ବାଟବଣା ପୋଷାକ ତତ୍ତ୍ବ!

ଫୁଙ୍ଗୁଳା ଦେହକୁ ଯେନତେନ ଢାଙ୍କିଦେବା ‘ପୋଷାକ’ ନୁହେଁ। ପୋଷାକ ଏକ ତତ୍ତ୍ବ, ମାନସିକତାର ପ୍ରତୀକ। ଏହା ମର୍ଯ୍ୟାଦାସମ୍ପନ୍ନ ଓ ମାର୍ଗ ଦର୍ଶକ। ବ୍ୟକ୍ତି ପାଇଁ ଗୌରବ ଭିଆଉଥିବା ପଞ୍ଚ ‘ବ’କାର ମଧ୍ୟରେ ‘ବସ୍ତ୍ର’ ଏକ ଆଭରଣ, ଆଭୂଷଣ ଭାବେ ସ୍ବୀକୃତ। କୁହାଯାଇଛି, ‘‘ବିଦ୍ୟୟା, ବପୁଷା, ବାଚା, ବସ୍ତ୍ରେଣ, ବିଭବେନଚ, ବକାର ପଞ୍ଚଭିର୍ଯୁକ୍ତଂ ନରଃ ପ୍ରାପ୍ନୋତି ଗୌରବମ୍‌।’’ ଅତ୍ୟାଚାରୀ ମୋଗଲ ସମ୍ରାଟମାନଙ୍କ ସହ ଲଢ଼ିବାକୁ, ଏକ ଜାତିକୁ ସମର୍ପିତ ଭାବମୟ କରିବାକୁ ଶିଖ୍‌ ଗୁରୁ ‘‘ଦାଢ଼ି, କେଶ କୃପାଣ’’ ପ୍ରତୀକରେ ସଜେଇ ଦେଲେ, ମଜେଇ ଦେଲେ ଗୋଟେ ଜାତିକୁ। ସେଦିନୁ ଦେଖୁନା କୋଟିଏ ଲୋକରେ ଶିଖ୍‌ଟିଏ କେମିତି ବାରି ହୋଇପଡ଼ୁଛି। ଶିର ଦେଙ୍ଗେ ସାର୍‌ ନେହିଁ ଦେଙ୍ଗେ, ଶିର ଦିଆ ପର ଶିଶ୍‌ ନ ଦିଆ’’ ଭାବ ଓ ଜିଦ୍‌ରେ ଏ ଜାତିକୁ କେମିତି ଜିଦିଆ, ଲଢ଼ୁଆ ବନେଇ ଦେଲେ! ୟେ ପୋଷାକର କିମିଆ। ଦେହ ବୈଭବକୁ ଅନ୍ତର୍ନିହିତ ମନୋଗତ, ମନମୟ କରିଦେବା ପୋଷାକ, ପରିଚ୍ଛଦର ଚାତୁରୀ, ସ୍ବାତନ୍ତ୍ର୍ୟ।

