ଆସନ୍ତାକାଲି ସୁନ୍ଦରଗଡ଼ର ଦୁଇଟି ବୁଥରେ ସାନି ମତଦାନ

ସୁନ୍ଦରଗଡ଼: ଗତ ୧୮ ତାରିଖ ଜିଲାରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ଇଭିଏମ ତୃଟିକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାକୁ ଆଖିଆଗରେ ରଖି ସୁନ୍ଦରଗଡ଼ ଜିଲାର ଦୁଇଟି ବୁଥର ମତଦାନକୁ ଜିଲା ନିର୍ବାଚନ ଅଧିକାରୀଙ୍କ ନିର୍ଦେଶକ୍ରମେ ବନ୍ଦ ରଖାଯାଇଥିଲା । ପରେ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ରଶ୍ମିତା ପଣ୍ଡା ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇ ସାନି ମତଦାନ ଓ ତାରିଖ ସ୍ଥିରକୃତ କରିବା ପାଇଁ ଲେଖିଥିଲେ । ସମଗ୍ର ରାଜ୍ୟରେ ୯ଟି ମତଦାନ କେନ୍ଦ୍ରରେ ଏଭଳି ମତଦାନକୁ ସ୍ଥଗିତ ରଖାଯାଇଥିବାରୁ ନିର୍ବାଚନ ଆୟୋଗକୁ ଏ ସମ୍ପର୍କରେ ଜଣାଇ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା । ଆଜି ରାଜ୍ୟ ନିର୍ବାଚନ କମିଶନ ତାଙ୍କ ଚିଠି ନଂ-ଭିଇ(ଏ)-୧୧୧/୨୦୧୯ ୯୩୪୯ ତାରିଖ, ଭୁବନେଶ୍ବର ୨୩.୪.୨୦୧୯ ଚିଠି ନୁସାରେ ସୁନ୍ଦରଗଡ଼ ସମେତ ନୟାଗଡ଼, ବରଗଡ଼, ଗଞ୍ଜାମ ଜିଲାର ନିର୍ବାଚନ ଅଧିକାରୀ ତଥା ଜିଲାପାଳଙ୍କୁ ସୂଚିତ କରାଇଛନ୍ତି । ଏହିକ୍ରମରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ୦୨-(ଏସଟି) ବଣେଇ ବିଧାନସଭା କ୍ଷେତ୍ରର ୧୨୯ ନମ୍ବର ବୁଥ ଉପରପଡ଼ା କେନ୍ଦ୍ରୀକେଲା ୟୁଜି ୟୁ.ପି ସ୍କୁଲ ଓ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ବୁଥ ନମ୍ବର ୨୧୩ ରଙ୍ଗାଢ଼ିପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମତଦାନ କେନ୍ଦ୍ରରେ ସାନି ମତଦାନ ଗୁରୁବାର ଦିନ ଅନୁଷ୍ଠିତ ହେବ ବୋଲି ସ୍ଥିରକୃତ ହୋଇଛି । ବଣେଇ କେନ୍ଦ୍ରରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବାକୁ ଥିବା ବେଳେ ସୁନ୍ଦରଗଡ଼ରେ ସକାଳ ୭ଟାରୁ ଆରମ୍ଭ ସନ୍ଧ୍ୟା ୬ଟା ଯାଏ ଚାଲିବା ପାଇଁ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ସହ ସୁରକ୍ଷା ବ୍ୟବସ୍ଥା ଓ ଆନୁସାଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ରଶ୍ମିତା ପଣ୍ଡା ସୂଚନା ଦେଇଛନ୍ତି । ଜନସାଧାରଣ ଏହି ସାନି ମତଦାନରେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରି ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନାରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।

Comments are closed.