ସୁନାପାଲି ଓରାମପଡା ହତ୍ୟାକାଣ୍ଡ: ପୁଲିସକୁ ତୀବ୍ର ବିରୋଧ, ଧନୁପାଲି ଥାନା ଘେରାଉ

ଜଣେ ଅଭିଯୁକ୍ତ ଓ ସାଥି ଗିରଫ - ଏସପି

ସମ୍ବଲପୁର: ସମ୍ବଲପୁରରେ ପୂର୍ବରୁ ହୁଗୁଳା ପଡି ରହିଥିବା ଆଇନ ବ୍ୟବସ୍ଥାକୁ ସୁଧାର କରାଯାଉଛି ବୋଲି ପୁଲିସ ପ୍ରଶାସନର ଦାବି ସତ୍ୱେ କିନ୍ତୁ ପ୍ରକୃତ କ୍ଷେତ୍ରରେ ଫଳ ଓଲଟା ରହୁଥିବାର ଦେଖିବାକୁ ମିଳୁଛି। ବିଗତ ଡିସେମ୍ବର ମାସରୁ ଏ ପର୍ଯ୍ୟନ୍ତ ୪ଟି ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଥିବା ବେଳେ ସେଥି ମଧ୍ୟରୁ ୩ଟି ହତ୍ୟାକାଣ୍ଡ କେବଳ ଧନୁପାଲି ଥାନା କ୍ଷେତ୍ର ମଧ୍ୟରେ ଘଟିଯାଇଛି। ଶନିବାର ରାତିରେ ସୁନାପାଲି ଓରାମପଡା ଠାରେ ଘଟିଯାଇଥିବା ଜଘନ୍ୟ ହତ୍ୟାକାଣ୍ଡରେ ସରଲାକାନୀ ଗାନ୍ଧୀ ପଡାର ଗଣେଶ ଓରାମ ଓରଫ ବାଙ୍କେ (୨୦) ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ସାଥି ଲବ ଓରାମ (୨୦) ଗୁରୁତର ଆହତ ହୋଇ ବୁର୍ଲା ଭିମସାରରେ ଜୀବନ ସଂଘର୍ଷ ସହିତ କରୁଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ରବିବାର ସକାଳୁ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ବୈଠକ ବସିଥିଲା।

ବୈଠକ ପରେ ପ୍ରାୟ ଏକ ହଜାର ପୁରୁଷ, ମହିଳା, ଯୁବକ ଓ ଯୁବତୀ ପ୍ରତିବାଦ ସ୍ୱରୂପ ଏକ ମାର୍ଚ୍ଚରେ ସୁନାପାଲି ଓରାମପଡାରୁ ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ବାହାରିଥିଲେ। ପୁଲିସର ଅନେକ ବୁଝାସୁଝା ସତ୍ୱେ ଏହି ମାର୍ଚ୍ଚ ଭୂତାପଡା ଠାରେ ପହଂଚିବା ପୂର୍ବରୁ ପୁଲିସ ଅଞ୍ଚଳକୁ ଅବରୋଧ କରି ରଖିଥିଲା। ଦିନ ପ୍ରାୟ ୧୨ଟା ସମୟରେ ଉତ୍ତେଜିତ ଅଞ୍ଚଳବାସୀ ଢ଼ିଲା ପୁଲିସ ବ୍ୟବସ୍ଥା ବିରୋଧରେ ସ୍ଲୋଗାନ ଦେଇ ତୀବ୍ର ବିରୋଧ ପ୍ରଦର୍ଶନ ସହିତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରବଳ ଦାବି କରିଥିଲେ। ସଦର ଏସଡିପିଓ ତପନ ମହାନ୍ତି ଅନେକ ବୁଝାସୁଝା ପରେ ମଧ୍ୟ ସ୍ଥିତି ଆୟତ୍ତକୁ ନ ଆସିବାରୁ ଏସପି ବି. ଗଙ୍ଗାଧର ଘଟଣାସ୍ଥଳକୁ ଆସି ଉତ୍ତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିବା ସମୟରେ ଅଚାନକ ଉତ୍ତ୍ୟକ୍ତ ଜନତା ପୁଲିସ ଅବରୋଧ ଉଲ୍ଲଂଘନ କରି ଭୂତପଡା ଛକ ଠାରେ ରାସ୍ତାରୋକ ସହିତ ଥାନା ଘେରାଉ କରି ଦେଇଥିଲେ।