ପ୍ରଭୁ ଜଗନ୍ନାଥ ତ ସେମିତି ସୁନ୍ଦର। ତାଙ୍କୁ ଆହୁରି ଭକ୍ତ ମନଭେଦା କରିବାକୁ ନିଇତି ତ ବଡ଼ଠାକୁରଙ୍କ ‘ବଡ଼ ସିଂହାର’, ‘ସାନ ସିଂହାର’ ବ୍ୟବସ୍ଥା। ମନେପଡ଼େ, ଶ୍ରୀକ୍ଷେତ୍ରସ୍ଥ ଏକ ମଠରେ ରାତ୍ରି ଯାପନର ଅନୁଭୂତି ଓ ସ୍ମୃତି। ଆକର୍ଷଣୀୟ ପରିବେଶ ପାଇଁ, ପର୍ଯ୍ୟଟନର ବିଳାସ ନିଶାଗ୍ରସ୍ତ, ମଠ ମନ୍ଦିର, ନୃଶଂସ ଭାବେ ଭାଙ୍ଗି ପକଉଥିବା ସରକାର ବା କର୍ମକର୍ତ୍ତା ଏକୁ କାହୁଁ ଅନୁଭବ କରି ପାରିବେ? ଭାବ ତ ନାହିଁ, ଅନୁଭବ ଆସିବ କୋଉଠୁ, କେମିତି? ମଠର ମହନ୍ତ ମହାପ୍ରୁ ତାଙ୍କ ‘ମଦନମୋହନ’ଙ୍କ ପହୁଡ଼ ପାଇଁ ବସ୍ତ୍ର ହକାଳିବା ବେଳେ ଗୁଣୁଗୁଣୁ ହୋଇ ବୋଲୁଥିବା ସଙ୍ଗୀତଟିଏ ତାଙ୍କ ଆଖିରେ ତୁହାକୁ ତୁହା ଲୁହ ଜକେଇ ଦେଉ ନ ଥାଏ କେବଳ, ନିଗିଡ଼େଇ ଦେଉଥାଏ ବି। ଆଃ କି ଭାବ, ସେ ବୋଲୁଥାନ୍ତି, ‘‘ଶ୍ୟାମ ନାଗର ହେ, ଏ ବେଶ ହୋଇବ ନାହିଁ, ଏ ବେଶ ହୋଇଲେ ପାଷାଣ ତରଳେ ଯୁବତୀ ରହିବେ କାହିଁ? ପିନ୍ଧିଥିବ ତୁମ୍ଭେ ପୀତାମ୍ବରୀ ଯେବେ ବଇଁଶୀ ଫୁଙ୍କିବ ନାହିଁ ଶ୍ୟାମ ନାଗର ହେ।’’ ଇତ୍ୟାଦି। କାଇଁ ସେ ସଙ୍ଗୀତ! କାଇଁ ସେ ଭାବ! ୟେ ସବୁ କୁଆଡ଼େ ଏ ପୀଠକୁ ବିଶ୍ବସ୍ତରୀୟ କରିବାରେ ଅନ୍ତରାୟ! ଏମାନଙ୍କ ପାଇଁ ହେଇଥିବ! ଆରେ ବାବୁ, ‘‘ଯେ ପକ୍ଷୀ ଉଡ଼େ ଯେତେ ଦୂର, ସେ ଜାଣେ ତହିଁର ବେଭାର।’’ ଘରଚଟିଆ, ବାଦଲ ଛୁଆଁ ଶଙ୍ଖଚିଲର ଅନୁଭବ, ଅନୁଭୂତି ପାଇବ କୋଉଠୁ? ଛାଡ଼ନ୍ତୁ ସେ କଥା। ନୋହିଲେ ପୋଷାକ ତତ୍ତ୍ବ ଓ ଭାବ ବିଲିବିଲା ହୋଇଯିବ। ‘ପୋଷାକ’ ସଂସ୍କୃତି କେବଳ ମଣିଷଠେଇ ଅଛି।

ମଣିଷ କେବଳ ଲଙ୍ଗଳା ଦିଶେ ଓ ଏହା ବିକାର ସୃଷ୍ଟି କରେ। ଗୁଣ୍ଡୁଚି ମୂଷାଠୁ ଆରମ୍ଭ କରି ମାଈ ହେଉ କି ଅଣ୍ଡିରା ହେଉ, ବାଘ, ଭାଲୁ, ହାତୀ, ସିଂହ, ମିରିଗ କି ଶୁଆ-ଶାରୀ କୁ ଲଙ୍ଗଳା ଦିଶନ୍ତି? ଏକୁ ଅଧିକ ଫେଣେଇବା ଅରୁଚିକର କେବଳ ହେବନି, ପ୍ରାସଙ୍ଗିକତାକୁ ଅଧିକ ଜଟିଳ ଓ ଦୀର୍ଘ କରିବ। ତେବେ ଜୈନ ସମ୍ପ୍ରଦାୟର ଦିଗମ୍ବର ଗୋଷ୍ଠୀ, ବହୁ ସାଧକ ଓ ପ୍ରତିଷ୍ଠିତ ମହାତ୍ମାମାନେ ଏ ଦେଶରେ ଉଲଗ୍ନ ଜୀବନଯାପନ କରୁଥିଲେ, ତାଙ୍କର ଏ ଫୁଙ୍ଗୁଳା ବା ଲଙ୍ଗଳା ଦେହ ତ କାଇଁ କୋଉ ଲୋକଠି ବିକାର ସୃଷ୍ଟି କରେନି? ବରଂ ତାଙ୍କ ପାଦତଳେ ସାଷ୍ଟାଙ୍ଗ ଲୋଟି ଯାଆନ୍ତି ଏମାନେ, ପ୍ରଭୁଠାରୁ କୃପା ଆଶୀର୍ବାଦ ପାଇବା ପରି। ପ୍ରସଙ୍ଗତଃ ତୈଲଙ୍ଗ ସ୍ବାମୀଙ୍କ କଥା ମନକୁ ଆସେ। ସଦା ଉଲଗ୍ନ ଏ ମହାନ ସନ୍ଥ ସାଧକ ଗଙ୍ଗା ଜଳରେ ସର୍ବଦା ମାଛ ପରି ଭାସୁଥା’ନ୍ତି। ବେଳେବେଳେ କୂଳରେ ଲାଗନ୍ତି। ସେତେବେଳେ ଭକ୍ତ ଓ ଶିଷ୍ୟଗଣ ତାଙ୍କ ସେବାର ସୁଯୋଗ ପାଆନ୍ତି।

