କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରିବ ‘ସୁନ୍ଦରୀ’

ମଧ୍ୟପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଲେ ଜବଲପୁର ହାଇକୋର୍ଟ 

ଭୁବନେଶ୍ବର/ଅନୁଗୋଳ:  ଓଡ଼ିଶାରେ ବାଘ ବଂଶ ବିସ୍ତାର ଲାଗି ଅଣାଯାଇଥିବା ବାଘୁଣୀ ‘ସୁନ୍ଦରୀ’ (ଟି-୨)  ର ଭାଗ୍ୟ ଏବେ ଅନ୍ଧାର । ଓଡ଼ିଶା ସରକାର ସୁନ୍ଦରୀକୁ ରଖିବାକୁ ଚାହୁଁ ନାହାନ୍ତି, ମଧ୍ୟପ୍ରଦେଶ ସରକାର ଏହାକୁ ଫେରାଇ ନେବାକୁ ଅରାଜି । ଏହି ସ୍ଥିତିରେ ‘ସୁନ୍ଦରୀ’ ମାମଲା ଅଦାଲତରେ ପହଞ୍ଚିଛି । ମଧ୍ୟପ୍ରଦେଶର ଜବଲପୁର ହାଇକୋର୍ଟରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି ।  ‘ସୁନ୍ଦରୀ’କୁ ତୁରନ୍ତ ଏନକ୍ଲୋଜରରୁ ମୁକ୍ତ କରି ଫେରାଇ ନେବା ଓ ତାହାକୁ କାହ୍ନା ବ୍ୟଘ୍ର ଅଭୟାରଣ୍ୟରେ ରଖିବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଜବଲପୁର ହାଇକୋର୍ଟ । ଅନ୍ୟପକ୍ଷରେ  ସୋମବାର ଓଡ଼ିଶା ସରକାର ସୁନ୍ଦରୀ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବା ନିମନ୍ତେ ଏନଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ)ର ହସ୍ତକ୍ଷେପ ଲୋଡ଼ିଛନ୍ତି ।

ଆନ୍ତଃରାଜ୍ୟ ବ୍ୟାଘ୍ର  ଟ୍ରାନ୍ସଲୋକେସନ୍ କାର୍ଯ୍ୟକ୍ରମ ଅଧୀନରେ ୨୦୧୮ ଜୁନମାସରେ  ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରୁ ସୁନ୍ଦରୀ ଓଡ଼ିଶା ଆସିଥିଲା । ଏହାକୁ ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିଲା । ମାତ୍ର ୨୦୧୮ ସେପ୍ଟେମ୍ବର ମାସରେ ସୁନ୍ଦରୀ  ଅଭୟାରଣ୍ୟର କୋର ଅଞ୍ଚଳରେ ଜଣେ ମହିଳା ଓ ଜଣେ ବ୍ୟକ୍ତିଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଲୋକମାନେ ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ଶେଷରେ ସୁନ୍ଦରୀକୁ ବନ ବିଭାଗ ଅଧିକାରୀମାନେ କାବୁ କରି ଏନକ୍ଲୋଜର ମଧ୍ୟରେ ଛାଡ଼ିଥିଲେ ।

ଏହାପରେ  ବାଘୁଣୀ ସୁନ୍ଦରୀ ସମ୍ପର୍କରେ ଓଡ଼ିଶା ଓ ମଧ୍ୟପ୍ରଦେଶ ବନ ବିଭାଗ ମଧ୍ୟରେ ଅନେକ ପତ୍ର ବିନିମୟ ହୋଇଥିଲେ ମଧ୍ୟ ସୁନ୍ଦରୀର ଭାଗ୍ୟ ନିର୍ଧାରଣ ହୋଇପାରି ନାହିଁ । ଶେଷରେ ପୁନର୍ବାର ଓଡ଼ିଶା ବନ ବିଭାଗ ଏଥିରେ ଏନଟିସିଏର ହସ୍ତକ୍ଷେପ ଲୋଡ଼ିଛି । ଦୁଇଜଣଙ୍କୁ ଶିକାର କରିବା ପରେ ଏନକ୍ଲୋଜରରେ ଥିବା ସୁନ୍ଦରୀ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଏନଟିସିଏକୁ ଚିଠି ଲେଖାଯାଇଥିବା ରାଜ୍ୟ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଯଦି ମଧ୍ୟପ୍ରଦେଶ ସରକାର ସୁନ୍ଦରୀକୁ ଫେରାଇ ନେବାକୁ ପଦକ୍ଷେପ ନ ନିଅନ୍ତି ତେବେ ଏନଟିସିଏ, ରାଜ୍ୟ ବନ ବିଭାଗ ଓ ଡ଼ବ୍ଲ୍ୟୁଇଇ (ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ) ଏ ସମ୍ପର୍କରେ ମିଳିତ ନିଷ୍ପତ୍ତି ନେବେ ବୋଲି ମଧ୍ୟ ସେ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବନ୍ୟଜନ୍ତୁ ସଂରକ୍ଷଣ ଓ ପ୍ରାଣୀ ଅଧିକାର ନିମନ୍ତେ ଲଢ଼ୁଥିବା ଏକ ସ୍ବେଚ୍ଛାସେବୀ ସଂସ୍ଥା ରେଡ଼ ଲିନକ୍ସ ବ୍ୟାଘ୍ର ପ୍ରକଳ୍ପ ଓ ସୁନ୍ଦରୀର ସ୍ଥିତି ସମ୍ପର୍କରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛି । ଏଥିରେ ଓଡ଼ିଶା ବନ ବିଭାଗ ‘ସୁନ୍ଦରୀ’କୁ ନେଇ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ଅନେକ ପ୍ରଶ୍ନ ଉଠାଯାଇଛି । ଏପରିକି ବନ୍ୟଜୀବ ସଂରକ୍ଷଣ ଆଇନ ୧୯୭୨ ର ଉଲ୍ଲଙ୍ଘନ କରାଯାଇ ସୁନ୍ଦରୀକୁ ବର୍ଷାଧିକ କାଳ ଏନକ୍ଲୋଜରରେ ରଖାଯିବାକୁ ନେଇ ମଧ୍ୟ ଏଥିରେ ପ୍ରଶ୍ନ କରାଯାଇଛି । ତେଣୁ ସୁନ୍ଦରୀକୁ ଓଡ଼ିଶାର ସାତକୋଶିଆରୁ ପୁନର୍ବାର ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରାଇ ଆଣିବା ପାଇଁ ଏହି ଜନସ୍ବାର୍ଥ ମାମଲାରେ ଅନୁରୋଧ କରାଯାଇଛି । ମଧ୍ୟପ୍ରଦେଶ ହାଇକୋର୍ଟ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ ନିମନ୍ତେ ନିର୍ଦେଶ ଦେବା ସହ ସୁନ୍ଦରୀକୁ ଏନକ୍ଲୋଜରରୁ ଫେରାଇ ନେଇ କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରାଇ ନେବାକୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସଞ୍ଜୟ ଯାଦବ ଓ ବିଚାରପତି ବିଜୟ କୁମାର ଶୁକ୍ଲା ନିର୍ଦେଶ ଦେଇଛନ୍ତି ।

 

Comments are closed.