ସୁନ୍ଦରଗଡ଼ ଜିଲା ଓ ଦୌରା ଜଜ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ଓ ଦୌରା ଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ୨୦୧୯ରେ ସଂଗଠିତ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଚୂଡ଼ାନ୍ତ ଶୁଣାଣି କରି ଦୁଇ ବନ୍ଧୁ ହତ୍ୟକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ୪ହଜାର ଟଙ୍କା ତଣ୍ଡ ଦେବାକୁ ରାୟ ଶୁଣାଇଛନ୍ତି । ମକୋଦ୍ଦମାର ବିବରଣୀରୁ ପ୍ରକାଶ, କିଞ୍ଜିରକେଲା ଥାନା ଅନ୍ତର୍ଗତ ହାଲମା ଗ୍ରାମର ସୁବାଷ ଅମାତ, ରାଧାମୋହନ ଭିତ୍ରିଆ, ମୃତ ଟେକଚାନ୍ଦ ବଡ଼ାଏକଙ୍କ ମଧ୍ୟରେ ବେଶ ବନ୍ଧୁତା ରହି ଆସିଥିଲା । ମୃତ ଟେକଚାନ୍ଦ ମଦ ନିଶାରେ କୁଆଡ଼େ ବନ୍ଧୁ ସୁବାଷଙ୍କ ପତ୍ନୀଙ୍କୁ ପୂର୍ବରୁ ଭଲ ଭାବେ ଜାଣେ ବୋଲି କହିଥିବାରୁ ଅଭିଯୁକ୍ତ ସୁବାଷ ଏହାକୁ ଭିନ୍ନ ଅର୍ଥରେ ନେଇ ଏ କଥାକୁ ଗୁରୁତ୍ବତାର ସହ ଚିନ୍ତା କରି କୁଆଡ଼େ ଅନ୍ୟତମ ଅଭିଯୁକ୍ତ ରାଧାମୋହନ ସାଙ୍ଗେ ଆଲୋଚନା କରି ସବୁଦିନ ପାଇଁ ଟେକଚାନ୍ଦକୁ ରାସ୍ତାରୁ ହଟାଇଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ମୁତାବିକ ଗତ ୨୧.୪.୨୦୧୯ ସନ୍ଧ୍ୟା ବେଳେ ଦୁଇ ଅଭିଯୁକ୍ତ ସୁବାଷ ଓ ରାଧାମୋହନ ଏକ ବାଇକରେ ଟେକଚାନ୍ଦ ଘରକୁ ପହଞ୍ଚି ନିକଟସ୍ଥ ଗ୍ରାମରେ ହେଉଥିବା ଯାତ୍ରା ଦେଖିବା ପାଇଁ ଡାକି ନେଇଯାଇଥିଲେ । ଟେକଚାନ୍ଦ ମଧ୍ୟ ବନ୍ଧୁତା ଦୃଷ୍ଟିରୁ ତାଙ୍କ ବାଇକରେ ବସି ଚାଲିଯାଇଥିଲେ । ଘଟଣା ଦିନ ଏହି ତିନି ଜଣ ଗୋଟିଏ ବାଇକରେ ଯାଉଥିବାର କେତେକ ନାବାଳିକା ଓ ଅନ୍ୟମାନେ ଦେଖିଥିବା ବେଳେ ଫେରିଲା ବେଳେ ବାଇକରେ କେବଳ ସୁବାଷ ଓ ରାଧାମୋହନ ହିଁ ଫେରିଥିଲେ । ପରଦିନ ସକାଳେ ଟେକଚାନ୍ଦର ମୃତ ଦେହ ଗାଁ ମୁଣ୍ଡରେ ପଡ଼ିଥିବାର ଦେଖି ଲୋକେ କିଞ୍ଜିରକେଲା ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଶବକୁ ବ୍ୟବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲାରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମୃତ ଟେକଚାନ୍ଦର ଦେହ ଓ ଅନ୍ୟାନ୍ୟ ସ୍ଥାନରେ କ୍ଷତ ଚିହ୍ନ ବା କୌଣସି ଦାଗ ନଥିବାରୁ ପୁଲିସ ମଧ୍ୟ ହତ୍ୟାର କୌଣସି ସୁରାକ ନ ପାଇ ଅପମୃତ୍ୟୁ ମାମଲା ଭାବି ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେଉଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ପୁଲିସର ଆଶଙ୍କା ଓ ତଦନ୍ତର ଦିଗକୁ ବଦଳାଇ ଦେଇଥିଲା ।

 

ବ୍ୟବଛେଦ ରିପୋର୍ଟରେ ମୃତ ଟେକଚାନ୍ଦର ଯୌନାଙ୍ଗକୁ ଜୋରରେ ଚିପିବା ଯୋଗୁ ତାର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିବା ପରେ ଡି.ଏସ.ପି ପ୍ରଭାତ କୁମାର ବିଶ୍ବାଳଙ୍କ ତତ୍ତ୍ବାବଧାନରେ ତଦନ୍ତକୁ ତ୍ବରାନ୍ନିତ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ ପଚରାଉଚରା କରିବା ପରେ ସେମାନେ ସୁଚିନ୍ତିତ ଢଙ୍ଗରେ ଟେକଚାନ୍ଦର ଯୌନାଙ୍ଗକୁ ଦୀର୍ଘ ସମୟ ଧରି ଚିପି ଧରିଥିଲେ ଓ ତାର ନିଶ୍ବାସ ବନ୍ଦ ହୋଇଯିବା ପରେ ଶବକୁ ଗାଁ ମୁଣ୍ଡରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅଭିଯୁକ୍ତଙ୍କ ସ୍ବୀକାରୋକ୍ତି ପରେ ୧୧.୫.୨୦୧୯ ଦିନ ପୁଲିସ ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ରୂପାନ୍ତରିତ କରି ଅଭିଯୁକ୍ତ ସୁବାଷ ଓ ରାଧାମୋହନଙ୍କୁ କୋର୍ଟ ଚାଲାଣ କରିଥିଲେ । କ୍ୟାଡର ସାଧାରଣ ଅଭିଯୋଜକ ଅବଦୁଲ ସମିମ ଅଖତରଙ୍କ ଦୃଢ଼ ଯୁକ୍ତି ବିଶେଷ କରି ଶବ ବ୍ୟବଛେଦ ରିପୋର୍ଟ, ଶେଷ ସାକ୍ଷାତ(ଲାଷ୍ଟ ସିନ) ଓ ଅଭିଯୁକ୍ତଙ୍କ ଆଚରଣକୁ ଭିତ୍ତି କରି ଜିଲା ଜଜ୍‌ ଶ୍ରୀ ପଟ୍ଟନାୟକ ଉଭୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ପ୍ରତ୍ୟକଙ୍କୁ ଦୁଇ ଦୁଇ ହଜାର ଟଙ୍କା ଲେଖାଁଏ ତଣ୍ଡ ଗଣିବା ପାଇଁ ନିଜ ରାୟରେ ସ୍ପଷ୍ଟ କରିବା ସହ ତଣ୍ଡ ଅନାଦେୟ ଦୁଇ ମାସ ଲେଖାଁଏ ଅଧିକ କାରାଦଣ୍ଡ ଭୋଗିବା ପାଇଁ ନିର୍ଦେଶ ଦେଇଥିବାର ଜଣାପଡ଼ିଛି । ଏହି ରାୟ କିଞ୍ଜିରକେଲା ସମେତ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Comments are closed.