ରାଜଧାନୀରେ ଧରାପଡ଼ିଲା ସୁପାରି ହତ୍ୟାକାରୀ

ବ୍ୟବସାୟୀଙ୍କୁ ହତ୍ୟା ପାଇଁ ଆସିଥିଲା, ଧସ୍ତାଧସ୍ତିରେ ଦୁଇ ପୁଲିସ କର୍ମଚାରୀ ଆହତ

ଭୁବନେଶ୍ବର : ନୂଆପଲ୍ଲୀ ଥାନା ଅଧୀନ ଏକ ମନ୍ଦିର ନିକଟରେ ବ୍ୟବସାୟୀଙ୍କୁ ସୁପାରି ନେଇ ହତ୍ୟା କରିବାକୁ ଆସିଥିବା ଜଣେ ଦୁର୍ଦାନ୍ତ ଯୁବକକୁ କମିସନରେଟ ପୁଲିସ ଗୁଇନ୍ଦା ସୂଚନା ଆଧାରରେ ଗିରଫ କରି ରବିବାର ଅଦାଲତ ଚାଲାଣ କରିଛି।
ସୁପାରି ହତ୍ୟାକାରୀ ସମ୍ପଦ ସାହୁର ଘର ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ କ୍ରିଷ୍ଣାନନ୍ଦପୁର। ସମ୍ପଦ ବିରୋଧରେ ବିଭିନ୍ନ ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଭଳି ୧୨ଟି ସଙ୍ଗିନ ମାମଲା ରହିଛି। ସମ୍ପଦକୁ ହତ୍ୟା ପାଇଁ ନିୟୋଜିତ ଦୁଇ ସୁପାରି ହତ୍ୟାକାରୀଙ୍କ ମଧ୍ୟରୁ ସମ୍ପଦକୁ ପୁଲିସ କାବୁ କରିଥିବାବେଳେ ତା’ର ସହଯୋଗୀ ଜଣକ ଘଟଣାସ୍ଥଳରୁ ପୁଲିସକୁ ଧକ୍କା ମାରି ଅନ୍ଧାରରେ ଖସି ପଳାଇଥିଲା।
ଧରାପଡ଼ିଥିବା ସମ୍ପଦ ନାମରେ ଜଗତସିଂପୁର, କେନ୍ଦ୍ରାପଡ଼ା, କଟକର ମାଲଗୋଦାମ, ବାରଙ୍ଗ, ବିଡ଼ାନାସୀ, ତିର୍ତ୍ତୋଲ ଓ ପାଟକୁରା ଥାନାରେ ଅପରାଧିକ ମାମଲା ରହିଛି। ୨୦୧୬ରେ ବାରଙ୍ଗ ମଦ ଦୋକାନୀଙ୍କୁ ହତ୍ୟା ଘଟଣାରେ ସମ୍ପଦ ସମ୍ପୃକ୍ତ ଥିଲା।
କିଛି ମାସ ବ୍ୟବଧାନ ପରେ ରାଜଧାନୀ‌େ‌ର ପୁଣି ଜଣେ ସୁପାରି ହତ୍ୟାକାରୀ ଠାବ ହେବା ପରେ ଏହାକୁ ନେଇ ପୁଲିସ ଓ ବ୍ୟବସାୟୀ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଆଇଆର୍‌ସି ଭି‌ଲେଜ ଅଞ୍ଚଳର ଜଣେ କୋଇଲା ବ୍ୟବସାୟୀଙ୍କୁ ହତ୍ୟା ଲାଗି ଅନ୍ୟ ଜଣେ ବ୍ୟବସାୟୀ ଏହି ଷଡ଼ଯନ୍ତ୍ର କରିଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ସ୍ବପ୍ନେଶ୍ବର ମନ୍ଦିର ନିକଟସ୍ଥ ଏକ ଓମ୍‌ଫେଡ୍‌ ବୁଥ୍‌ ନିକଟରେ ଏକ କଳା ରଙ୍ଗର ପଲ୍‌ସର ମୋଟର ସାଇକଲରେ ଦୁଇ ଜଣ ଯୁବକ ଛକି ରହିଥିଲେ। ଉକ୍ତ ଛକ ଦେଇ ଆଇଆର୍‌ସି ଭିଲେଜରେ ରହୁଥିବା କୋଇଲା ଖଣି ବ୍ୟବସାୟୀ ଜଣକ ଘରକୁ ଫେରିଥାନ୍ତି। ତାଙ୍କୁ ଛକ ନିକଟରେ ଅଟକାଇ ଗୁଳି କରିବା ଲାଗି ସମ୍ପଦ ଏବଂ ତା’ର ସହଯୋଗୀ ଛକି ରହିଥିଲେ। ସେମାନଙ୍କ ହାବଭାବ ଦେଖି ନିକଟସ୍ଥ ପାନ ଦୋକାନୀଙ୍କ ସନ୍ଦେହଜାତ ହୋଇଥିଲା। ପାନ ଦୋକାନୀ ଜଣକ ଟେଲିଫୋନ୍‌ କରି ଥାନା ଅଧିକାରୀ ଶରତ କୁମାର ସାହୁଙ୍କୁ ଜଣାଇଥିଲା। ଥାନା ଅଧୀକାରୀଙ୍କ ନିର୍ଦେଶରେ ଥାନାର ଉପନିରୀକ୍ଷକ ସତ୍ୟନାରାୟଣ ବାରିକ, ଉପନିରୀକ୍ଷକ ଆର୍‌ଏନ୍‌ ପାତ୍ର ଏବଂ ପିଓପିଡି ଦଳର କର୍ମଚାରୀ ସାଦାପୋଷାକରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଦାନ୍ତ ଅପରାଧୀ ସମ୍ପଦ ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀଙ୍କୁ ଦେଖି ତରତର ହୋଇ ଘଟଣାସ୍ଥଳରୁ ପଲ୍‌ସର ମୋଟର ସାଇକଲରେ ଖସି ପଳାଇବାକୁ ଚେଷ୍ଟା କରିଥିଲା। ତେବେ ସେମାନଙ୍କୁ ପୁଲିସ ପିଛା କରି ବାଟରେ ଅଟକାଇଥିଲା। ହେଲେ ପୁଲିସ କନ୍‌ଷ୍ଟେବଳଙ୍କୁ ଧକ୍କା ମାରି ସମ୍ପଦର ସହଯୋଗୀ ଘଟଣାସ୍ଥଳରୁ ଖସି ପଳାଇଥିଲା। ସମ୍ପଦ ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ଉକ୍ତ କନ୍‌ଷ୍ଟେବଳଙ୍କ ଉପରକୁ ଗୁଳି ଫୁଟାଇବା ଲାଗି ପ୍ରସ୍ତୁତ ବେଳେ ତାକୁ ଉପନିରୀକ୍ଷକ ଶ୍ରୀ ବାରିକ ପଛପଟୁ କାବୁ କରି ନେଇଥିଲେ। ଫଳରେ ସମ୍ପଦ ଗୁଳି ଫୁଟାଇ ପାରି ନ ଥିଲା। ହେଲେ ତା’ ନିକଟକୁ ଅନ୍ୟ କେହି ଯିବାକୁ ସାହସ କରୁ ନ ଥିଲେ। ଏହି ସମୟରେ ଥାନା ଅଧିକାରୀ ଶ୍ରୀ ସାହୁ ପହଞ୍ଚି ସମ୍ପଦ ହାତରୁ ବନ୍ଧୁକ ଛଡ଼ାଇ ନେଇଥିଲେ। ଫଳରେ ଉପନିରୀକ୍ଷକ ଶ୍ରୀ ବାରିକ ଏବଂ ଅନ୍ୟ ପୁଲିସ କର୍ମଚାରୀ ଅଳ୍ପକେ ରକ୍ଷା ପାଇଯାଇଥିଲେ।
ପୁଲିସ କଳା ରଙ୍ଗର ପଲ୍‌ସର ମୋଟର ସାଇକଲକୁ ଯାଞ୍ଚ କରିବା ବେଳେ ଆଉ ଏକ ବନ୍ଧୁକ ମିଳିଥିଲା। ବଡ଼ଧରଣର ଅପରାଧ ଘଟାଇବା ଲାଗି ସମ୍ପଦ ଆସିଥିବା ପୁଲିସ ସନ୍ଦେହ କରି ଜେରା କରିବାବେଳେ ସେ ସୁପାରି ନେଇ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଆସିଥିବା ସ୍ବୀକାର କରିଥିଲା। ଦୁର୍ଦାନ୍ତ ଅପରାଧୀ ସମ୍ପଦ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ନେଇ ପୁଲିସକୁ ସୂଚନା ଦେଇଥିଲା।
ଧସ୍ତାଧସ୍ତିରେ ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ତା’ଠାରୁ ପୁଲିସ ଦୁଇଟି ବନ୍ଧୁକ ସହିତ ୮ଟି ଅଫୁଟା ଗୁଳି, ନାଲି ଲଙ୍କା ‌େ‌ସ୍ପ୍ର’ ଓ କଳା ପଲ୍‌ସର୍‌ ମୋଟର ସାଇକଲ ଜବତ କରିଛି।

Comments are closed.