ମାତିଛି ଯୋଗାଣ ବିଭାଗ ସ୍କ୍ୱାଡ଼୍‍, ଚଢାଉ ଭୟରେ ଆଗତୁରା ମଣ୍ଡିରୁ ଧାନ ନେଇ ଦଲାଲ୍ ଫେରାର୍ 

ନର୍ଲା: ଗତକାଲି ସେରଗଡ ଧାନ ମଣ୍ଡିରୁ ଯୋଗାଣ ବିଭାଗ ୧୦୯ ପ୍ୟାକେଟ ଧାନର ଦାବୀଦାର କେହି ନଥିବା ଜାଣି ନର୍ଲା ଯୋଗାଣ ନିରୀକ୍ଷକ ସନ୍ତୋଷ କୁମାର ପ୍ରଧାନ ଉକ୍ତ ଧାନକୁ ତୁଳାପଡା ପ୍ରାଥମିକ କୃଷି ସେବା ସମବାୟ ସମିତିର ସହ ସଂପାଦକଙ୍କଠାରୁ ଜବତ କରିଥିଲେ। ଏହାକୁ ୨୪ ଘଣ୍ଟା ନ ପୁରୁଣୁ ଦଲାଲମାନେ ମଣ୍ଡିରେ ବିକ୍ରି ପାଇଁ ପକେଇଥିବା ନିଜ ଧାନ ପ୍ୟାକେଟ ନେଇ ଚମ୍ପଟ ମାରିବା ଘଟଣା ଲୋକଲୋଚନକୁ ଆସିଛି।

ସୂଚନାନୁଯାୟୀ, ଶାନ୍ତପୁର ଉପମଣ୍ଡି ଉଲିକୂପାକୁ ଗତକାଲି ସଂଧ୍ୟାରେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ସ୍କ୍ୱାଡ଼୍‍ ଯାଇଥିଲେ। ସେଠାରେ ଶାନ୍ତପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ସହସମ୍ପାଦକ ସୁଶାନ୍ତ କୁମାର ବିଶିଙ୍କଠାରୁ ଜାଣିବାକୁ ପାଇଲେ ଯେ ୧୯ ଜଣ ଚାଷୀଙ୍କ ୨୬୩୪ ପ୍ୟାକେଟ ଧାନ ବିକ୍ରୟ ପାଇଁ ରହିଛି। ଏହାପରେ ତଦନ୍ତକାରୀ ଦଳ ଫେରି ଆସିଥିଲେ। ଆଜି ନର୍ଲା ଯୋଗାଣ ନିରୀକ୍ଷକ ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ବରେ ରାଜସ୍ବ ପର୍ୟ୍ୟବେକ୍ଷକ ରଞ୍ଜିତ କୁମାର ରାଉତ, ଅତିରିକ୍ତ ଯୋଗାଣ ଅଧିକାରୀ ଧୁମାରାମ ମୁର୍ମୁଙ୍କ ସମେତ ନର୍ଲା ପୁଲିସ ସଦଳବଳେ ଉଲିକୂପା ଧାନ ମଣ୍ଡିରେ ପହଞ୍ଚିଥିଲେ। ସେତେବେଳେ ଜଣାପଡିଲା ଯେ ୨୬୩୪ ପ୍ୟାକେଟ ବଦଳରେ ୧୪ ଜଣ ଚାଷୀଙ୍କ ୧୮୬୪ ବସ୍ତା ଧାନ ରହିଛି ବଳକା ୮୦୦ ପ୍ୟାକେଟ ଧାନ ମଣ୍ଡିରୁ ଗାଏବ୍ ହୋଇଛି। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ୫ ଜଣ ଦଲାଲ୍ ରାତାରାତି ନିଜର ୮୦୦ ପ୍ୟାକେଟ୍ ଧାନ ନେଇ ମଣ୍ଡିରୁ ଚମ୍ପଟ ମାରିଛନ୍ତି। ଏଠାରୁ ସ୍ପଷ୍ଟ ଅନୁମେୟ ମଣ୍ଡିରେ କିପରି ଚାଲିଛି ଦଲାଲ୍ ରାଜ୍। ଯୋଗାଣ ବିଭାଗର ଏତାଦୃଶ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

Comments are closed.