ପରିସ୍ଥିତି ଅଣାୟତ୍ତର ହେଉଥିବା ବେଳେ ଏସପି ଏହି ହତ୍ୟାକାଣ୍ଡରେ ଜଡିତ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ସକାଳୁ ଧରିଥିବାର କହିବା ପରେ ସ୍ଥିତି ଶାନ୍ତ ପଡିଥିଲା। ଏହା ସହିତ ଏସପି ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ସହିତ ସେହି ଅଞ୍ଚଳରେ କଡା ପୁଲିସ ପେଟ୍ରୋଲିଂ ସମେତ ଅନ୍ୟାନ୍ୟ ଅପରାଧିକ ଗତିବିଧି ଉପରେ ଅଙ୍କୁଶ ଲଗାଇବା ପାଇଁ ନିର୍ଭର ପ୍ରତିଶୃତି ପରେ ଯାଇ ହିଁ ରାସ୍ତାରୋକ ଓ ଥାନା ଘେରାଉ ହଟିଥିଲା।

ଏ ସର୍ମ୍ପକରେ ଏସପି ଗଙ୍ଗାଧର କହିଛନ୍ତି ଯେ, ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ସର୍ମ୍ପକରେ ତଦନ୍ତ କରାଯାଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବଂ ତାକୁ ଫେରାର କରିବାରେ ସହାୟତା କରିଥିବା ଜଣେ ଯୁବକଙ୍କୁ ପୁଲିସ ଅଟକ ରଖିଛି। ତେବେ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଘଟଣା ସର୍ମ୍ପକରେ ଅଧିକ ତଥ୍ୟ ଦେବାକୁ ଏସପି ମନା କରିଥିବା ବେଳେ ଖୁବ ଶିଘ୍ର ସମସ୍ତ ରହସ୍ୟର ଉନ୍ମୋଚନ କରାଯିବ ବୋଲି କହିଛନ୍ତି।

 

ସୁଚନାଯୋଗ୍ୟ ଯେ, ଶନିବାର ରାତ୍ରି ପ୍ରାୟ ୧୦ଟା ସମୟରେ ସରଲାକାନୀର କୌଣସି ଏକ କାମରେ ସୁନାପାଲି ଓରାମପଡା ଠାରେ ଅଭିଯୁକ୍ତ ଓ ତାଙ୍କର ସାଥିମାନଙ୍କ ସହିତ ଝଗଡା ହୋଇଥିଲା। ଫଳରେ ପଡାବସ୍ତି ମଧ୍ୟରେ ଅଭିଯୁକ୍ତ ଅଚାନକ ଏକ ତୀକ୍ଷଣ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ଗଣେଶଙ୍କ ଛାତିରୁ ପେଟ ପର୍ଯ୍ୟନ୍ତ ପ୍ରାୟ ୭ଟି ସ୍ଥାନରେ ଭୂଷି ଦେଇଥିଲେ। ଏହା ସହିତ ଲବଙ୍କୁ ମଧ୍ୟ ଆକ୍ରମଣ କରିଥିବା ବେଳେ ସୌଭାଗ୍ୟବଶତଃ ଆକ୍ରମଣର ମୁକାବିଲା କରି କୌଣସି ପ୍ରକାରରେ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲା। ତେବେ ଗୁରୁତର ଆହତ ଲବଙ୍କ ବାମ ହାତ, ପେଟ, ଛାତି ଓ ଗୋଡରେ ୬ଟି ସ୍ଥାନରେ ଗଭୀର କ୍ଷତ ହୋଇଛି। ଆହତ ଲବ ଜୀବନ ରକ୍ଷା କରି ଘଟଣାସ୍ଥଳରୁ ପ୍ରାୟ ୨ କିମି ଦୂରରେ ରହିଥିବା ନିଜ ଘରକୁ ଦୌଡି ପଳାଇ ଥିବା ବେଳେ ପରେ ପିସିଆର ତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରିଛି। ଅନ୍ୟ ପଟରେ ମୃତ ଗଣେଶଙ୍କ ମୃତଦେହକୁ ଉଦ୍ଧାର କରାଯାଇ ଗତକାଲି ଭିମସାର ଠାରେ ରଖାଯାଇଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତରିତ କରାଯାଇ ଶେଷ ସତ୍କାର କରାଯାଇଛି। ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଭୟ ଓ ଉତ୍ତେଜନାର ମାହୋଲ ଲାଗି ରହିଥିବା ବେଳେ ସହରବାସୀ ପୁଲିସର ବିଫଳତାକୁ ନେଇ କଡା ସମାଲୋଚନା କରୁଥିବାର ଦେଖାଯାଉଛି।

