ବିଧାନସଭାରେ ଉପସ୍ଥାପିତ ହେଲା ୧୧,୨୦୦ କୋଟିର ଅତିରିକ୍ତ ବଜେଟ

ରାଜ୍ୟର ଋଣଭାର ୯୭୮୨୭ କୋଟି ଟଙ୍କା

ଆଜି ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ । ଏଥିରେ  ୨୨୭୩ କୋଟି ଟଙ୍କାର ପ୍ରଶାସନିକ ବ୍ୟୟ, ବିଭିନ୍ନ କାର୍ଯ୍ୟକ୍ରମ ଓ ବ୍ୟୟ ବାବଦରେ ୭୪୩୮କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୧୪୮୪ କୋଟି ଏବଂ ରାଜ୍ୟ ବଜେଟରୁ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ବାବଦକୁ ୫କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଚଳିତ ବର୍ଷ ୨୦୨୦ ଫେବ୍ରୁଆରୀ ମାସରେ ୧.୫ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଥିଲା ।

ବଜେଟ୍ ଉପସ୍ଥାପନ କରି   ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ବିଶ୍ୱ ମହାମାରୀ କରୋନା ଆମକୁ ପ୍ରଭାବିତ କରିବା ପୂର୍ବରୁ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ପ୍ରସ୍ତୁତ ହୋଇଥିଲା । ଅତିରିକ୍ତ ବଜେଟରେ ଏମ୍‍ଏସ୍‍ଏମ୍‍ଇ, କରୋନା ଯୋଦ୍ଧା ସ୍ୱତନ୍ତ୍ର ସହାୟତା, ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରୋତ୍ସାହନ, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ମିଶନ ଶକ୍ତି ହିତାଧିକାରୀ, କୃଷି କ୍ଷେତ୍ର ଇତ୍ୟାଦି ନିମିତ୍ତ ବିଭିନ୍ନ ପ୍ୟାକେଜ ଘୋଷଣା ଆଦି ରହିଛି । ଏହାବ୍ୟତୀତ କିଛି ବୃହତ୍‍ ପ୍ରକଳ୍ପଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଚିହ୍ନଟ କରାଯାଇଛି । ଏହିପରି ସମସ୍ତ ପ୍ରତିବଦ୍ଧତା ଏବଂ ଚାଲୁ ରହିଥିବା ଯୋଜନା ନିମନ୍ତେ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟ କର୍ମୀ ତଥା ଆଗଧାଡ଼ିର କୋଭିଡ୍‍ ଯୋଦ୍ଧାମାନଙ୍କ ପାଇଁ ଅଗ୍ରୀମ ଦରମା ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ ବାବଦକୁ ପର୍ଯ୍ୟାପ୍ତ ବ୍ୟୟବରାଦ କରାଯାଇଛି । ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ର, ଗ୍ରାମୀଣ ରୋଜଗାର ଏବଂ ଜୀବିକା, ଖାଦ୍ୟ ନିରାପତ୍ତା, ଶିକ୍ଷା କ୍ଷେତ୍ର, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ କ୍ଷେତ୍ର, ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ର, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ଭିତ୍ତିଭୂମି ବିକାଶ ଆଦି କ୍ଷେତ୍ରକୁ ପ୍ରାଥମିକତା ମିଳିଛି । ଏହାବ୍ୟତୀତ  କୋଭିଡ୍‍ ମୁକାବିଲା ପାଇଁ ଔଷଧପତ୍ର, ବିଭିନ୍ନ ଉପକରଣ, ପରିମଳ ଇତ୍ୟାଦି ନିମିତ୍ତ ସମସ୍ତ ଅର୍ଥ ବରାଦ କରାଯାଇଛି । ଏହି ଅବସରରେ ସେ ରାଜ୍ୟର ନିଜସ୍ବ ଆଦାୟ ୧.୭% ବୃଦ୍ଧି ପାଇଥିବା ସତ୍ବେ ମୋଟ ରାଜସ୍ବ ପ୍ରାପ୍ତ ୬.୫% ହ୍ରାସ ପାଇଥିବା ସୂଚନା ଦେଇଥିଲେ । ଏହାବ୍ୟତୀତ ରାଜ୍ୟର ଋଣଭାର ୯୭୮୨୭ କୋଟି ଟଙ୍କାରେ ପହଞ୍ଚିଥିବା ଓ ଜିଏସଡ଼ିପିର ଏହା ୧୬.୪% ହୋଇଥିବା ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ।

Comments are closed.