ଏ ଦେଶ ବିଲାତ ସରକାରଙ୍କ ଶାସନାଧୀନ ଥିଲା। ଜଣେ ସାଇବ ପୁଲିସ ହାକିମ ସସ୍ତ୍ରୀକ ବୁଲୁଥିବା ବେଳେ ଏକ ପ୍ରସିଦ୍ଧ ଘାଟରେ ଏ ସାଧୁ ଉଲଗ୍ନ ପଡ଼ିଥିବା ଦେଖି ତାଙ୍କ ‘ଅସଭ୍ୟତା’ରେ ବିରକ୍ତ ହୋଇଗଲେ, ତାଙ୍କୁ ପାଞ୍ଚଆଇନ ଅନୁସାରେ ଗିରଫ କରାଗଲା ଓ ଅଦାଲତରେ ହାଜର କରାଗଲା। ଭକ୍ତ ଓ ଶିଷ୍ୟଗଣ ସ୍ବାମୀଙ୍କ ଅନିଚ୍ଛା ସତ୍ତ୍ବେ ଓକିଲ ଦେଲେ। ଜବାବ ସୁଆଲରେ ଓକିଲ ଜଜ୍‌ସାଇବଙ୍କୁ କହିଲେ, ‘‘ହଜୁର, ବିକାର ହିଁ ପୋଷାକ ତତ୍ତ୍ବର ସ୍ରଷ୍ଟା। ୟେ ତ ଜିତେନ୍ଦ୍ରିୟ ନିର୍ବିକାର ମହାତ୍ମା। ଏକ ଷୋଡ଼ଶୀ ସୁନ୍ଦରୀ ସ୍ପର୍ଶ ଏକ ବୃଦ୍ଧା ବା ପଶୁ ସ୍ପର୍ଶଠାରୁ ସାମାନ୍ୟ ଭିନ୍ନ ଭାବ ଏଙ୍କଠି ସୃଷ୍ଟି କରିପାରିବନି। ତାଙ୍କ ଦେହ ଓ ମନ ଏସବୁ ବିକାର ପାଖେ ନିସ୍ତେଜ ହୋଇ ଯାଇଛି। ତେଣୁ ବସ୍ତ୍ର ବା ବିବସ୍ତ୍ରର ଟିକିଏ ବି ପ୍ରଭାବ ବା ଆବଶ୍ୟକତା ଏଙ୍କଠି ନାହିଁ।’’

