ସାବାସ୍‌ ସନ୍ନି

ଆଜିର ଯୁବବର୍ଗ ସ୍ମାର୍ଟ ଦୁନିଆରେ ମସଗୁଲ୍ ରହୁଛି କହିଲେ ଭୁଲ ହେବନାହିଁ। ଅଧିକାଂଶ ଯୁବକ, ଯୁବତୀଙ୍କ ଦିନର ଅଧିକାଂଶ ସମୟ ହାତରେ ସ୍ମାର୍ଟଫୋନ୍ କିମ୍ବା ଟାବଲେଟ୍ ଧରି ହିଁ ଅତିବାହିତ ହେଉଛି। ଅନ୍-ଲାଇନ୍ ଗେମ୍, ଚାଟିଂ, ସୋସିଆଲ୍ ସାଇଟ୍, ୟୁ-ଟ୍ୟୁବ୍ ଭିଡିଓ, ସିନେମା ଆଦିରୁ ସେମାନଙ୍କୁ ଫୁରସତ୍ ମିଳୁନାହିଁ। ପ୍ରତି ୧୦ଜଣରେ ୬ଜଣ ଯୁବବର୍ଗ ଏହିପରି କାର୍ଯ୍ୟକଳାପରେ ବ୍ୟସ୍ତ ଥିବାର ସର୍ବେକ୍ଷଣ କହୁଛି। ଅନ୍ୟ କେତେଜଣ ସ୍ମାର୍ଟ ଦୁନିଆରେ ଜଡ଼ିତ ରହିବା ସହ ସାମାଜିକ ଉନ୍ନତିମୂଳକ କାର୍ଯ୍ୟ କରି ସମସ୍ତଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି। ବେଙ୍ଗାଲୁରୁରୁ ୭୦ କିମି ଦୂରରେ ଥିବା ତୁମକୁରୁ ନିବାସୀ ହେଲେ ସନ୍ନି ଜୈନ୍‌। ଦିନକର ଘଟଣା। ସନ୍ନି ନିଜ ଛାତ ଉପରେ ବୁଲୁଥିବାବେଳେ ଏକ ବୁଲା କୁକୁର ଶୋଷ ମେଣ୍ଟାଇବା ପାଇଁ ଘର ପାଖ ନାଳରୁ ପାଣି ପିଇବାର ସେ ଦେଖିଲେ। କୁକୁରଟିର ଏଭଳି ଅବସ୍ଥା ଦେଖି ତାଙ୍କୁ ବ୍ୟସ୍ତ ଲାଗିଲା। ତହିଁ ଆରଦିନ ସନ୍ନି ଏକ ବଡ଼ ପାତ୍ରରେ ସଫା ପାଣି ଭର୍ତ୍ତି କରି ତାଙ୍କ ଘର ସମ୍ମୁଖରେ ରଖିଲେ। ଏପରି କରିବା ପରେ କେବଳ ବୁଲା କୁକୁର ନୁହେଁ, ବରଂ ବିଲେଇ, ଗାଈ, ଛେଳି ଓ ଚଢ଼େଇ ମଧ୍ୟ ଆସି ପାଣି ପିଇଲେ। ସନ୍ନିଙ୍କର ଏହି କାମରେ ପାଖଆଖ ପଡ଼ିଶାଲୋକ ଅନୁପ୍ରାଣିତ ହୋଇ ସେମାନେ ମଧ୍ୟ ବଡ଼ବଡ଼ ପାତ୍ର ରଖି ପାଣି ଓ ଖାଦ୍ୟ ଭର୍ତ୍ତି କଲେ। ତୁମକୁରୁ ଅଞ୍ଚଳର ଅଧିକାଂଶ ଘର ସମ୍ମୁଖରେ ଏବେ ପଶୁପକ୍ଷୀଙ୍କ ପାଇଁ ଉଭୟ ପାଣି ଓ ଖାଦ୍ୟ ପାତ୍ର ରହିଛି। ଲୋକେ ମଧ୍ୟ ବେଶ୍ ସଚେତନ। ଅଇଁଠା ଖାଦ୍ୟ ପରିବର୍ତ୍ତେ ବୁଲା କୁକୁର, ବିଲେଇଙ୍କ ପାଇଁ ଅଧିକ ପରିମାଣରେ ରାନ୍ଧି ସେଇ ପାତ୍ରରେ ଭର୍ତ୍ତି କରୁଥିବାର ଦେଖାଯାଉଛି। କଥାକହିପାରୁନଥିବା ଏଇ ପଶୁପକ୍ଷୀଙ୍କ ପାଇଁ ସନ୍ନି ହ୍ବାଟସ୍‌ଆପ୍‌ରେ ଏକ ଗ୍ରୁପ୍ ‘ୱାଟର୍‌ ଫର୍ ଭଏସଲେସ୍‌’ର ଶୁଭାରମ୍ଭ କରିଛନ୍ତି। ବେଙ୍ଗାଲୁରୁର ବିଭିନ୍ନ ପ୍ରାନ୍ତର ଲୋକେ ଏଇ ଗ୍ରୁପ୍‌ର ସଦସ୍ୟ ଥିବାବେଳେ ସମସ୍ତେ ତାଙ୍କ କାମକୁ ମଧ୍ୟ ପ୍ରୋତ୍ସାହନ କରୁଛନ୍ତି। କେତେଜଣ ଅର୍ଥ ଦାନ କରିଥିବାବେଳେ ସନ୍ନି ସେହି ଟଙ୍କାରେ ବଡ଼ବଡ଼ ପାତ୍ର କିଣି ତୁମକୁରୁର ରାସ୍ତାଘାଟରେ ମଧ୍ୟ ବଡ଼ବଡ଼ ପାତ୍ର ପାଣି ଭର୍ତ୍ତି ରଖିବାର ବ୍ୟବସ୍ଥା କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ସେ ବରାବର ଅନୁରୋଧ କରିଥାନ୍ତି ନିୟମିତ ଏହି ପାତ୍ରରେ ପାଣି ଭର୍ତ୍ତି କରିବା ପାଇଁ। ମୋଟ୍ ୧୭ହଜାର ପାଣି ପାତ୍ର ସେ ଦାନ କରିଥିବାର କହିଛନ୍ତି। ସନ୍ନି କହିଛନ୍ତି, ସେ ପଶୁପ୍ରେମୀ ଭାବେ ଲୋକପ୍ରିୟ ହେବାକୁ ଚାହୁଁନାହାନ୍ତି। ହେଲେ ପଶୁପକ୍ଷୀଙ୍କର ଏଭଳି କ​‌ଷ୍ଟକୁ ସେ ସହ୍ୟ କରିନପାରି ଏଭଳି ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ଭାରତର ପ୍ରମୁଖ ଜଙ୍ଗଲଗୁଡ଼ିକରେ ସେ ଜଙ୍ଗଲୀ ଜୀବଜନ୍ତୁଙ୍କ ନିମନ୍ତେ ଏଭଳି ପଦକ୍ଷେପ ନେବାର ଲକ୍ଷ୍ୟ ରଖିଥିବାର ପ୍ରକାଶ। ଜଙ୍ଗଲରେ ବଡ଼ ପାତ୍ରରେ ପାଣି ରଖି ଜୀବଜନ୍ତୁଙ୍କ ତୃଷା ମେଣ୍ଟାଇବାକୁ ସେ ଚାହୁଁଛନ୍ତି। ହେଲେ ଏ କାମ ଏତେ ସହଜ ନୁହେଁ। ଏଥିପାଇଁ ଜ୍ଞାନକୌଶଳର ସହାୟତା ଜରୁରୀ ବୋଲି ତାଙ୍କ ମତ। ବର୍ତ୍ତମାନ ସେ କର୍ଣ୍ଣାଟକ ବନ ବିଭାଗ ସହ ଆଲୋଚନା ଜାରି ରଖିଛନ୍ତି। ଖୁବ୍ ଶୀଘ୍ର ଏଥିରେ ସଫଳ ହେବେ ବୋଲି ତାଙ୍କ ଆଶା।

Comments are closed.