ ଆମେ ଦୃଷ୍ଟି ନିଶ୍ଚୟ ଦେବୁ। ଏମିତି କୌଣସି ସହରକୁ ଅବରୋଧ କରାଯାଇ ପାରିବ ନାହିଁ। ଆଇନର ସାମ୍ବିଧାନିକ ବୈଧତା ବିଷୟରେ ଆଲୋଚନା କରିବାକୁ ସମୟ ଅଛି। କିନ୍ତୁ ଆଜି ଆମେ ପ୍ରଥମେ କୃଷକଙ୍କ ବିରୋଧ ଏବଂ ନାଗରିକଙ୍କ ମୌଳିକ ଅଧିକାର ବିଷୟରେ ନିଷ୍ପତ୍ତି ନେବୁ।

Image Courtesy: PTI

ପ୍ରଧାନ ବିଚାରପତି କହିଥିଲେ, ଆମେ ଆଇନକୁ ବିରୋଧ କରିବାର ମୌଳିକ ଅଧିକାରକୁ ସ୍ବୀକୃତି ଦେଉଛୁ ଏବଂ ଏହାକୁ ରୋକିବାର କୌଣସି ପ୍ରଶ୍ନ ଉଠୁନାହିଁ। କେବଳ ଗୋଟିଏ କଥା ଉପରେ ଆମେ ଗୁରୁତ୍ଵ ଦେଉଛୁ ଯେ, ଏହି ଆନ୍ଦୋଳନ ଯୋଗୁ କାହାର ଜୀବନକୁ କୌଣସି କ୍ଷତି ନ ହେଉ। ବିରୋଧ କରିବା ଠିକ୍‌, କିନ୍ତୁ ତାହା ଅହିଂସା ମାର୍ଗରେ ହେବା ଦରକାର। ଆମେ କେନ୍ଦ୍ର ସରକାରଙ୍କୁ ପଚାରିବୁ ଯେ, ବିରୋଧ କରିବାର ଉପାୟ କ’ଣ ରହିଛି ? ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ କହିବୁ। ଯାହାଫଳରେ ଏହି ଆନ୍ଦୋଳନ ନାଗରିକମାନଙ୍କ ଅଧିକାରକୁ ଯେପରି ପ୍ରଭାବିତ ନ କରିବ। କୃଷକଙ୍କ ପ୍ରତି ଆମର ସହାନୁଭୂତି ରହିଛି, କିନ୍ତୁ ସେମାନେ ନିଜର ବିରୋଧ କରିବାର ଉପାୟ ଟିକେ ବଦଳାନ୍ତୁ।

ସିଜେଆଇ ଆହୁରି କହିଥିଲେ, ଗୋଟିଏ ଆନ୍ଦୋଳନ ସେ ପର୍ଯ୍ୟନ୍ତ ସାମ୍ବିଧାନିକ ଅଟେ, ଯେପର୍ଯ୍ୟନ୍ତ ତାହା ସମ୍ପତ୍ତି ତଥା ଜୀବନକୁ ବିପଦରେ ନ ପକାଇଛି। କେନ୍ଦ୍ର ସରକାର ଏବଂ କୃଷକମାନଙ୍କ ସହିତ ଆଲୋଚନା କରିବାକୁ ହେବ। ଆମେ ଏକ ନିରପେକ୍ଷ ଏବଂ ସ୍ବତନ୍ତ୍ର କମିଟି ବିଷୟରେ ଚିନ୍ତା କରୁଛୁ, ଯାହା ନିକଟରେ ଦୁଇ ପକ୍ଷ ହାଜର ହୋଇ ନିଜର ମତ ରଖିପାରିବେ। କମିଟି ଏହି ସମସ୍ୟାର ସମାଧାନ ପାଇଁ ରାସ୍ତା ବତାଇବ, ଯାହାକୁ ପାଳନ କରାଯିବା ଦରକାର। ଏହା ମଧ୍ୟରେ ବିରୋଧ ଜାରି ରହିପାରିବ।

