୧୧ ସେକେଣ୍ଡରେ ୧୦୦ମିଟର ଅତିକ୍ରମ କଲେ ସୁନାରାମ

- ୬ଟି ସ୍ୱର୍ଣ୍ଣ ସମେତ ୧୭ ପଦକ ହାସଲ କଲେ ଧାନଘେରା ପ୍ରତିଯୋଗୀ

ଖୁଣ୍ଟା: ଧାନଘେରା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ)ର ଧାବକ ସୁନାରାମ ମୁର୍ମୁ ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରି କର୍ମକର୍ତ୍ତାମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଧାନଘେରାର କ୍ରୀଡା ପ୍ରତିଯୋଗୀମାନେ ଭୋପାଳ ଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ଇଏମଆରଏସ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ପ୍ରଦର୍ଶନ କରି ୬ଟି ସ୍ୱର୍ଣ୍ଣ ସହିତ ମୋଟ ୧୭ଟି ପଦକ ହାସଲ କରିଛନ୍ତି। ଆଜି ଶେଷ ଦିନରେ ସୁନାରାମ ମୁର୍ମୁ ୧୯ ବର୍ଷରୁ କମ ବାଳକ ବର୍ଗରେ ୧୦୦ମିଟର ଦୂରତାକୁ ମାତ୍ର ୧୧ ସେକେଣ୍ଡରେ ଅତିକ୍ରମ କରି ସେଠାରେ ଉପସ୍ଥିତ ଜାତୀୟ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୂର୍ବ ଦିନ ସୁନାରାମ ୨୦୦ମିଟରରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଓଡିଶାର ପ୍ରତିଯୋଗୀମାନେ ମୋଟ ୩୮ ଗୋଟି ପଦକ ୧୧ ସ୍ୱର୍ଣ୍ଣ, ୧୪ ରୌପ୍ୟ ଓ ୧୩ଗୋଟି କାଂଷ୍ୟ ପଦକ ପାଇଥିବା ବେଳେ ସେଥିରୁ ଧାନଘେରା ଇଏମଆରଏସକୁ ମୋଟ ୧୭ ଗୋଟି ପଦକ ୬ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୬ ଗୋଟି କାଂଷ୍ୟ ପଦକ ମିଳିଛି।

ଚଳିତ ମାସ ୯ ତାରିଖରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ୨୨ ଗୋଟି ରାଜ୍ୟର ଇଏମଆରଏସ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଧାନଘେରା ଇଏମଆରଏସରୁ ୨୦ଜଣିଆ ଦଳ ପ୍ରତିନିଧିତ୍ୱ କରିଥିବା ବେଳେ ପିଇଟି ନୟନ ରଞ୍ଜନ ପଣ୍ଡା ଓ ଗାଇଡ ଶିକ୍ଷୟିତ୍ରୀ ମଧୁସ୍ମିତା ସାହୁ ସେମାନଙ୍କ ସହିତ ଭୋପାଳ ଗସ୍ତ କରିଥିଲେ।

Comments are closed.