ଲାଞ୍ଚୁଆ ପାଣି ମିସ୍ତ୍ରୀକୁ ଦଣ୍ଡ ସହ ତଣ୍ଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭିଜିଲାନ୍ସ ଅଦାଲତର ସ୍ବତନ୍ତ୍ର ଜଜ୍‌ ରାଜଲକ୍ଷ୍ମୀ ପଟ୍ଟନାୟକ ୨୦୧୨ ମସିହାରେ ଏକ ଲାଞ୍ଚ ନେବା ଘଟଣାର ଚୂଡ଼ାନ୍ତ ଶୁଣାଣି କରି ରାଉରକେଲାସ୍ଥିତ ଜନସ୍ବାସ୍ଥ୍ୟ ବିଭାଗର ଲାଞ୍ଚୁଆ ପାଣି ମିସ୍ତ୍ରୀକୁ ସଶ୍ରମ ଦଣ୍ଡାଦେଶର ଆଦେଶ ଦେବା ସହ ତଣ୍ଡ ଗଣିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି । ମକୋଦ୍ଦମାର ବିବରଣୀରୁ ପ୍ରକାଶ, ରାଉରକେଲା ଜନସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ଏସ.ଟି.ଆଇ ଯୋଡ଼ା ପାଣି ଟାଙ୍କିସ୍ଥିତ କାର୍ୟ୍ୟାଳୟରେ ଅବସ୍ଥିତ ପାଣି ମିସ୍ତ୍ରୀ(ଫିଟର) ଶଶିଭୂଷଣ ପଣ୍ଡା ସିଭିଲ ଟାଉନସିପରେ ବସବାସ କରୁଥିବା ଦାମୋଦର ସାହୁଙ୍କ ଘରରୁ ଦୂରରେ ଥିବା ପୁରୁଣା ପାଇପ ସଂଯୋଗକୁ କାଟି ନିକଟ ପାଇପରୁ ନିଜ ଘରକୁ ନୂଆ ସଂଯୋଗ ଦେବା ପାଇଁ କୁଆଡ଼େ ମିସ୍ତ୍ରୀ(ଫିଟର) ଶ୍ରୀ ପଣ୍ଡାଙ୍କୁ ଅନୁରୋଧ କରିଥିଲେ । ପଣ୍ଡା ବାରମ୍ବାର ଦୌଡ଼ାଇ ଶେଷରେ ସମସ୍ତ କାଗଜପତ୍ର ଦେଖିବା ସହ ନୂଆ ପାଇପ କିଣି ଆଣିବା ପାଇଁ ଶ୍ରୀ ସାହୁଙ୍କୁ କହିଥିଲେ । ଶ୍ରୀ ସାହୁ ମଧ୍ୟ ନୂଆ ପାଇପ କିଣି ଆଣିଥିଲେ ହେଲେ ଶ୍ରୀ ପଣ୍ଡା ଅଧିନସ୍ଥ କର୍ମଚାରୀଙ୍କୁ ପଠାଇବାରୁ ପାଇପ ସଂଯୋଗ ହୋଇପାରିନଥିଲା । ପୁନଶ୍ଚ ଶ୍ରୀ ସାହୁ ପଣ୍ଡାଙ୍କ ନିକଟକୁ ଯାଇ ଅନୁରୋଧ କରିବାରୁ ୨ହଜାର ଟଙ୍କା ଲାଞ୍ଚ ନଦେଲେ ମୁଁ କର୍ମଚାରୀଙ୍କୁ ପଠାଇବି ନାହିଁ ବୋଲି ରୋକଠୋକ ବାଣି ଶୁଣାଇ ଦେଇଥିଲେ ।

 

ଏଥିରେ ଶ୍ରୀ ସାହୁ ବେଶ ମାନସିକ ଆଘାତ ପାଇବା ସହ ସାମାନ୍ୟ କାମ ପାଇଁ ବାରମ୍ବାର ଦୌଡ଼ିବା ସହ ଲାଞ୍ଚ ଦେବା ଘଟଣା ତାଙ୍କୁ ବେଶ ବାଧିଥିଲା । ସେ ଏ ସଂପର୍କରେ ଭିଜିଲାନ୍ସ ବିଭାଗରେ ଲିଖିତ ଅଭିଯୋଗ କରିଥିଲେ । ବିଭାଗର ନିର୍ଦେଶକ୍ରମେ ଶ୍ରୀ ସାହୁ ପଣ୍ଡାଙ୍କ କାର୍ୟ୍ୟାଳୟକୁ ଯାଇ ୨ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଆଜି ମାମଲାର ଚୂଡ଼ାନ୍ତ ଶୁଣାଣି କରି ସ୍ବତନ୍ତ୍ର ଜଜ୍‌ ପଟ୍ଟନାୟକ ଲାଞ୍ଚୁଆ ପାଣି ମିସ୍ତ୍ରୀ ପଣ୍ଡାଙ୍କୁ ଦୁର୍ନୀତି ନିବାରଣର ବିଭିନ୍ନ ଦଫାରେ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇବା ସହ ୫ହଜାର ଟଙ୍କା ତଣ୍ଡ ଦେବାକୁ ନିର୍ଦେଶ ଦେବା ସହ ତଣ୍ଡ ଅନାଦେୟ ଅଧିକ ୩ମାସ କାରାଦଣ୍ଡ ଭୋଗିବାକୁ ନିଜ ରାୟରେ ସ୍ପଷ୍ଟ କରିଛନ୍ତି । ସୂଚନା ଯୋଗ୍ୟ, ଇତିମଧ୍ୟରେ ପାଣି ମିସ୍ତ୍ରୀ ଶ୍ରୀ ପଣ୍ଡା ଚାକିରୀରୁ ଅବସର ନେଇ ସାରିଛନ୍ତି । ବିଭାଗ ପକ୍ଷରୁ ଭାରପ୍ରାପ୍ତ ସ୍ବତନ୍ତ୍ର ପି.ପି ଗୌରମୋହନ ଦାଶ ମକୋଦ୍ଦମା ପରିଚାଳନା କରିଥିଲେ ।

Comments are closed.