୫ମ ଦିନରେ ଆମରଣ ଅନଶନ , ଜାଣି ନୀରବ ରହିଛି ପ୍ରଶାସନ!

ସୁନ୍ଦରଗଡ଼ : ବର୍ଷ ବର୍ଷରୁ ଦାବି ହୋଇ ଆସୁଥିବା ବାଙ୍କିବାହାଲ-ଟପରିଆ ରାସ୍ତା ନିର୍ମାଣ ଦାବିରେ ବିସ୍ଥାପିତ ପ୍ରଜା, ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ବିଧାୟିକା ଓ ସାଂସଦଙ୍କ ପ୍ରତିନିଧି ଦ୍ୱୟ ଆରମ୍ଭ କରିଥିବା ଆମରଣ ଅନଶନ ଆଜି ପଞ୍ଚମ ଦିନରେ ପହଞ୍ଚିଥିଲେ ହିଁ ପ୍ରଶାସନ ଓ ଏମ.ସି.ଏଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କେହି ଧାରଣାସ୍ଥଳରେ ଆଲୋଚନା ପାଇଁ ପହଞ୍ଚିନଥିବା ଘଟଣା ସମଗ୍ର ଅଞ୍ଚଳରେ ଏକ ପ୍ରକାର ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି। ଅପରପକ୍ଷରେ ବିସ୍ଥାପିତ ପ୍ରଜା ଓ ସ୍ଥାନୀୟ ଜନସାଧାରଣଙ୍କ ଏହି ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ପ୍ରତି ଲୋକଙ୍କ ସମର୍ଥନ ବଢ଼ୁଥିବା ବେଳେ ଆଜି ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ଶାଖା ନିଜ ଖୋଲା ସମର୍ଥନ ଘୋଷଣା କରିଛି। ଏକ ପ୍ରେସ ଇସ୍ତାହାରରେ ସମାଜର ସାଧାରଣ ସଂପାଦକ ଇଂ.ଦିଲୀପ ପଟେଲ ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ଏମ.ସି.ଏଲ କର୍ତ୍ତୃପକ୍ଷ ଏହି ଆନ୍ଦୋଳନକୁ ହାଲୁକା ଭାବେ ନେବା ଘଟଣା ଉଦବେଗଜନକ ବୋଲି କହି ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହ ସୁନ୍ଦରଗଡ଼-ବଳିଙ୍ଗା ରାସ୍ତାର ମଧ୍ୟ ଉନ୍ନତିକରଣ କରିବା ପାଇଁ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ ଏହାର ଏକକିତା ନକଲ ସୁନ୍ଦରଗଡ଼ ଏସ.ପି ଓ ଏମ.ସି.ଏଲ ଜି.ଏମଙ୍କୁ ପ୍ରଦାନ କରିଥିବାର ଜଣାପଡ଼ିଛି। ସେହିପରି ରେଜିଓନାଲ ୟୁନିୟନ ଫର ଲେବର ଏମପାୱାରମେଣ୍ଟ (ରୁଲ) ସଂଗଠନ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରିଛି। ସଂଗଠନର ସଭାପତି ବିମଲ କୁମାର ପଟେଲ ଏକ ପ୍ରେସ ଇସ୍ତାହାରରେ ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ହେମଗିର ବ୍ଲକର କୋଇଲା ଖଣିରୁ ସରକାର କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାର୍ଥ ପ୍ରତି ଆଖିବୁଜି ଦେବା ଘଟଣା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କହିବା ସହ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅପରପକ୍ଷରେ ବାହାର ରାଜ୍ୟରୁ ଲୋକଙ୍କୁ ଏଠାରେ ନିଯୁକ୍ତି କରି କମ୍ପାନୀ କର୍ତ୍ତୃପକ୍ଷ ବିଶ୍ୱାସଘାତ କରୁଛନ୍ତି ବୋଲି ଅଭିଯୋଗ କରି ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେବା ସହ ଅର୍ଥନୈତିକ ଅବରୋଧକୁ ସମର୍ଥନ ଜଣାଇଛନ୍ତି। ବିଧାୟିକା କୁସୁମ ଟେଟେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲା ପ୍ରଶାସନ, ଏମସିଏଲ କର୍ତ୍ତୃପକ୍ଷ ଓ ରାଜ୍ୟ ପଦସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଥିବାର ଜଣାପଡ଼ିଛି।

Comments are closed.