ପୂର୍ବତନ ପୌର ଯନ୍ତ୍ରୀ ଗିରଫ, ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଖୋଜୁଛି ପୁଲିସ

ସୁନ୍ଦରଗଡ଼ ପୌରପାଳିକାରେ ବ୍ୟାପକ ଅନିୟମିତତା ଓ ଠକେଇ ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୌରପାଳିକାରେ ବ୍ୟାପକ ଅନିୟମିତତା, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଅଭିଯୋଗରେ ଆଜି ଟାଉନ ପୁଲିସ ସୁନ୍ଦରଗଡ଼ ପୌରପାଳିକାର ପୂର୍ବତନ ପୌର ଯନ୍ତ୍ରୀ ଜୟନ୍ତ ନାରାୟଣ ପଣ୍ଡାଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ବେଳେ ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରିବା ପାଇଁ ଖୋଜିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି ।

ପୁଲିସ ସୂତ୍ରରୁ ପ୍ରକାଶ, ସୁନ୍ଦରଗଡ଼ ପୌରପାଳିକାର ଅବସ୍ଥାପିତ କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ଗତ ଦିନ ମାନଙ୍କରେ ପୌର ଯନ୍ତ୍ରୀ ଜୟନ୍ତ ନାରାୟଣ ପଣ୍ଡା ଓ ତତ୍କାଳୀନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର ୧କୋଟିରୁ ଉର୍ଦ୍ଧ ଟଙ୍କାର ମୌଖିକ କାର୍ଯ୍ୟାଦେଶ ଦେଇ ଠିକାଦାରମାନଙ୍କୁ କାର୍ଯ୍ୟ କରିବା ପାଇଁ କୁଆଡ଼େ ନିର୍ଦେଶ ଦେଇଥିଲେ । ଅଧିକାରୀମାନଙ୍କ ମୌଖିକ ଆଦେଶନୁସାରେ ଠିକଦାର ମାନେ କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ ହିଁ ସେମାନଙ୍କୁ ସେ ବାବଦର ବିଲ ପୈଠ କରାଯାଇନଥିଲା । ପରବର୍ତ୍ତୀ ସମୟରେ ପୌରଯନ୍ତ୍ରୀ ପଣ୍ଡା ନିଳମ୍ବିତ ହୋଇଥିବା ବେଳେ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ।

କାର୍ଯ୍ୟ କରିଥିବା ଠିକାଦାରମାନେ ଏ ସଂପର୍କରେ ପୌର ପ୍ରଶାସକ ଦାୟିତ୍ବରେ ଥିବା ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କ ପାଖରେ ଅଭିଯୋଗ କରିଥିଲେ । ଏଭଳି ଅଭିଯୋଗ ପାଇବା ପରେ ଜିଲାପାଳ କଲ୍ୟାଣ ଉପଜିଲାପାଳ ଅଭିମନ୍ୟୁ ବେହେରାଙ୍କ ନେତୃତ୍ବରେ ଏକ ଦଳ ଗଠନ କରି ଅଭିଯୋଗ ଉପରେ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟରୁ ମଧ୍ୟ ଦୁଇ ଅଧିକାରୀଙ୍କ ଅନିୟମିତତା, ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଓ ସରକାରଙ୍କ ପ୍ରଦତ୍ତ ମାର୍ଗଦର୍ଶିକାକୁ ଉଲଂଘନ କରି ବେଆଇନ କାର୍ଯ୍ୟ କରିଥିବାର ସ୍ପଷ୍ଟ ହୋଇଥିଲା । ଫଳରେ ଆଜି ପୌର ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ଟାଉନ ଥାନାରେ ଏ ଦୁଇ ଅଧିକାରୀଙ୍କ ବିରୁଧରେ ଏକ ଏତଲା ଦାଏର କରିଥିଲେ । ଏତଲା ପାଇବା ପରେ ସୁନ୍ଦରଗଡ଼ ଏସ.ପି ସାଗରିକା ନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସ.ଡି.ପି.ଓ ମଧୁଶିକ୍ତା ମିଶ୍ର, ଟାଉନ ଥାନା ଅଧିକାରୀ ସୂର୍ଯ୍ୟକାନ୍ତୀ ଦାଶ ପ୍ରମୁଖ ପ୍ରାଥମିକ ଅନୁସନ୍ଧାନ କରି ପୂର୍ବତନ ପୌରଯନ୍ତ୍ରୀ ଜୟନ୍ତ ନାରାୟଣ ପଣ୍ଡାଙ୍କୁ ଆଜି ସନ୍ଧ୍ୟାରେ ଗିରଫ କରି ଅଦାଲତ ଚାଲାଣ କରିଥିଲେ । ଶେଷ ସମ୍ବାଦ ଲେଖା ହେଲାବେଳକୁ ଗିରଫ ପୌରଯନ୍ତ୍ରୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିବାର ଜଣାପଡ଼ିଛି ।

Comments are closed.