ସ୍ବତନ୍ତ୍ର ପକ୍ସୋ ଅଦାଲତର ଗୁରୁତ୍ବପୂର୍ଣ୍ଣ ରାୟ, ଡକାୟତି ଓ ଗଣଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ ଅଦାଲତର ବିଚାରପତି ପାର୍ଥସାରଥୀ ପଟ୍ଟନାୟକ ୨୦୧୬ରେ ଚର୍ଚ୍ଚିତ ଡକାୟତି ଓ ନାବାଳିକାକୁ ଗଣଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହ ଜରିମାନା ଆଦାୟ କରିବା ପାଇଁ ରାୟ ଶୁଣାଇବା ସହ ପୀଡ଼ିତା ନାବାଳିକାକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦେଶ ଦେଇଥିବାର ଜଣାପଡ଼ିଛି । ମକଦ୍ଦୋମାର ବିବରଣୀରୁ ପ୍ରକାଶ, ରାଏବଗା ଥାନା ଅଞ୍ଚଳ​‌େ​‌ର ଗତ ୧୨.୧୦.୨୦୧୬ ଦିନ ପୀଡ଼ିତା ନାବାଳିକା ଓ ତାଙ୍କ ସାଙ୍ଗ ନିକଟସ୍ଥ ଚର୍ଚ୍ଚକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ । ସନ୍ଧ୍ୟା ୭ଟା ବେଳେ ନିକଟସ୍ଥ ଦୋକାନରେ ଚିହ୍ନା ପରିଚୟ ଦୁଇଜଣ ଯୁବକଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ୩ ଅଭିିଯୁକ୍ତ ଅଜୟ, ବିରେନ୍ଦ୍ର ଓ ମୁକ୍ତି ସମେତ ୫ଜଣ ସେଠାରେ ପହଞ୍ଚି ନାବାଳିକାଙ୍କ ସାଙ୍ଗକୁ ପ୍ରଥମେ ଗାଲରେ ଏକ ଚାପୁଡ଼ା ମାରିଥିଲେ। ଏହାପରେ ତାଙ୍କ ସହ କଥାବାର୍ତ୍ତା ହେଉଥିବା ଅନ୍ୟ ଦୁଇଜଣ ଯୁବକଙ୍କୁ ମଧ୍ୟ ମାଡ଼ ମାରିଥିଲେ। ନିକଟରେ ଥିବା ଏକ ବାଡ଼ିରେ ମଧ୍ୟ ମାଡ଼ ମାରିବା ସହ ସେମାନଙ୍କ ଟଙ୍କା ଓ ମୋବାଇଲ ଛଡ଼ାଇ ନେଇଥିଲେ । ଫଳରେ ଏହି ଦୁଇଜଣ ଯୁବକ ଭୟରେ ଘଟଣାସ୍ଥଳରୁ ଚାଲିଯାଇଥିଲେ। ସେମାନେ ସେଠାରୁ ଚାଲିଯିବା ପରେ ଅଭିଯୁକ୍ତ ଅଜୟ ଓ ମୁକ୍ତି ନାବାଳିକାଙ୍କୁ ନିକଟସ୍ଥ ଜଙ୍ଗଲକୁ ଜବରଦସ୍ତି ଟେକିନେଇ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ତିନିଜଣ ନାବାଳିକାଙ୍କ ସାଙ୍ଗକୁ ଜଗି ରହିଥିଲେ।

 

ମାଡ଼ ଖାଇ ଘଟଣାସ୍ଥଳରୁ ଚାଲିଯାଇଥିବା ଦୁଇ ଯୁବକ ଗ୍ରାମବାସୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ତିନିଜଣଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଏମାନଙ୍କୁ ଥାନାକୁ ନେଇଯାଇଥିଲେ ।  ନାବାଳିକାଙ୍କ ସାଙ୍ଗ ରାଏବଗା ଥାନାରେ ଏତଲା ଦେବାରୁ  ପୁଲିସ ଡକାୟତି ସମେତ ପସ୍କୋ ଆକ୍ଟର ବିଭିନ୍ନ ଦଫାରେ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ । ଗତ ୧୬.୯.୨୦୨୧ ରେ ଉଭୟ ପକ୍ଷର ଜବାବସୱାଲ ବେଳେ ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ଦେବାଶିଷ ମିଶ୍ର ଏଭଳି ଏକ ସମ୍ବେଦଶୀଳ ଓ ଘୁର୍ଣ୍ଣ୍ୟ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଦୁଷ୍ଟ୍ରାନ୍ତ ମୂଳକ ଶାସ୍ତି ବିଧାନ ପାଇଁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ବିଚାରପତି ପଟ୍ଟନାୟକ ଉଭୟ ପକ୍ଷର ଯୁକ୍ତିତର୍କ ଶୁଣିବା ପରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବା ପାଇଁ ନିଜ ରାୟରେ ଉଲ୍ଲେଖ କରିଥିଲେ। ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୧୦ଲକ୍ଷ ଟଙ୍କା ପ୍ରଦାନ କରି ଏହାକୁ କୌଣସି ଏକ ଜାତୀୟକରଣ ବ୍ୟାଙ୍କରେ ସ୍ଥାୟୀ ଜମା ରଖିବା ପାଇଁ ନିର୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ, ଆଜି ଏହି ରାୟ ରାଏବଗା, ବୀରମିତ୍ରପୁର ତଥା ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.