ସୁନ୍ଦରଗଡ଼ : ବିଭ୍ରାନ୍ତ ନହୋଇ ଭାଇଚାରା ବଜାୟ ରଖନ୍ତୁ : ବିଧାୟିକା

ସ୍ୱଭାବିକ ଅବସ୍ଥା ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲେ ମଙ୍ଗଳା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନରେ ଦୁଇଗୋଷ୍ଠୀ ଭିତରେ ଗତ ଦୁଇଦିନ ଧରି ଦେଖାଦେଇଥିବା ଅଶାନ୍ତି ପରିପ୍ରେକ୍ଷୀରେ ଶାସକ ଦଳ ବିଜେଡ଼ି ଓ ବିଜେପି ସ୍ୱଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସହର ପୁନଶ୍ଚ ସ୍ୱଭାବିକ ଅବସ୍ଥା ଫେରି ଆସୁଥିବାର ଜଣାପଡ଼ିଛି । ବିଭ୍ରାନ୍ତ ନ ହୋଇ ବର୍ଷ ବର୍ଷର ସଂପର୍କକୁ କାଏମ ରଖିବା ପାଇଁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଉଭୟ ଗୋଷ୍ଠୀଙ୍କୁ ନିବେଦନ କରିବା ସହ ସଚେତନ ନାଗରିକ ମାନେ ମଧ୍ୟ ଏହା ପାଇଁ ପ୍ରୟାସ କରିବା ଉଚିତ ବୋଲି ମତ ଦେଇଛନ୍ତି। ସାମାନ୍ୟ କଥାରେ ବର୍ଷ ବର୍ଷର ସଂପର୍କରେ ତିକ୍ତତା ଆଣିବା ସୁସ୍ଥ ସମାଜ ପାଇଁ ଶୁଭ ସଙ୍କେତ ନୁହେଁ ବୋଲି କହି ଆଜି ସୁନ୍ଦରଗଡ଼ ଏସ.ପି ସୌମ୍ୟା ମିଶ୍ରଙ୍କ ସହ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିବାର ଜଣାପଡ଼ିଛି। ଅପରପକ୍ଷରେ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଜିଲା ସଭାପତି ମଙ୍ଗଳା କିଶାନ ସୁନ୍ଦରଗଡ଼ ସର୍କିଟ ହାଉସରେ ରହି ଉଭୟ ଗୋଷ୍ଠୀର ନେତାଙ୍କୁ ପୃଥକ ପୃଥକ ଭାବେ ଡ଼କାଇ ସୁନ୍ଦରଗଡ଼ରେ ଶାନ୍ତିପୂର୍ଣ୍ଣ ବାତାବରଣକୁ ବଜାୟ ରଖିବା ସହ ସେମାନଙ୍କୁ ଭବିଷ୍ୟତରେ ଆଉ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ କରିବାକୁ ପରାମର୍ଶ ଦେଇଥିଲେ।

ଏହି ବୁଝାମଣାକୁ ଉଭୟ ଗୋଷ୍ଠୀ ମାନି ନେଇ ଭବିଷ୍ୟତରେ ଆଉ ଏଠାରେ ଅଶାନ୍ତି ବାତାବରଣ ନ କରିବା ପାଇଁ ସହମତି ପ୍ରକାଶ କରିଥିଲେ। ପରେ ଜିଲା ସଭାପତି ଶ୍ରୀ କିଶାନ ଜିଲାପାଳଙ୍କ ସହ ପରିସ୍ଥିତି ସଂପର୍କରେ ବିଶଦ ଆଲୋଚନା କରି ସମସ୍ତ ରାଜନୈତିକ ଦଳ, ବରିଷ୍ଠ ନାଗରିକ ସଂଘ ଓ ସଚେତନ ନାଗରିକଙ୍କୁ ନେଇ ଏକ ଶାନ୍ତିକମିଟି ଗଠନ କରିବା ଉପରେ ଗୁରୁତ୍ୱ ଦେଇ ଏହି କମିଟିର ନେତୃତ୍ୱ ନିଜେ ଜିଲାପାଳ ଓ ଏସପି ନେବା ପାଇଁ ଅନୁରୋଧ କରିଥିଲେ। ଜିଲାପାଳ ନିଖିଳ ପବନ କଲ୍ୟାଣ ଖୁବ ଶୀଘ୍ର ଶାନ୍ତି କମିଟିର ବୈଠକ ଡ଼ାକିବା ପାଇଁ ଜିଲା ସଭାପତି ଶ୍ରୀ କିଶାନଙ୍କୁ ପ୍ରତିଶୃତି ଦେଇଥିଲେ। ଏହି ଆଲୋଚନାରେ ବରିଷ୍ଠ ନେତା ଜନ୍ମେଜୟ ମହାପାତ୍ର, ପୂର୍ବତନ ପୌରାଧ୍ୟକ୍ଷ ବେଣୁଧର ତାଣ୍ଡିଆ, ବିନୟ ପଣ୍ଡା, ଷ୍ଟିଫେନ ସରେଙ୍ଗ, ଜୟନାରାୟଣ ତ୍ରିପାଠୀ, ହରଜେନ୍ଦ୍ର ସିଂ, ଗୋପ ମହାନ୍ତି, ଅମରେଶ ପଣ୍ଡା, ସୁମନ୍ତ ପଣ୍ଡା, ବାବୁଲି କର, ସୁନିଲ ମହାପାତ୍ର, ଅଶୋକ ସ୍ୱାଇଁ, କିଶୋର ସାହୁ, ରାଜା ମହାନ୍ତି, ସୁରେନ୍ଦ୍ର ଭିତ୍ରିଆ, ଲଲାଟ ପରିଡ଼ା, ପଞ୍ଚା ବାର୍ଲା, ନିର୍ମଲ ବୋଷ, ଅନିଲ ମହାପାତ୍ର, ପ୍ରଦୀପ ବିଶ୍ୱକର୍ମା, ସୁକେଶ ପଟେଲ, ଅଭୟ କୁଲୁ, ଆଶିଷ ତ୍ରିପାଠୀ, ଉମେଶ ଶର୍ମା, ଲିଙ୍କନ ପୁରୋହିତ ସମେତ ବହୁ ବିଜେଡ଼ି କର୍ମୀ ସାମିଲ ଥିଲେ।

Comments are closed.