ଏଥିରେ ‘ବିଚାରପତି’ ସ୍ତବ୍ଧ ହୋଇଗଲେ। ଏମିତି ଜଣେ ମଣିଷ ଥାଇ ପାରନ୍ତି ବିଶ୍ବାସ କରି ପାରୁ ନ ଥିଲେ। ପ୍ରମାଣ ତ ଆବଶ୍ୟକ। ସେଇଠି ବିଚାର ସ୍ଥଗିତ ରଖି, ମଧ୍ୟାହ୍ନ ଭୋଜନ ବିରତିରେ ଚାଲିଗଲେ। ଆମିଷଭୋଜୀ ଏ ସାଇବ ବିଚାରପତିଙ୍କ ଖାଦ୍ୟରେ ଗୋମାଂସ ମୁଖ୍ୟ ଥିଲା। ସେ ‘ଗୋ-ମାଂସ’ର ଉଚ୍ଛିଷ୍ଟ ଖାଦ୍ୟ ପଡ଼ିଥିବା ଭୋଜନ ସ୍ଥଳକୁ ସ୍ବାମିଜୀଙ୍କୁ ଡକାଇଲେ। କହିଲେ, ‘‘ସ୍ବାମିଜୀ, ଆପଣ ନିର୍ବିକାର ବୋଲି ଆପଣଙ୍କ ଓକିଲ ସୁଆଲ କଲେ। ଯଦି ଏହା ସତ୍ୟ ମୋ ଉଚ୍ଛିଷ୍ଟ ଏ ଗୋ-ମାଂସର ତର୍କାରି ଆପଣ ଖାଇ ପାରିବେ?’’ ପ୍ରଶ୍ନ ପଚାରି ଚାହିଁ ରହିଲେ ବିଚାରପତି ଓ ଏ ଅଇଁଠା ଗୋ-ମାଂସ ତର୍କାରି ତାଙ୍କୁ ବଢ଼ାଇବାକୁ, ପାର୍ଶ୍ବସ୍ଥ କର୍ମଚାରୀଙ୍କୁ ନିର୍ଦେଶ ଦେଲେ। ଏବେ ପରୀକ୍ଷା ହେବ ଏ ଅସଭ୍ୟ ଲଙ୍ଗଳା ବାଆଜି କେତେ ନିର୍ବିକାର। ତୈଲଙ୍ଗ ସ୍ବାମୀ ତର୍କାରି ପାତ୍ର ଓ ଜଜ୍‌ସାଇବଙ୍କ ଆଡ଼େ ଆଖି ବୁଲାଇ ଦେଇ ଓଲଟା ପ୍ରଶ୍ନ କଲେ, ‘‘ତମେ କ’ଣ ଆମେ ଯାହା ଖାଉ ତା’ ଖାଇ ପାରିବ? ମଣିଷକୁ ଘୁଷୁରି କି ବାଘର ଖାଦ୍ୟ ଯାଚିକି ନିର୍ବିକାର ପ୍ରମାଣିତ କରାଯାଇ ପାରିବ? ଛାଡ଼ନ୍ତୁ ସେ ତତ୍ତ୍ବାଲୋଚନା। ତମେ ଏ ଗରିଷ୍ଠ ଭାବକୁ କଳନା ବା ଜୀର୍ଣ୍ଣ କରିପାରିବନି। ବିସ୍ମିତ ଜଜ୍‌ ନିର୍ଭୀକ ଏ ସାଧୁଙ୍କୁ ପଚାରିଲେ, ‘‘ଆପଣ କ’ଣ ଖାଆନ୍ତି କି?’’ ଉଲଗ୍ନ ଦଣ୍ଡାୟମାନ ଏ ଭାରତୀୟ ଯୋଗୀ ଟିକିଏ କୁନ୍ଥେଇ ହେଲେ। ପାଟକପୁରା କଦଳୀ ଭଳି ଏକ ଲେଣ୍ଡ ବାହାରିପଡ଼ିଲା। ସେଇ ବିଷ୍ଠା ଖଣ୍ଡକୁ ଧରି ସ୍ବାମୀ ଦେଶୀ ପାଚିଲା କଦଳି ଖାଇବା ପରି ଖାଇବା ଆରମ୍ଭ କରିଦେଲେ। ଘୃଣା, ବିସ୍ମୟରେ ଶିହିରି ଉଠିଲେ ପ୍ରଜ୍ଞାଶୀଳ ଇଂରାଜୀ ବିଚାରପତି। ‘‘ଛି ଛି ବୋଲି ଚିତ୍କାର କରି ଏଙ୍କୁ ତୁରନ୍ତ ଏଠୁ ବାହାର କର ବୋଲି ନିର୍ଦେଶ ଦେଲେ। ସଙ୍ଗେ ସଙ୍ଗେ ଉପସ୍ଥିତ ପୁଲିସଗଣ ତାଙ୍କୁ ପେଲି ପେଲି ବାହାରକୁ ନେଉଥିବାବେଳେ ଅଧାଖିଆ ବିଷ୍ଠାକୁ ସାଇବଙ୍କ ଗାଲିଚା ଉପରେ ପକାଇଦେଲେ। ଜଜ୍‌ ତାଙ୍କୁ ତୁରନ୍ତ ଖଲାସ ଆଦେଶ ଦେଲେନି କେବଳ, ଅଦାଲତ ପରେ ଗଙ୍ଗାକୂଳକୁ ଯାଇ ତାଙ୍କ ପାଦଛୁଇଁ ପ୍ରଣାମ କରିଥିଲେ। ୟେ ହେଲା ନଗ୍ନତା ଓ ପୋଷାକ ତତ୍ତ୍ବର ଏକ ଝଲକ ମାତ୍ର।

