ସୁନୀଲ ନାରାୟଣଙ୍କ ବୋଲିଂ ଶୈଳୀକୁ ନେଇ ଆପତ୍ତି

ଆବୁଧାବି : ଆଇପିଏଲ୍‌ର ଚଳିତ ସଂସ୍କରଣ ୟୁଏଇରେ ଖେଳାଯାଉଥିବା ବେଳେ କଲକାତା ନାଇଟ୍‌ ରାଇଡର୍ସ ଦଳର ସ୍ପିନର ସୁନୀଲ ନାରାୟଣଙ୍କ ବୋଲିଂ ଶୈଳୀକୁ ନେଇ ଆପତ୍ତି ଉଠିଛି। କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ସୁନୀଲଙ୍କ ବୋଲିଂ ଶୈଳୀ ଆପତ୍ତିଜନକ (ଚକିଂ) ଥିଲା ବୋଲି ପଡ଼ିଆରେ ଉପସ୍ଥିତ ଦୁଇ ଅମ୍ପାୟାର ଉଲାସ୍‌ ଓ କ୍ରିସ୍‌ ଗଫାନେ ଏକ ରିପୋର୍ଟ ପ୍ରସ୍ତୁତ କରି ମ୍ୟାଚ୍‌ ରେଫରିଙ୍କୁ ପ୍ରଦାନ କରିଥିଲେ। ଏପରି ପରିସ୍ଥିତିରେ ସୁନୀଲଙ୍କ ବୋଲିଂ ଶୈଳୀକୁ ନେଇ ଯଦି ଆଉ ଥରେ ଅଭିଯୋଗ ଆସେ ତେବେ ସେ ଆଇପିଏଲ୍‌ରେ ବୋଲିଂ କରିବାରୁ ବାଦ୍ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସୁନୀଲଙ୍କ ବୋଲିଂ ଶୈଳୀକୁ ନେଇ ଆପତ୍ତି ଆସିଥିବା ଖବରକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛି କଲକାତା ନାଇଟ୍‌ ରାଇଡର୍ସ ଦଳର ମ୍ୟାନେଜମେଣ୍ଟ। ସୁନୀଲ ଆଇପିଏଲ୍‌ରେ ୧୦୦ରୁ ଅଧିକ ମ୍ୟାଚ୍‌ ଖେଳିଥିବା ବେଳେ ତାଙ୍କ ବୋଲିଂ ଶୈଳୀକୁ ନେଇ ପୂର୍ବରୁ ମଧ୍ୟ ଆପତ୍ତି ଉଠିଥିଲା। ତେ​ବେ ପରେ ତାଙ୍କୁ କ୍ଲିନ୍‌ଚିଟ୍ ମିଳିଥିଲା। ଆଇପିଏଲ୍‌ର ଚଳିତ ସଂସ୍କରଣରେ ପୁନର୍ବାର ସୁନୀଲ ନାରାୟଣଙ୍କ ବୋଲିଂ ଶୈଳୀକୁ ନେଇ ଆପତ୍ତି ଉଠିବା ଆଶ୍ଚର୍ଯ୍ୟଜନକ ବୋଲି ଦଳର ମ୍ୟାନେଜମେଣ୍ଟ ତରଫରୁ କୁହାଯାଇଛି। ତେବେ ଏହି ପ୍ରସଙ୍ଗର ସହଳ ପରିସମାପ୍ତି ଦଳ ଚାହୁଁଛି ଏବଂ ଏଥିପାଇଁ ସବୁପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ମ୍ୟାନେଜମେଣ୍ଟ ତରଫରୁ କୁହାଯାଇଛି।
ସୂଚନାଥାଉକି ସୁନୀଲ ନାରାୟଣଙ୍କ ବୋଲିଂ ଶୈଳୀକୁ ନେଇ ପୂର୍ବରୁ ମଧ୍ୟ ବହୁବାର ଅନ୍ତର୍ଜାତୀୟ ସ୍ତରରେଆପତ୍ତି ଉଠିଥିଲା। ୨୦୧୫ରେ ଚକିଂ ଅଭିଯୋଗରେ ତାଙ୍କୁ ବୋଲିଂ କରିବାକୁ ବାରଣ କରିଥିଲା ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)। ପରବର୍ତ୍ତୀ ସମୟରେ ବୋଲିଂ ଶୈଳୀରେ ପରିବର୍ତ୍ତନ ଆଣି ସୁନୀଲ ବୋଲିଂ କରିବାର ସୁଯୋଗ ପାଇଥିଲେ। ​ତେବେ ୨୦୧୮ରେ ପାକିସ୍ତାନ ସୁପର ଲିଗ୍‌ରେ ବୋଲିଂ କରୁଥିବା ବେଳେ ତାଙ୍କ ବୋଲିଂ ଶୈଳୀକୁ ନେଇ ଆପତ୍ତି ଉଠିଥିଲା।

Comments are closed.