ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦: ସଫଳ ରୂପାୟନ ପାଇଁ ସୁନ୍ଦରଗଡ଼ରୁ ଶୁଭାରମ୍ଭ ହେଲା ଜିଲ୍ଲାସ୍ତରୀୟ କର୍ମଶାଳା

ସୁନ୍ଦରଗଡ଼: ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତୁତ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ’ ୨୦୩୦ର ଓଡ଼ିଶାରେ ସଫଳ ରୂପାୟନ ଲାଗି ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି। ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କର୍ମଶାଳା କରାଯିବ। ପାଇଲଟ୍ କାର୍ଯ୍ୟକ୍ରମ ଭାବେ ସୁନ୍ଦରଗଡ଼ଠାରେ ଏହି ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜନସମୁଦାୟ ପାଇଁ ଦୀର୍ଘସ୍ଥାୟୀ ଆର୍ଥିକ, ସାମାଜିକ ଓ ପାରିବେଶିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ୨୦୧୫ ମସିହାରେ ୧୭ଟି ପ୍ରମୁଖ ଲକ୍ଷ୍ୟକୁ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ’ ବା ଏସଡିଜି ଭାବେ ଚିହ୍ନଟ କରାଯାଇଛି। ସେହି ଲକ୍ଷ୍ୟଗୁଡ଼ିକୁ ୨୦୩୦ ସୁଦ୍ଧା ହାସଲ କରିବା ଲାଗି ରାଜ୍ୟ ସରକାର ଆବଶ୍ୟକ ଖସଡ଼ା ଓ ପଦକ୍ଷେପ ନେଉଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଚାଲିଥିବା ଏହି ଦୁଇଦିନିଆ ସାମର୍ଥ୍ୟ ବିକାଶ ତାଲିମ କାର୍ଯ୍ୟକ୍ରମ ବୁଧବାର ଦିନ ଶେଷ ହୋଇଛି। ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏହାର ଉଦଘାଟନ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ତୃଣମୂଳସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହ ସେଗୁଡ଼ିକର ସଫଳ କାର୍ଯ୍ୟକାରିତା ଉପରେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

Comments are closed.