ରାମକୃଷ୍ଣ ତ ପୋଷାକ ଉପରେ ଲେଖିଲେ, ‘‘ସାଧୁଏ ଧରନ୍ତି ଭେକ, ଏଥିରେ କି ଅଛି କାରଣ ଦେଖ, ମୋ ବାଇଧନ, ବେଶରେ ମନର ଟେକ। ପିନ୍ଧିଲୁଗା ପରିପାଟୀ, ସୁନ୍ଦର ଫିରାଇ ମୁଣ୍ଡରେ କାଟି ମୋ ବାଇଧନ ମନରେ ଯେ ଭାବନାଟି। ସାଧୁଙ୍କର ଭେକ ଧରି, ଗେରୁଆ ଲୁଗାରେ ଦେହ ଆବୋରି ମୋ ବାଇଧନ, ଆସେ କି ଭାବ ସେପରି।’’ ଯାହା ହେଲେ ବି ସଭ୍ୟଜଗତର ମୋହରମରା ହେବାକୁ ହେଲେ ‘ପୋଷାକ’ ଏଡ଼େଇ ହେବନି। ଓକିଲ ବାବୁମାନଙ୍କର ପୋଷାକ ଭିନ୍ନ ଯେମିତି ପୁଲିସ ବାବୁମାନଙ୍କର, ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ପୋଷାକ ପରିଧାନ ଓ ଡାକ୍ତରଖାନାରେ ସେବିକାମାନଙ୍କ ପରିଧାନ ବି ଭିନ୍ନଭିନ୍ନ ଓ ନିର୍ଦିଷ୍ଟ। ପୋଷାକରୁ ଜଣାପଡ଼ିଯାଏ କିଏ, କ’ଣ। ପୂର୍ବର ଶାସକ ରଜା ସମ୍ରାଟମାନଙ୍କର ପୋଷାକର ଥାଟ ଦେଖୁନା। ‘ରାଜମୁକୁଟ’ ତ ରାଜା ପାଇଁ ଅପରିହାର୍ଯ୍ୟ ଆଭରଣଟେ। ତେବେ ଆଜିକାଲି ପୋଷାକ ତତ୍ତ୍ବ ସଭ୍ୟ, ଅସଭ୍ୟତା, ଚେତନା, ଶୃଙ୍ଖଳା ଆଦିଠୁ ଛିଟିକି ଯାଇ ବରଂ ସୌଖୀନ, ବିଳାସ ଓ ବହୁ କ୍ଷେତ୍ରରେ ଅଶ୍ଳୀଳ ବନି ଯାଇଛି।

