ନାବାଳିକା ଗର୍ଭପାତ : ବୀରମିତ୍ରପୁର ଓ ରାଏବୋଗାରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ

ଆରଜିଏଚ୍‍ରୁ ଡିସଚାର୍ଜ ହେଲେ ପୀଡ଼ିତା

ସୁନ୍ଦରଗଡ଼ : ବୀରମିତ୍ରପୁର ନାବାଳିକା ଗର୍ଭପାତ ପ୍ରସଙ୍ଗର ଚର୍ଚ୍ଚା ଥମୁନଥିବା ବେଳେ ଆଜି ତଦନ୍ତ ପ୍ରକ୍ରିୟା ମଧ୍ୟ ଏକ ଭିନ୍ନ ମୋଡ଼ ନେଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଉକ୍ତ ମାମଲାରେ ଜଣେ ପୁଲିସ ଇନ୍ସପେକ୍ଟରଙ୍କ ସଂପୃକ୍ତିର ଅଭିଯୋଗ ଆସିବା ପରେ ତଦନ୍ତ ଦାୟିତ୍ୱ ଜିଲା ପୁଲିସ ହାତରୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ଘୋଷଣା ପରେ ଆଜି କ୍ରାଇମବ୍ରାଞ୍ଚ ଏସ.ପି ତପନ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ସିଧାସଳଖ ବୀରମିତ୍ରପୁର ଥାନା ଓ ପୀଡ଼ିତାଙ୍କ ଥାନା ଅଞ୍ଚଳ ରାଏବୋଗାରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଏ ଘଟଣାର ତଦନ୍ତ କରୁଥିବା ଜିଲା ପୁଲିସର ମହିଳା ଡି.ଏସ.ପି ଜ୍ୟୋସ୍ନାମୟୀ ପ୍ରଧାନଙ୍କ ସହ ତଦନ୍ତ ସଂପର୍କରେ ଆଲୋଚନା ମଧ୍ୟ କରିଛନ୍ତି। ପୁଲିସ ପକ୍ଷରୁ ଏ ସଂପର୍କରେ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ଉକ୍ତ ଘଟଣାରେ ପୂର୍ବରୁ ପୀଡ଼ିତା ବାରମ୍ବାର ବୟାନ ବଦଳାଇବା, ସିଡବ୍ଲୁସିଙ୍କ ରିପୋର୍ଟ, ଡାକ୍ତରଖାନାରେ ଗର୍ଭପାତ ଓ ଗର୍ଭପାତ ସମୟରେ ପୀଡ଼ିତା ଡାକ୍ତରଙ୍କୁ କୌଣସି ବ୍ୟକ୍ତିବିଶେଷଙ୍କ ସଂପର୍କରେ ସୂଚନା ଦେଇଥିଲେ କି ନାହିଁ ? ସର୍ବପରି ସମଗ୍ର ଘଟଣାକ୍ରମରେ ନିଲମ୍ବିତ ପୁଲିସ ଇନ୍ସପେକ୍ଟରଙ୍କ ସଂପୃକ୍ତି ସଂପର୍କରେ ଆସିଥିବା ଅଭିଯୋଗ ଓ ପୁଲିସ ହେପାଜତକୁ ଆସିବା ପୂର୍ବରୁ ନାବାଳିକାଙ୍କ ରହଣୀ, କାର୍ଯ୍ୟକଳାପ ଉପରେ ମଧ୍ୟ ବିଶେଷ ତଦନ୍ତ କରାଯିବା ସହ ଦିଲ୍ଲୀରୁ ଆସି କ୍ୱାରେନଣ୍ଟାଇନରେ ଥିବା ପୀଡ଼ିତାଙ୍କ ମାଙ୍କ ବୟାନ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ ନେବେ ବୋଲି ଜଣାପଡ଼ିଛି। ରାଏବୋଗା ଗାଁରେ ପୀଡ଼ିତାଙ୍କ ସଂପର୍କୀୟ ଓ ଘଟଣା ସଂପର୍କରେ ଜାଣିଥିବା ଲୋକଙ୍କଠାରୁ ମଧ୍ୟ ଏହି ଟିମ ବୟାନ ନେବ ବୋଲି ଚର୍ଚ୍ଚା ହେଉଛି। ସନ୍ଧ୍ୟାରେ ପୀଡ଼ିତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରୁ ଡାକ୍ତର ଡିସଚାର୍ଜ କରିବା ପରେ ପୁଲିସ ସୁରକ୍ଷା ମଧ୍ୟରେ ବିଶ୍ରାସ୍ଥିତ ଚାଇଲଡ ଲାଇନ ଗୃହକୁ ପଠାଯାଇଥିବାର ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ମହିଳା ଡି.ଏସ.ପି ସୌଭାଗ୍ୟାଲକ୍ଷ୍ମୀ ପଟ୍ଟନାୟକ ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ରହିଥିବା ବେଳେ ତାଙ୍କୁ ଇନ୍ସପେକ୍ଟର ଜେ.ବି.ଦାସ ଓ ଅନ୍ୟାନ୍ୟ ଅଧିକାରୀମାନେ ସହାୟତା କରିବେ ବୋଲି ଜଣାପଡ଼ିଛି।

Comments are closed.