କଂଗ୍ରେସକୁ ଫେରିପାରନ୍ତି ସୁନିଲ ଶାସ୍ତ୍ରୀ; ପ୍ରିୟଙ୍କାଙ୍କୁ ଭେଟିଲେ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ପୁଅ ସୁନିଲ ଶାସ୍ତ୍ରୀ କଂଗ୍ରେସକୁ ଫେରିବାର ସୂଚନା ମିଳୁଛି । ସୁନିଲ ସଂପ୍ରତି ବିଜେପିରେ ଅଛନ୍ତି । କିନ୍ତୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସାକ୍ଷାତ କରିବା ପରେ ସେ କଂଗ୍ରେସକୁ ଫେରିବା ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ କଂଗ୍ରେସ ମୀର୍ଜାପୁର ଆସନରୁ ଜଣେ ଯୋଗ୍ୟ ରାଜନୈତିକ ଚେହେରାଙ୍କୁ ପ୍ରାର୍ଥୀ କରାଇବାକୁ ଖୋଜୁଥିବାବେଳେ ସୁନିଲ ସେହି ସ୍ଥାନନେବା ନିଶ୍ଚିତ ମନେକରାଯାଉଛି । ସୂଚନାଯୋଗ୍ୟ ଯେ ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳା ପତି ତ୍ରିପାଠୀଙ୍କ ପୁଅ ଲଳିତେଶ ପତି ତ୍ରିପାଠୀ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ତାଙ୍କ ସ୍ଥାନରେ କଂଗ୍ରେସ ଜଣକୁ ଖୋଜୁଛି ।
ସୁନିଲ ଶାସ୍ତ୍ରୀଙ୍କ ସହିତ ବୈଠକରେ ମିଳିତ ହେବାପରେ ପ୍ରିୟଙ୍କା ଉଭୟଙ୍କର ମିଳିତ ଫଟୋ ଟ୍ୱିଟ କରିବା ସହିତ କହିଛନ୍ତି ଯେ, କଂଗ୍ରେସର ପ୍ରତିଷ୍ଠା ଦିବସରେ ସୁନିଲଙ୍କ ସହିତ ସାକ୍ଷାତ ହେବା ଅତ୍ୟନ୍ତ ଆନନ୍ଦର ବିଷୟ ହୋଇଛି । ଆଲୋଚନା କାଳରେ ଦୁହେଁ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ । ସେମାନେ ଏକତ୍ର ଲଢିବେ ଏବଂ ବିଜୟୀ ହେବେ ବୋଲି ପ୍ରିୟଙ୍କା କହିଛନ୍ତି । ଲଳିତ ଦୀର୍ଘଦିନ ଧରି ନିର୍ବାଚନି ରାଜନୀତିରୁ ଦୂରରେ ଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ଲାଲ ବାହାଦୂର ଶାସ୍ତ୍ରୀ ଏବଂ ଅନିଲ ଶାସ୍ତ୍ରୀଙ୍କର ପରିବାର ପୃଷ୍ଠଭୂମିକୁ ନେଇ ସେ ଭୋଟରଙ୍କୁ ମନାଇପାରିବେ ବୋଲି କଂଗ୍ରେସ ଆଶା କରୁଛି । ଅନିଲ ଶାସ୍ତ୍ରୀ ହେଉଛନ୍ତି ସୁନିଲଙ୍କ ଭାଇ ଏବଂ ସେ ସଂପ୍ରତି କଂଗ୍ରେସରେ ଅଛନ୍ତି ।

Comments are closed.