ଜମି ଗ୍ରହଣ ନେଇ ୨୬ରେ ସୁନ୍ନି ୱାକଫ ବୋର୍ଡ ବୈଠକ

ଲକ୍ଷ୍ନୌ : ରାମ ଜନ୍ମଭୂମି ଅଯୋଧ୍ୟାରେ ମନ୍ଦିର ନିର୍ମାଣ ନିମନ୍ତେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିବାବେଳେ ମସଜିଦ ନିର୍ମାଣ ନିମନ୍ତେ ସୁନ୍ନି ୱାକଫ ବୋର୍ଡକୁ ୫ ଏକର ଉପଯୁକ୍ତ ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ମସଜିଦ ନିର୍ମାଣ ନିମନ୍ତେ ସୁନ୍ନି ୱାକଫ ବୋର୍ଡ ସରକାରଙ୍କ ଠାରୁ ୫ ଏକର ଜମି ଗ୍ରହଣ କରିବ କି ନାହିଁ ସେ ସମ୍ପର୍କରେ ଆସନ୍ତା ୨୬ ତାରିଖରେ ବୈଠକ ଅନୁଷ୍ଠିତ ହେବ। ରବିବାର ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ କହିଛନ୍ତି ଯେ ମସଜିଦ ନିର୍ମାଣ ନିମନ୍ତେ ସରକାରଙ୍କ ଠାରୁ ଜମି ଗ୍ରହଣ କରାଯିବ କି ନାହିଁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯିବ। ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଅଧ୍ୟକ୍ଷ ଜୁଫର ଫାରୁକି କହିଛନ୍ତି ଯେ ମସଜିଦ ନିର୍ମାଣ ନିମନ୍ତେ ସରକାରଙ୍କ ଠାରୁ ଜମି ଗ୍ରହଣ ନେଇ ଭିନ୍ନ ମତ ପ୍ରକାଶ ପାଉଛି। ସେ କହିଛନ୍ତି ସକାରାତ୍ମକ ମନୋଭାବ ଦ୍ବାରା ନକାରାତ୍ମକତା ଉପରେ ବିଜୟ ହାସଲ କରିହେବ। କେତେକ ଲୋକ ପରାମର୍ଶ ଦେଉଛନ୍ତି ବାବ୍ରି ମସଜିଦ ନିର୍ମାଣ ଲାଗି ଜମି ଗ୍ରହଣ କରା ନ ଯାଉ; ମାତ୍ର ଏହା ଦ୍ବାରା ନକାରାତ୍ମକ ଭାବନା ବୃଦ୍ଧି ପାଇବ ବୋଲି ଫାରୁକି କହିଛନ୍ତି। ଆଉ କିଛି ଲୋକ ପରାମର୍ଶ ଦେଉଛନ୍ତି ଯେ ଶିକ୍ଷାନୁଷ୍ଠାନ ନିର୍ମାଣ ନିମନ୍ତେ ସରକାରଙ୍କ ଠାରୁ ଜମି ଗ୍ରହଣ କରାଯାଉ ଓ ଏହା ମଧ୍ୟରେ ମସଜିଦ ନିର୍ମାଣ କରାଯାଉ। ଏ ସବୁ ଭିନ୍ନ ମତ ମଧ୍ୟରେ ଜମି ଗ୍ରହଣ କରାଯିବ କି ନାହିଁ ତାହା ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଫାରୁକି କହିଛନ୍ତି। ଜମି ଗ୍ରହଣ ସମ୍ପର୍କରେ ନଭେମ୍ବର ୧୩ରେ ବୈଠକ ହେବାର ଥିଲା; ମାତ୍ର ଏହାକୁ ୨୬ ତାରିଖକୁ ଘୁଞ୍ଚା ଯାଇଥିବା ଅଧ୍ୟକ୍ଷ କହିଛନ୍ତି। ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସଜିଦ ସମ୍ପର୍କରେ ଶନିବାର ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସୁନ୍ନି ୱାକଫ ବୋର୍ଡ ସ୍ବାଗତ କରିଛି। ସୁପ୍ରିମକୋର୍ଟଙ୍କ ଏହି ରାୟର ସମୀକ୍ଷା ଲାଗି କୌଣସି ପ୍ରକାର ଆବେଦନ କରାଯିବ ନାହିଁ ବୋଲି ୱାକଫ ବୋର୍ଡ ଅଧ୍ୟକ୍ଷ ଶନିବାର କହିଥିଲେ।

Comments are closed.