ଏମିତି ପୋଷାକଠୁ ବରଂ ଉଲଗ୍ନତା ଶ୍ରେୟସ୍କର। ନବଯୌବନାର ଗୋପନ ‘ଯୌବନସମ୍ଭାର’ର ଖୋଲା ନିମନ୍ତ୍ରଣ ଏ ପୋଷାକରୁ ସଦା ବିକିରିତ, ବିଚ୍ଛୁରିତ ହେଇଥାଏ। ଦିଲ୍ଲୀରୁ ରାଜଧାନୀ ରେଳରେ ଫେରିବା ବେଳେ ସେଠି ଥିବା ଜଣେ ସତୁରି ଅଶୀ ବର୍ଷର ବୃଦ୍ଧ ଓ ଗୋଟିଏ ନବ ଯୌବନା ଷୋଡ଼ଶୀର କଥା କୌତୂହଳ ଯେମିତି ଲଜ୍ଜାକର ବି ସେମିତି ଥିଲା। ଅଖା ଭଳି ଦିଶୁଥିବା କନା (ଜିନ୍‌) ନିର୍ମିତ ତାଙ୍କ ଲମ୍ବ ପେଣ୍ଟରେ ଠିକ୍‌ ଆଣ୍ଠୁ ଉପରେ ଏତେ ବଡ଼ କଣା ଓ ତା’ ଉପରକୁ ଆଉ ଗୋଟେ କଣା ଦେଖି ଏ ବୃଦ୍ଧ ବିସ୍ମିତ ହୋଇଯାଇଥିଲେ। ବିଚାରୀ ଲଳନା ପ୍ରତି ତାଙ୍କର କରୁଣା ଜାତ ହେଲା। ପୋଷାକର ଏ ସ୍ଥାନରେ ଏ ଭଳି କଣା ଓ ଫଟା ଏ ଝିଅଟିକୁ କେତେ ଅପଦସ୍ଥ ଓ ଲଜ୍ଜିତ ନ କରୁଥିବ ଭାବି ତା’ର ବାପାଙ୍କୁ କହିଲେ, ‘‘ଏଡ଼େ ବଡ଼ ଝିଅଟେ ତାକୁ ଏ କଣା ପେଣ୍ଟ ପିନ୍ଧାଇ ରେଳରେ କେମିତି ଆଣୁଛନ୍ତି?’’

ଏହା ପରେ ମହାଭାରତ ଆରମ୍ଭ ହୋଇଗଲା। ବୃଦ୍ଧଙ୍କୁ ରକ୍ଷା କରିବାକୁ ଯାଇ, ତାଙ୍କର ସହଯାତ୍ରୀ ଆଉ ଜଣେ, ଝିଅର ବାପାଙ୍କୁ କ୍ଷମା ମାଗିଲେ ଓ ଏହା ଆଜି କାଲିକା ପୋଷାକର ଢଙ୍ଗ (ଷ୍ଟାଇଲ) ବୋଲି ବିଚରା ବୃଦ୍ଧ ଜାଣି ନ ଥିବା ବୁଝାଇଲେ। ନଗ୍ନ ଉପଭୋଗର ଆମନ୍ତ୍ରଣ ଦେଉଥିବା ପୋଷାକ କି ଶୀଳତା? ବରଂ ଅଶ୍ଳୀଳତାର ଉଦ୍ରେକକାରୀ ଓ ନିମନ୍ତ୍ରଣ। ଇୟେ ଆଜିର ବାଟବଣା ପୋଷାକତତ୍ତ୍ବ, ଅଶ୍ଳୀଳତା, ଅସଭ୍ୟତାର ଶୀଳ ଓ ସଭ୍ୟତା ଉପରେ ଲଦା ଅବାଞ୍ଛିତ ବୋଝ। ଏକୁ ଏବେ ବୁଝୁଛି କିଏ? ଯା’ ହେଉ ଆଶ୍ବାସନାର କଥା ଏ ସରକାର ଓ ତାଙ୍କ ଅମଲାମାନେ ଏକୁ ବୁଝିବା ଭଳି ଏକ ନଗଦ ନିର୍ଦେଶରୁ ଅନୁଭବ ହେଲା।

ବଡ଼ଦେଉଳରେ ଜଗାଙ୍କ ସେବାୟତମାନେ ‘ଜଗା’ର ଚଳନ୍ତି ପ୍ରତିମାର ସମ୍ମାନ ପାଇଥା’ନ୍ତି। ବଡ଼ଦେଉଳ ଭିତରେ ହେଉ କି ବଡ଼ଦାଣ୍ଡରେ ହେଉ କି ରେଳ ଷ୍ଟେସନରେ ହେଉ ଜଣେ ସେବାୟତଙ୍କୁ ଦେଖିଲେ ତାଙ୍କ ପାଦ ଛୁଇଁବାକୁ ହାତ ଏବେ ବି ଆପେ ଆପେ ଚାଲିଯାଏ। ଜନତାର ଏ ବିଶ୍ବାସବୋଧ ଓ ଭାବକୁ ନିଷ୍ଠୁର ଭାବେ କେତେକ ବେପାରକରା ସେବାୟତ ଆହତ ଓ ବିପନ୍ନ କରୁଛନ୍ତି। ଜଣେ ପୁରୋହିତ, ଜଣେ ସେବକ ଓ ସେବାୟତର ଭାବମୂର୍ତ୍ତି ତା’ ପୋଷାକ ପରିଚ୍ଛଦ ଶତକଡ଼ା ଅଶୀ ପ୍ରଥମ ଦେଖାରୁ ସୃଷ୍ଟି କରିଥାଏ। ମାତ୍ର ଏବେ ପଶ୍ଚିମାସଭ୍ୟତାମୁଖୀ ଉଦ୍‌ଭ୍ରାନ୍ତ ସେବାୟତଙ୍କ ମଧ୍ୟରୁ କେତେକ ଲମ୍ବ ପେଣ୍ଟ ଓ ଭିନ୍ନ ଢଙ୍ଗର କମିଜି ପିନ୍ଧି, ଜଣେ ନୂଆ ନାଗର ବେଶରେ ‘ଜଗା’ଙ୍କ ସିଂହାସନ ଯାଏ ଖେଦି ପାରୁଛନ୍ତି।

ଏଥିରେ ତାଙ୍କର କେତେ ହାନି ଲାଭ ହେଉଛି ତା’ ଭିନ୍ନ କଥା ଓ ଏଥିରେ କାହାର ବି ଯା’ଆସ ନାହିଁ। ମାତ୍ର ଭକ୍ତଙ୍କ, ଜନତାର, ଏ ସଂସ୍କୃତିର ଭାବାବେଗକୁ ଆହତ, ବ୍ୟାହତ ଓ ବିପନ୍ନ କରିବାର ଅଧିକାର ତାଙ୍କୁ ଦେଲା କିଏ? ଠିକ୍‌ ସମୟରେ, ଶ୍ରୀମନ୍ଦିର ପରିଚାଳନା ସମିତି ଏଥିରେ ହସ୍ତକ୍ଷେପ କରିଛନ୍ତି। ପାରମ୍ପରିକ ବସ୍ତ୍ର ବା ଆଭରଣ, ଶୃଙ୍ଖଳା ଏଠି ଯଥାର୍ଥରେ ଲାଗୁ ହୋଇଛି। ଏଥିପାଇଁ ବହୁ ଭକ୍ତ, ବହୁ ଭାବମୟ ଜନତାର କୃତଜ୍ଞତା ଓ ସାଧୁବାଦ ସେମାନେ ଘେନିବେ। ତେବେ ଏହାକୁ ଆଉ ଟିକିଏ ଆଗକୁ ନିଆଯାଇ ଏମାନଙ୍କ ପୂଜାବିଧି ଓ ପୂଜାମନ୍ତ୍ର ଉପରେ ଜ୍ଞାନ ପରଖ ହେଉ ଓ ତଦନୁଯାୟୀ ଏ ମହାର୍ହ ସେବାର ସୁବିଧା ତଥା ସମ୍ମାନ ଦିଆଯାଉ। ଜଗା ବି ଏ କଥା ଚାହୁଁଛନ୍ତି ବୋଧେ! ମଠବାଡ଼ି ଭଙ୍ଗା ନିର୍ଦେଶ ଭିତରେ ଏମିତି ଗୋଟେ ଆଦେଶନାମା, ଲଙ୍କାରେ ହରିଶବ୍ଦ ଭଳି ଲାଗିଲେ ବି ସତ୍ୟ ପ୍ରମାଣିତ ହୋଇଛି। ବୋଲିବାକୁ ହେବ, ‘‘ଯାହାକୁ ହେଉଚୁ ସଦୟ, ବୁଦ୍ଧି ତା’ ହୃଦରୁ ଉଦୟ।’’ ଜୟ ଜଗନ୍ନାଥ। ଜୟ ତମ ମହିମା।

 

 

Comments are closed.