ସ୍ବତନ୍ତ କମିଟିରେ ପି. ସାଇନାଥ, ଭାରତୀୟ କୃଷକ ସଂଘ ଏବଂ ଅନ୍ୟ ସଦସ୍ୟ ରହିପାରିବେ। ଆପଣମାନେ (କୃଷକ) ହିଂସାକୁ ଉସୁକାଇପାରିବେ ନାହିଁ ଏବଂ ଏପରି ଏକ ସହରକୁ ଅବରୋଧ କରିପାରିବେ ନାହିଁ। ଦିଲ୍ଲୀକୁ ଅବରୋଧ କରିବା ଫଳରେ ସହରବାସୀ ଭୋକରେ ରହିପାରନ୍ତି। ଆପଣଙ୍କ ଉଦ୍ଦେଶ୍ୟ ପୂରଣ ପାଇଁ ଆଲୋଚନା କରାଯାଇ ପାରିବ, କିନ୍ତୁ ଧାରଣାରେ ବସିବା ଦ୍ବାରା ଏହାର ସମାଧାନ ହୋଇପାରିବ ନାହିଁ।

Image Courtesy: Amar ujala

ଶୁଣାଣି ସମୟରେ ଆଟର୍ନି ଜେନେରାଲ, କେ. କେ. ବେଣୁଗୋପାଳ କହିଥିଲେ, ଆନ୍ଦୋଳନକାରୀଙ୍କ ମଧ୍ୟରେ​‌ କେହି ମାସ୍କ ପିନ୍ଧି ନାହାନ୍ତି। ବଡ଼ ସଂଖ୍ୟାରେ ସେମାନେ ଏକାଠି ବସିଛନ୍ତି। କୋଭିଡ-୧୯ ଚିନ୍ତାର ବିଷୟ ପାଲଟିଛି। ସେମାନେ ଗାଁକୁ ଫେରିବା ପରେ ସେଠାରେ ଭୂତାଣୁ ବ୍ୟାପିବା ଆଶଙ୍କା ରହିଛି। କୃଷକମାନେ ଅନ୍ୟମାନଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରିପାରିବେ ନାହିଁ ବୋଲି ସେ କହିଥିଲେ।

ପଞ୍ଜାବ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ଵ କରୁଥିବା ବରିଷ୍ଠ ଆଡ୍‌ଭୋକେଟ ପି. ଚିଦାମ୍ବରମ କହିଥିଲେ, ଅନେକ କୃଷକ ପଞ୍ଜାବରୁ ଆସିଛନ୍ତି। କମିଟି ଗଠନ ନେଇ କୋର୍ଟଙ୍କ ପରାମର୍ଶରେ ରାଜ୍ୟ ସରକାରଙ୍କୁ କୌଣସି ଆପତ୍ତି ନାହିଁ। ତେବେ କମିଟିରେ କିଏ ରହିବେ ତାହା କୃଷକ ଏବଂ କେନ୍ଦ୍ର ସରକାରଙ୍କୁ ସ୍ଥିର କରିବାକୁ ପଡ଼ିବ।

ଏହା ଉପରେ ସିଜେଆଇ କହିଥିଲେ, ଆମେ ବି ଭାରତୀୟ। କୃଷକଙ୍କ ଦୁର୍ଦ୍ଦଶା ସହିତ ଆମେ ପରିଚିତ ଏବଂ ଆମର ସେମାନଙ୍କ ପ୍ରତି ସହାନୁଭୂତି ରହିଛି। ଆମେ ନିଶ୍ଚିତ କରୁଛୁ ଯେ, ଆପଣମାନେ ସମସ୍ୟା ତୁଟାନ୍ତୁ, ଆମେ କମିଟି ଗଠନ ବିଷୟରେ ଚିନ୍ତା କରୁଛୁ।

Comments
Loading...