ହ୍ୱିଲର ଦ୍ବୀପରୁ ସୁପରସୋନିକ କ୍ଷେପଣାସ୍ତ୍ରବାହୀ ଟର୍ପେଡୋର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଓ ବିକାଶ ପରଷଦ (ଡିଆରଡିଓ) ଦ୍ୱାରା ବିକଶିତ ସୁପରସୋନିକ କ୍ଷେପଣାସ୍ତ୍ର ଦ୍ୱାରା ସଂଚାଳିତ ଟର୍ପେଡୋ ପ୍ରଣାଳୀକୁ ସୋମବାର  ଓଡିଶାର ହ୍ୱିଲର ଦ୍ବୀପରୁ ସଫଳତାର ସହ ପରୀକ୍ଷା କରାଯାଇଛି । ଏଥିରେ  ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଭିତିକ ଟର୍ପେଡୋ ସଞ୍ଚାଳନ ଅଭିଯାନରେ କ୍ଷେପଣାସ୍ତ୍ରର ସମ୍ପୂର୍ଣ୍ଣ ରେଞ୍ଜ ସାମର୍ଥ୍ୟ ମଧ୍ୟ ସଫଳତାର ସହ ପରକ୍ଷା କରାଯାଇଛି । ପାରମ୍ପରିକ ଟର୍ପେଡୋ ଦୂରତାଠାରୁ ଯଥେଷ୍ଟ ଅଧିକ, ଏହି ପଦ୍ଧତି ଅତ୍ୟାଧୁନିକ ବୁଡାଜାହାଜର  ଯୁଦ୍ଧ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ବିକଶିତ ହୋଇଛି ।

ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣଭାବେ ଇଲେକ୍‌ଟ୍ରୋ ଅପଟିକ୍ ଟେଲିମାଟ୍ରି ପଦ୍ଧତି ଓ ବିଭିନ୍ନ  ରେଞ୍ଜର ରାଡାର ଇତ୍ୟାଦି ଦ୍ୱାରା ଅନୁଶୀଳନ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ଭୂମିଗତ ଭ୍ରାମ୍ୟମାଣ ପ୍ରକ୍ଷେପକ ଯାନରୁ ଛଡାଯାଇଥିଲା ।

ଅନେକ ଡିଆରଡିଓ ପରୀକ୍ଷାଗାର ଏପରି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପଦ୍ଧତି ବିକଶିତ କରୁଛନ୍ତି । ଏହାର ବିଭିନ୍ନ ଉପପ୍ରଣାଳୀ ବିକଶିତ କରିବା ନିମନ୍ତେ ଅନେକ ଶିଳ୍ପ ସଂସ୍ଥା ମଧ୍ୟ ସହାୟତା କରିଛନ୍ତି ।

ଏହି ସୁପରସୋନିକ କ୍ଷେପଣାସ୍ତ୍ର ସଂଚାଳିତ ଟର୍ପେଡୋ ପଦ୍ଧିତର ସଫଳ ପରୀକ୍ଷା ପାଇଁ ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏଥିରେ ସଂଶ୍ଳିଷ୍ଟ ବିଶେଷଜ୍ଞଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭବିଷ୍ୟତ ପାଇଁ ପ୍ରତିରକ୍ଷା ପଦ୍ଧତିର ଦେଶୀୟ ବିକାଶର ବଳିଷ୍ଠ ଉଦାହରଣ ବୋଲି ଶ୍ରୀ ସିଂହ କହିଛନ୍ତି ।

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଏଥିରେ ସଂଶ୍ଳିଷ୍ଟ ସମସ୍ତ ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଭବିଷ୍ୟତରେ ପ୍ରତିରକ୍ଷା ବିଭାଗର ଆତ୍ମନିର୍ଭରଶୀଳତା ସହ ନୌସେନାର ଶକ୍ତି ବୃଦ୍ଧିରେ ସହାୟକ ହେବ ବୋଲି  କହିଛନ୍ତି ।

 

Comments are closed.