ସୁନ୍ଦରଗଡ଼ର ଛାତ୍ରୀ ଭୂମିକାଙ୍କୁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ୫-ଟି ସଚିବ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପର୍କରେ ନିକଟରେ ହୋଇଥିବା ଭର୍ଚୁଆଲ ଆଲୋଚନା ବେଳେ ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ କଥା ହୋଇଥିଲେ। ୧୩ଟି ବ୍ଲକର ବିଭିନ୍ନ ହାଇସ୍କୁଲରୁ ଆସିଥିବା ପିଲାମାନେ ନିଜ ନିଜର କ୍ୟାରିୟର ସ୍ୱପ୍ନ ବିଷୟରେ ତାଙ୍କୁ କହିଥିଲେ। ଏହି ଅବସରରେ ପାଇଲଟ୍ ହେବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରୀ ଭୂମିକା ପ୍ରଧାନଙ୍କୁ ୫ଟି ସଚିବ ଏକ ପ୍ରେରଣାଦାୟୀ ବହି ପଠାଇବେ ବୋଲି କହିଥିଲେ।

ଦୁଃସାହସୀ ପାଇଲଟ୍ ଏବଂ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବୀନୀ ଉପରେ ଆଧାରିତ ଏକ ଲୋକପ୍ରିୟ କମିକ୍ ପୁସ୍ତକ ‘ଦ ଆଡଭେଞ୍ଚରସ୍ ଅଫ୍ ଦ ଡେୟାରଡେଭିଲ ଡେମୋକ୍ରାଟ୍’। ୫ଟି ସଚିବ ଏହି ବହିଟିକୁ ଛାତ୍ରୀ ଭୂମିକାଙ୍କ ପାଇଁ ପଠାଇଛନ୍ତି। ମଙ୍ଗଳବାର ଦିନ ସୁନ୍ଦରଗଡ଼ଠାରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଭୂମିକାଙ୍କୁ ଏହା ପ୍ରଦାନ କରିଥିଲେ। ଏହି ବହିଟି ଭୂମିକାଙ୍କ ପାଇଁ ପ୍ରେରଣା ହେବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି। ଭୂମିକା ତାଙ୍କ ବାପା ଥିପେନ୍ଦ୍ର ପ୍ରଧାନଙ୍କ ସହ ଆସି ଜିଲ୍ଲାପାଳଙ୍କଠାରୁ ଏହି ବହିଟି ଗ୍ରହଣ କରିଥିଲେ। ଏହି ପ୍ରେରଣାଦାୟୀ ପଦକ୍ଷେପ ପାଇଁ ଭୂମିକା ଓ ତାଙ୍କ ବାପା ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.