ସୁନ୍ଦରଗଡ଼ ଜିଲା ଓ ଦୌରା ଜଜ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ବନ୍ଧୁ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ଓ ଦୌରା ଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ୨୦୧୬ ମସିହାରେ ସଂଗଠିତ ଏକ ଚର୍ଚ୍ଚିତ ହତ୍ୟାକାଣ୍ଡର ପୂର୍ଣ୍ଣାଙ୍ଗ ଶୁଣାଣି କରି ଅଭିଯୁକ୍ତ ବନ୍ଧୁ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ତଣ୍ଡ ଗଣିବା ପାଇଁ ଆଦେଶ ଦେଇଛନ୍ତି । ମୋକଦ୍ଦମାର ବିବରଣୀରୁ ପ୍ରକାଶ, ସଦର ଥାନା ଅନ୍ତର୍ଗତ ସେମିନା ଗ୍ରାମର ରୋହିତ ନେଟି (ମୃତ) ଓ କିରେଇ ଗ୍ରାମର ଅଭି ଛତ୍ରିଆଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ବନ୍ଧୁତା ରହି ଆସିଥିଲା । ଉଭୟ ଜଙ୍ଗଲରୁ କାଠ ସଂଗ୍ରହ କରି ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ । ମୃତ ରୋହିତଙ୍କ ସହ ଅଭିଯୁକ୍ତଙ୍କ ପତ୍ନୀର ଅବୈଧ ସଂପର୍କ ରହିଥିବାର ଆଶଙ୍କା କରି ଅଭିଯୁକ୍ତ ଅଭି ରୋହିତକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଚିନ୍ତା କରି ସୁଯୋଗ ଉଣ୍ଡୁଥିଲା ।

ଘଟଣା ଦିନ ଅର୍ଥାତ ୨୭.୧୦.୨୦୧୬ ଅଭିଯୁକ୍ତ ଅଭି ଛତ୍ରିଆ ଓ ତାଙ୍କ ପତ୍ନୀ ରୋହିତଙ୍କ ଘରକୁ ଆସି ଜଙ୍ଗଲକୁ କାଠ ଆଣିବା ପାଇଁ ପ୍ରବର୍ତ୍ତାଇଥିଲେ । ଉଭୟ ବରାବର ଜଙ୍ଗଲରୁ କାଠ ଆଣୁଥିବାରୁ ରୋହିତ କୌଣସି ଆଶଙ୍କା ନ କରି ତାଙ୍କ ସହ ନିକଟସ୍ଥ ସମରଡିହି ଜଙ୍ଗଲକୁ ଚାଲିଯାଇଥିଲେ । କାଠ କାଟିବା ପରେ ଅଭି ନିଜ ପତ୍ନୀକୁ ତୁମେ ଆଗେ ଆଗେ ଘରକୁ ଯାଅ ପଛରେ କଥା ହୋଇ ହୋଇ ଆସୁଛୁ ବୋଲି କହିବାରୁ ଅଭିର ପତ୍ନୀ ଘଟଣାସ୍ଥଳରୁ ଗାଁକୁ ଚାଲିଆସୁଥିଲେ । ପତ୍ନୀ ଯିବା ପରେ ଅଭି ପୂର୍ବ ପ୍ରସ୍ତୁତି ଅନୁସାରେ ନିଜ ସାଙ୍ଗରେ ଧରିଥିବା ଟାଙ୍ଗିଆରେ ରୋହିତଙ୍କ ମୁଣ୍ଡ, ଛାତି ଓ ଅନ୍ୟାନ୍ୟ ସ୍ଥାନରେ ବାରମ୍ବାର ଚୋଟ ମାରିଥିଲେ ।

ରକ୍ତାତ ହୋଇ ରୋହିତ ଜୋରରେ ଚିତ୍କାର କରିବାରୁ କିଛି ବାଟ ଯାଇଥିବା ଅଭିର ପତ୍ନୀ ଚିତ୍କାର ଶୁଣି ଘଟଣାସ୍ଥଳକୁ ଚାଲି ଆସିଥିଲେ ହେଲେ ପ୍ରତିଶୋଧମୁଖି ଅଭି ନିଜ ପତ୍ନୀକୁ ମଧ୍ୟ ହାଣିବା ପାଇଁ ଦୌଡ଼ାଇଥିଲେ । କୌଣସିମତେ ସେଠାରୁ ସେ ଖସି ଗାଁରେ ଖବର ଦେବାରୁ ରୋହିତଙ୍କ ଭାଇ ସୁରତ ଓ ଅନ୍ୟଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ । ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ରୋହିତର ଶବକୁ ବ୍ୟବଛେଦ କରାଇ ହତ୍ୟା ଅଭିଯୋଗରେ ବନ୍ଧୁ ଅଭି ଛତ୍ରିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଏହି ମୋକଦ୍ଦମାର ଶୁଣାଣିରେ ମୋଟ ୨୭ଜଣ ସାକ୍ଷୀଙ୍କ ବୟାନ, ପାରିପାର୍ଶ୍ବିକ ଅବସ୍ଥା ଓ ତଥ୍ୟ କ୍ୟାଡର ପି.ପି ଅବଦୁଲ ସମିମ ଅଖତରଙ୍କ ବଳିଷ୍ଟ ଯୁକ୍ତିକୁ ଅଦାଲତ ଗ୍ରହଣ କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୫ହଜାର ଟଙ୍କା ତଣ୍ଡ ଗଣିବା ପାଇଁ ନିର୍ଦେଶ ଦେଇଥିଲେ । ତଣ୍ଡ ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୨ମାସ କାରାଦଣ୍ଡ ଭୋଗିବା ପାଇଁ ଜିଲା ଜଜ୍‌ ଶ୍ରୀ ପଟ୍ଟନାୟକ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ।

Comments are closed.