୮ମ ଦିନରେ ଆମରଣ ଅନଶନ, ଅର୍ଥନୈତିକ ଅବରୋଧ ଜାରି

ସୁନ୍ଦରଗଡ଼ : ବାଙ୍କିବାହାଲ-ଟପରିଆ ରାସ୍ତା ନିର୍ମାଣ ଦାବିକୁ ନେଇ ଚାଲିଥିବା ଆମରଣ ଅନଶନ ଆଜି ଅଷ୍ଟମ ଦିନରେ ପହଞ୍ଚିବା ସହ ଅର୍ଥନୈତିକ ଅବରୋଧ ଜାରି ରହିଥିାବ ବେଳେ ଏହାକୁ ନେଇ ରାଜନୀତି ଦାଓପେଞ୍ଚ ଆରମ୍ଭ ହୋଇଯାଇଛି। ହେମଗିର ଲୋକଙ୍କ ଅସଲ ସମସ୍ୟା ଓ ବିସ୍ଥାପିତ ସମସ୍ୟାକୁ ଅଣଦେଖା କରି ଚାଲିଥିବା ପ୍ରଶାସନ ଓ ଏମ.ସି.ଏଲ କର୍ତ୍ତୃପକ୍ଷ ଅର୍ଥନୈତିକ ଅବରୋଧ ଯୋଗୁଁ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଜିଲାପାଳ ନିଖିଲ ପବନ କଲ୍ୟାଣ ଆମରଣ ଅନଶନରୁ ଓହରିଯିବା ପାଇଁ ଅନୁରୋଧ କରି ଯଥାଶୀଘ୍ର ଏଥିପାଇଁ ପଦକ୍ଷେପ ନେବେ ବୋଲି କହିଥିବା ବେଳେ ଆନ୍ଦୋଳନକାରୀ ନିଜ ଯିଦିରେ ଅଟଳ ରହିଛନ୍ତି। ଅର୍ଥନୈତିକ ଅବରୋଧ ଚାଲିଥିବା ୫ଟି ସ୍ଥାନ ମଧ୍ୟରୁ ଗୋଟିଏ ସ୍ଥାନ (ତୁମଲିଆ)ରେ ଉପଜିଲାପାଳ ଅଭିମନ୍ୟୁ ବେହେରା ଓ ସଦର ଏସଡିପିଓ ମଧୁଶିକ୍ତା ମିଶ୍ର ତୁମଲିଆ ଲୋକଙ୍କ ସହ ଆଲୋଚନା କରି ଆଠ ଦିନ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ଏଠାରେ ଆନ୍ଦୋଳନ ସାମୁହିକ ଭାବେ ସ୍ଥଗିତ ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ସଦର ବିଧାୟିକା କୁସୁମ ଟେଟେ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ହେମଗିର ବ୍ଲକରୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିଲେ ହିଁ ଏ ଅଞ୍ଚଳର ଲୋକଙ୍କ ଉନ୍ନତି, ପାରିପାର୍ଶ୍ବିକ ଉନ୍ନୟନ, ସିଏସଆର ପାଣ୍ଠିର ସଦଉପଯୋଗ ହୋଇ ପାରୁନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବିସ୍ଥାପିତ ହୋଇଥିବା ଗୋଟିଏ ଗ୍ରାମ ମଧ୍ୟ ସଂପୂର୍ଣ୍ଣ ଭାବେ ଥଇଥାନ ହୋଇପାରି ନାହିଁ। ସେହିପରି ବାଙ୍କିବାହାଲ-ଟପରିଆ ରାସ୍ତା ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିଲେ ହିଁ କେବଳ ପ୍ରତିଶୃତି ଓ ଅନ୍ୟାନ୍ୟ ଆଳ ଦେଖାଇ ଏହା ନିର୍ମାଣ କରାଯାଇ ପାରୁ ନାହିଁ। ଫଳରେ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ବୋଲି ବିଧାୟିକା ଟେଟେ କହିବା ସହ ଜନସାଧାରଣଙ୍କ ଦାବି ଯୁକ୍ତିଯୁକ୍ତ ଓ ଏହାର ସମସ୍ୟାର ସମଧାନ ନିତ୍ୟାନ୍ତ ଆବଶ୍ୟକ ବୋଲି ଯୁକ୍ତି ବାଢ଼ିବା ସହ ଯଦି ଏହା ନ ହୁଏ ତା ହେଲେ ଆସନ୍ତା ସୋମବାରଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେ ନିଜେ ଅନଶନରେ ବସିବେ ବୋଲି ଘୋଷଣା କରିବା ସହ ଏମସିଏଲ ଖଣିରୁ ବାରମ୍ବାର କୋଇଲା ଚୋରି ହେଉଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ବିଭିନ୍ନ ସମୟରେ ଏହାକୁ ରୋକିବା ପାଇଁ ଦାବି ହେଉଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ସେ ଅଭିଯୋଗ କରିବା ସହ ସରକାରଙ୍କ ରାଜସ୍ୱ ହାନିର ଦୃଢ଼ ନିନ୍ଦା କରି ଉଚ୍ଚସ୍ତରୀୟ ତଦନ୍ତର ଦାବି କରି କୋଇଲା ସଚିବଙ୍କୁ ଚିଠି ଲେଖିଥିବାର ଜଣାପଡ଼ିଛି। ବିଧାୟିକାଙ୍କ ଏହି ଅଭିଯୋଗ ଉପରେ ଏମସିଏଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ହିଁ ତାହା ସମ୍ଭବପର ହୋଇପାରି ନାହିଁ। ବିଧାୟକିଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ପୂର୍ବତନ ବିଜେପି ଜିଲା ସଭାପତି ସହଦେବ ଖାଖା, ସୁରେନ୍ଦ୍ର ସ୍ୱର୍ଣ୍ଣକାର, ଫୁନିଲାଲ ପ୍ରଧାନ, ବିଶ୍ୱଜିତ ତନ୍ତୀ, ତୁମଲିଆ ସରପଞ୍ଚ କୁମୁଦବନ୍ଧୁ ପ୍ରଧାନ, ମୁଣ୍ଡରକ୍ଷେତ ସରପଞ୍ଚ ଡିଲେଶ୍ୱରୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ନେତୃତ୍ୱରେ ବିଜେଡ଼ିର ଏକ ପ୍ରତିନିଧି ମଣ୍ଡଳୀ ଉପଜିଲାପାଳଙ୍କୁ ସାକ୍ଷାତ କରି ବେନିୟମ ଭାବେ ଚାଲିଥିବା ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଦାବି କରି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ତାଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କିଛି ନିରୀହ ଜନସାଧାରଣଙ୍କୁ ପ୍ରଭାବିତ କରି ରାସ୍ତା ଅବରୋଧ କରି ଧାରଣା ଦେବା କେତେ ଦୂର ଯୁକ୍ତିଯୁକ୍ତ ତାହା ଆଗାମୀ ଦିନରେ ସୁନ୍ଦରଗଡ଼ ଜନସାଧାରଣ ବିଚାର କରିବେ ବୋଲି ଯୁକ୍ତି ବାଢ଼ିଥିଲେ। କରୋନା ମହାମାରୀ ଯୋଗୁଁ ସରକାରଙ୍କ ନିୟମ ମୁତାବିକ କୌଣସି ସଭାସମିତି ବା ଲୋକମାନଙ୍କୁ ଏକତ୍ରିତ କରି ଆନ୍ଦୋଳନ କରିବା ବେଆଇନ ବୋଲି ଏହି ପ୍ରତିନିଧି ମଣ୍ଡଳୀ ଉପଜିଲାପାଳ ବେହେରାଙ୍କୁ କହିଥିଲେ। ତେଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ପଦକ୍ଷେପ ନେବା ପାଇଁ ସେମାନେ ଦାବି କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ପୌରାଧ୍ୟକ୍ଷ ବେଣୁଧର ତାଣ୍ଡିଆ, ବରିଷ୍ଠ ବିଜେଡ଼ି ନେତା ଜୟନାରାୟଣ ତ୍ରିପାଠୀ, ପଙ୍କଜ ଶ୍ରେଷ୍ଠ, ତ୍ରିଲୋଚନ କାକ, ପ୍ରକାଶ ବହିଦାର, ପ୍ରଫୁଲ ଭୈଷା ପ୍ରମୁଖ ସାମିଲ ଥିଲେ।

Comments are closed.