ସୁପର ​‌​‌ସ୍ପ୍ରେଡର୍ ହୋଇପାରନ୍ତି ତୃତୀୟ ସଂକ୍ରମିତ

ଭୁବନେଶ୍ବର : ଓଡ଼ିଶାର ତୃତୀୟ କରୋନା ସଂକ୍ରମିତ ଅତିକମ୍‌ରେ ୧୧୨ ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୧୫ ଜଣଙ୍କୁ ଚିହ୍ନଟ କରାଇ ପାରିନାହିଁ। ୧୧ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିରୁ କେବଳ ଜଣକ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ବାକି ୧୦ ଜଣଙ୍କ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି। ଅନ୍ୟ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏତେ ସଂଖ୍ୟକ ଲୋକଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବାରୁ ତୃତୀୟ ସଂକ୍ରମିତ ଓଡ଼ିଶାର ସୁପର ​‌​‌ସ୍ପ୍ରେଡର୍ ହୋଇପାରନ୍ତି। ଶନିବାର ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ଅଭିଯାନର ମୁଖପାତ୍ର କହିଛନ୍ତି, ତୃତୀୟ ସଂକ୍ରମିତଙ୍କ ଠାରୁ ହସ୍ତଗତ ତଥ୍ୟ ଆଧାରରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସବିଶେଷ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି। ନୂଆଦିଲ୍ଲୀରୁ ବିମାନରେ ଫେରିବା ସମୟରେ ୩୨ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ଏଠାରେ ପହଞ୍ଚିବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜ ପରିବାରରେ ଥିବା ପତ୍ନୀ, ଝିଅ, ଡ୍ରାଇଭର୍ ଓ ଘରେ କାମ କରୁଥିବା ସହାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ବ୍ୟତୀତ ଭୁବନେଶ୍ବରରେ ସେ ଚାକିରି କରିଥିବା ବ୍ୟାଙ୍କରେ ଅତିକମ୍‌ରେ ୪୪ ଜଣ, ବିଧାନସଭାର ୭ ଜଣ କର୍ମଚାରୀ ଏବଂ କର କ୍ଲିନିକ୍‌ରେ ୨୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। କର କ୍ଲିନିକ୍‌ର ସମ୍ପୃକ୍ତ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି।

ସେହିପରି ପାଥୋଲୋଜିରେ ରକ୍ତ ପରୀକ୍ଷା କରିବା ପାଇଁ ଯାଇଥିବା ସମୟରେ ସେଠାରେ ୩ ଜଣ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ତୃତୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରୁ ଆଜି ସୁଦ୍ଧା ୧୧ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା, ଯେଉଁଥିରୁ ଜଣଙ୍କର ରିପୋର୍ଟ ହସ୍ତଗତ ହୋଇଛି। ବାକି ୧୦ ଜଣଙ୍କ ରିପୋର୍ଟ ଆସନ୍ତାକାଲି ହସ୍ତଗତ ହେବ। ବାକି ଲୋକଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି। ଯଦି ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଏ, ତା’ହେଲେ ତୃତୀୟ ସଂକ୍ରମିତ ରାଜ୍ୟରେ ସୁପର ​‌େ​‌ସ୍ପ୍ରଡର ହୋଇପାରନ୍ତି ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ମାର୍ଗଦର୍ଶିକା ଅନୁସାରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ତିନିଟି ପର୍ଯ୍ୟାୟରେ ଚିହ୍ନଟ କରାଯାଇଥାଏ। ପ୍ରଥମରେ ସଂକ୍ରମିତଙ୍କ ସହ ଗୋଟିଏ ଘରେ ରହୁଥିବା ଲୋକ, ସେ ଚିକିତ୍ସା ପାଇଁ ଯାଇଥିବା ଡାକ୍ତରଖାନା/କ୍ଲିନିକ୍‌ର କର୍ମଚାରୀ ଓ ବନ୍ଦ କୋଠରି ମଧ୍ୟରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଠାରେ ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ।

Comments are closed.