ସୁନ୍ଦରଗଡ଼ ପୁଲିସ ପଞ୍ଝାରେ ଅପମିଶ୍ରଣ ଗ୍ୟାଙ୍ଗ; ମାଷ୍ଟରମାଇଣ୍ଡ ଗିରଫ

ଟ୍ୟାଙ୍କର ସହ ୩୫ହଜାର ଲିଟର ଚୋରା କିରୋସିନି ଜବତ

ସୁନ୍ଦରଗଡ଼ : ବେଶ୍ କିଛି ଦିନ ହେଲା ଚାଲିଥିଲା କିରୋସିନି-ଡିଜେଲ ଅପମିଶ୍ରଣ କାରବାର। କିରୋସିନିରେ ଡିଜେଲ ମିଶାଇ ଲୋକଙ୍କୁ ଡିଜେଲ ମୂଲ୍ୟରେ ବିକ୍ରି କରିବା ବିଶେଷ କରି ଗାଁରେ ଟ୍ରାକ୍ଟର, ପମ୍ପ ଓ ଅନ୍ୟାନ୍ୟ ମାଲବାହୀ ଯାନ ଚାଳକଙ୍କୁ ଏହି ଅପମିଶ୍ରଣ ତେଲ ବିକ୍ରି କରି ବେଶ୍ ଟଙ୍କା ରୋଜଗାର କରୁଥିଲେ ଆନ୍ତଃଜିଲା  ଅପମିଶ୍ରଣ ଗ୍ୟାଙ୍ଗ୍। ଏପରିକି ଏହି ଗ୍ୟାଙ୍ଗ୍ କେତେକ ଟ୍ୟାଙ୍କର ଚାଳକଙ୍କୁ ହାତ କରି ଟ୍ୟାଙ୍କରରେ ଆସୁଥିବା କିରୋସିନି ଓ ଡିଜେଲକୁ ଚତୁରତାର ସହ ବାହାର କରି ଅପମିଶ୍ରଣ କରିଆସୁଥିଲେ। ଏସଂପର୍କରେ ପୁଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା ମାତ୍ର ସଠିକ ସମୟ ଓ ସ୍ଥାନକୁ ପୁଲିସ ଅପେକ୍ଷା କରିଥିବାବେଳେ ଏସ.ପି ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ଭଷ୍ମା ପୁଲିସ ଏହି ଅପମିଶ୍ରଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଥିଲେ। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ପୁଲିସ ନିଜ ପଞ୍ଝାରେ ନେଇଥିଲେ ହିଁ ପଡ଼ୋଶୀ ଝାରସୁଗୁଡ଼ା ଜିଲାର ପଞ୍ଚପଡ଼ାରେ ମଧ୍ୟ ଚଢ଼ାଉ କରିଥିଲେ। ଏଠାରୁ ମଧ୍ୟ କିରୋସିନି ଭର୍ତ୍ତି ଡ୍ରମ ଓ ଅନ୍ୟାନ୍ୟ ସାମଗ୍ରୀ ଏହି ଦଳ ଜବତ କରିଥିଲା। ଜବତ ଚୋରା କିରୋସିନିର ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଜି ଏ ସଂପର୍କରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇ ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ କହିଲେ ଯେ, କିରୋସିନି ଓ ଡିଜେଲ ଅପମିଶ୍ରଣ ହେଉଥିବା ସଂପର୍କରେ ସେ ଅଭିଯୋଗ ପାଇଥିଲେ ଓ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଭଷ୍ମା ପୁଲିସକୁ ଗୋପନୀୟ ନିର୍ଦ୍ଦେଶ ଦେଇଥିବା ବେଳେ ଭଷ୍ମା ପୁଲିସ ଇବନଦୀ କୂଳରେ ଥିବା ଏକ ନିର୍ମାଣଧିନ ଘର ଉପରେ ଚଢ଼ାଉ କରି ପ୍ରାୟ ୯୦ଟି ଡ୍ରମରେ ଭର୍ତ୍ତିଥିବା ୧୮ହଜାର ଲିଟର କିରୋସିନି, ୬ଟି ଖାଲି ଡ୍ରମ୍ ଜବତ କରିବା ସହ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଗିରଫ କରିଥିଲେ।

ଘର ମାଲିକ ମନୋଜ ନାଏକଙ୍କୁ ପଚରାଉଚରା କରିବାରୁ ସେ ପୁଲିସ ଦଳକୁ ଝାରସୁଗୁଡ଼ା ପଞ୍ଚପଡ଼ାରେ ମହଜୁଦ ଥିବା ଚୋରା କିରୋସିନି ଓ ଅନ୍ୟାନ୍ୟ ସାମଗ୍ରୀ ସଂପର୍କରେ ସୂଚନା ଦେଇଥିଲେ। ସଦର ଏସ.ଡି.ପି.ଓ ମଧୁଶିକ୍ତା ମିଶ୍ର, ଭଷ୍ମା ଥାନା ଅଧିକାରୀ କୃପା ବାଗ ସଦଳେବଳେ ଝାରସୁଗୁଡ଼ା ଜିଲାର ପଞ୍ଚପଡ଼ାକୁ ଯାଇ ଚଢ଼ାଉ କରିଥିଲେ ହେଲେ ଏଠାରେ ମଧ୍ୟ ୨୬ଟି ଡ୍ରମରେ ଭର୍ତ୍ତି ହୋଇ ରହିଥିବା ୫ହଜାର୨ଶହ ଲିଟର କିରୋସିନି, ୨୦ଟି ଖାଲି ଡ୍ରମ ଓ ୧୨ହଜାର ଲିଟର ଥିବା ଏକ ଟ୍ୟାଙ୍କର ନଂ-ଓଆର-୧୫ବି-୦୭୨୨କୁ ମଧ୍ୟ ଜବତ କରିବା ସହ ବୋଲେରୋ ପିକଅପ୍ ଭ୍ୟାନ, ଏକ ବାଇକ୍, ମୋଟର ପମ୍ପ ଓ ତେଲ ମାପିବା ସାମଗ୍ରୀଗୁଡ଼ିକୁ ମଧ୍ୟ ଜବତ କରିବା ସଂପର୍କରେ ସୂଚନା ଦେଇଥିଲେ। ତଦନ୍ତରେ ବ୍ୟାଘାତ ହେବା ଦୃଷ୍ଟିରୁ ଅନ୍ୟ ସହଯୋଗୀଙ୍କ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ ମଧ୍ୟ ଏହି ଅପମିଶ୍ରଣ କାରବାରର ଚେର ଲମ୍ବିଥିବାର ଏସ.ପି ସାଗରିକା ପରୋକ୍ଷରେ କହିଛନ୍ତି। ଚୋରା କାରବାର ଗ୍ରାମାଞ୍ଚଳରେ ହେଉ ବା ସହରାଞ୍ଚଳରେ ହେଉ ଏହା ଉପରେ ପୁଲିସ ସତର୍କ ଦୃଷ୍ଟି ରଖିଛି ବୋଲି ଏସ.ପି କହିଥିଲେ। ଗିରଫ ମନୋଜ ନାଏକଙ୍କୁ ଆଜି ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା ମାତ୍ର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

Comments are closed.