ହତ୍ୟାକାଣ୍ଡ ପଛରେ ମୋବାଇଲ ଲୁଟ ଓ ନିଶା!
ଓରାମପଡା ଠାରେ ଘଟିଯାଇଥିବା ହତ୍ୟାକାଣ୍ଡ ପଛରେ ମୋବାଇଲ ଲୁଟ ଓ ନିଶା ପ୍ରମୁଖ କାରଣ ରହିଥିବାର କୁହାଯାଉଛି। ଅଭିଯୁକ୍ତ ନିୟମିତ ନିଶାସକ୍ତ ଅବସ୍ଥାରେ ରହୁଥିବା ବେଳେ ପୂର୍ବରୁ ଅପରାଧିକ କାଣ୍ଡମାନ ଭିଆଇ ଥିବାର କୁହାଯାଉଛି। ପ୍ରାପ୍ତ ସୂଚନାନୁଯାୟୀ, ଗୁରୁତର ଆହତ ଲବ ଓରାମଙ୍କ ମୋବାଇଲ ଗତ ମାସ ଚୋରି ହୋଇଯାଇଥିବା ବେଳେ ଏ ସର୍ମ୍ପକରେ ସେ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ପରେ ଉକ୍ତ ମୋବାଇଲ ସର୍ମ୍ପକରେ ନିଜେ ଖବର ସଂଗ୍ରହ କରି ପୁଲିସକୁ ଦେବାରୁ ଉକ୍ତ ମୋବାଇଲକୁ ଉଦ୍ଧାର କରାଯାଇଥିଲା ଏବଂ ଲବକୁ ଫେରସ୍ତ କରାଯାଇଥିଲା। ଉକ୍ତ ଘଟଣାକୁ ନେଇ ଗତକାଲି ରାତିରେ ଆକ୍ରମଣକାରୀ ଓ ଲବ ମଧ୍ୟରେ ଝଗଡା ହୋଇଥିବା ବେଳେ ଏଥିରେ ଲବ ବର୍ତ୍ତି ଯାଇଥିବା ବେଳେ ତାଙ୍କର ସାଥି ଗଣେଶ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି।

ମୁଖ୍ୟ ଅଭିଯୁକ୍ତର ରହିଛି ଅପରାଧିକ ପୃଷ୍ଠଭୂମି
ଓରାମପଡା ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ପରିଚୟ ଏ ପର୍ଯ୍ୟନ୍ତ ପୁଲିସ ଖୁଲାସା କରି ନ ଥିବା ବେଳେ ତାଙ୍କର ପୂର୍ବରୁ ଅପରାଧିକ ପୃଷ୍ଠଭୂମି ରହିଥିବାର ଏସପି ଗଙ୍ଗାଧର କହିଛନ୍ତି। ବିଶ୍ୱସ୍ତସୂତ୍ରରୁ ପ୍ରକାଶ ଯେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ କାଣ୍ଡ ଭିଆଇବା ଓ ସାମିଲ ହେବାର ଅଭିଯୋଗ ବିଭିନ୍ନ ଥାନାରେ ରହିଥିବା ବେଳେ ନିକଟରେ ସେ ଜେଲରୁ ଜାମିନରେ ମୁକୁଳିଥିବା ଜଣାପଡିଛି।

 

ମୃତ ଓ ଆହତ ପେଶାରେ ଦିନ ମଜୁରିଆ
ଓରାମପଡା ଠାରେ ହତ୍ୟାର ଶିକାର ହୋଇଥିବା ଗଣେଶ ଓ ଗୁରୁତର ଆହତ ଲବ ପେଶାର ଦିନ ମଜୁରିଆ (ରଙ୍ଗ ମିସ୍ତ୍ରୀ) ଭାବରେ କାର୍ଯ୍ୟ କରି ପରିବାରର ଭରଣପୋଷଣ କରିଥାନ୍ତି। ମୃତ ଗଣେଶଙ୍କ ମାଁ ମୃତ୍ୟୁବରଣ କରି ସାରିଥିବା ବେଳେ ପରିବାରରେ ବାପା, ଭାଇ ଓ ଭଉଣୀ ମାନେ ରହିଛନ୍ତି ଏବଂ ସେ ଘରର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ସେହିଭଳି ଗୁରୁତର ଆହତ ଲବଙ୍କ ପିତା ମୃତ୍ୟୁବରଣ କରି ସାରିଥିବା ବେଳେ ତାଙ୍କର ମାଁ ରହିଛନ୍ତି ଏବଂ ସେ ମଧ୍ୟ ଘରର ଏକୁଟିଆ ମୁଖ୍ୟ ରୋଜଗାର କର୍ତ୍ତା।

ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଓ ଆହତଙ୍କ ଚିକିତ୍ସା କରାଇବ ପ୍ରଶାସନ
ଓରାମପଡା ଠାରେ ହତ୍ୟାର ଶିକାର ହୋଇଥିବା ଗଣେଶଙ୍କ ପରିବାରବର୍ଗଙ୍କୁ ପ୍ରଶାସନ ତରଫରୁ ୨୦ ହଜାର ଟଙ୍କାର ସହାୟତା ରାଶି ସହିତ ଯଥାସମ୍ଭବ ସାହାଯ୍ୟ କରାଯିବ ବୋଲି ଏସପି ଗଙ୍ଗାଧର ପ୍ରତିଶୃତି ଦେଇଛନ୍ତି। ଏହା ସହିତ ଗୁରୁତର ଆହତ ଲବର ସମସ୍ତ ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଛି ବୋଲି ମଧ୍ୟ ଏସପି କହିଛନ୍ତି।

ଥାନା ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ ଗଠିତ ହେବ ସ୍ୱତନ୍ତ୍ର ଟିମ
ଓରାମପଡା ହତ୍ୟାକାଣ୍ଡ ଘଟଣା ସମେତ ଧନୁପାଲି ଅଞ୍ଚଳରେ ବିଗତ ୪ ମାସ ମଧ୍ୟରେ ୩ଟି ଜଘନ୍ୟ ହତ୍ୟାକାଣ୍ଡ ଘଟିବା ସହିତ ଅପରାଧିକ ଗତିବିଧି, ଗୋଷ୍ଠୀ ସଂଘର୍ଷ, ନିଶା କାରବାର ଆଦି ଢ଼େର ବୃଦ୍ଧି ପାଇଥିବାର ଜନତା ଅଭିଯୋଗ କରି ଆସୁଛନ୍ତି। ଏଣୁ ଏସପି ଆଗାମୀ ଦିନରେ ସଦର ଏସଡିପିଓ ଏବଂ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ନେଇ ଦୁଇ ଜଣିଆ କମିଟି ଗଠନ କରି ଥାନାଧିକାରୀଙ୍କ ବିରୋଧରେ ହେଉଥିବାର ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହିତ ଆବଶ୍ୟକସ୍ଥଳରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆନ୍ଦୋଳନରତ ଜନତାଙ୍କୁ ପ୍ରତିଶୃତି ଦେଇଛନ୍ତି।

ଥାନାଧିକାରୀଙ୍କୁ ବହିଷ୍କାର ଦାବି
ଧନୁପାଲି ଥାନାଞ୍ଚଳରେ ଦିନକୁ ଦିନ ଆଇନ ବ୍ୟବସ୍ଥା ଭୂଷୁଡି ପଡୁଥିବାରୁ ଥାନାଧିକାରୀଙ୍କୁ ବହିଷ୍କାର କରିବା ପାଇଁ ଜନତା ଦାବି କରିଛନ୍ତି। ବିଗତ ନଭେମ୍ବର ମାସରେ ନୂତନ ଥାନାଧିକାରୀ ନିଯୁକ୍ତ ହୋଇଥିବା ବେଳେ ତାଙ୍କର କାର୍ଯ୍ୟଶୈଳୀ ଯୋଗୁଁ ଇତି ମଧ୍ୟରେ ୩ଟି ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଛି। ଏହା ସହିତ ଅପରାଧିକ ତତ୍ୱ ମାନେ ନିର୍ଭୟରେ ଅଞ୍ଚଳରେ ବିଚରଣ କରୁଥିବା ବେଳେ ପୁଲିସ କେବଳ ନିରବଦ୍ରଷ୍ଟା ସାଜିଛି ବୋଲି ଜନତା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଣୁ ତୁରନ୍ତ ଥାନାଧିକାରୀଙ୍କୁ ବରଖାସ୍ତ କରି ଜଣେ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଦାବି କରିଛନ୍ତି।

ଜନତାଙ୍କୁ ହାତ ଯୋଡି ଶାନ୍ତ କରାଇଲେ ଏସପି
ଓରାମପଡା ଠାରେ ହତ୍ୟାକାଣ୍ଡ ଘଟଣାର ବିରୋଧରେ ଆସୁଥିବା ରାଲି ଭୂତାପଡା ଠାରେ ଉଗ୍ର ରୂପ ନେବାକୁ ଥିବା ବେଳେ ଏସପି ଘଟଣାସ୍ଥଳକୁ ପହୁଞ୍ôଚ ହାତ ଯୋଡି ସମସ୍ତଙ୍କୁ ଶାନ୍ତ କରାଇଥିବାର ଦେଖାଯାଇଥିଲା। ସ୍ଥିତି ନିମ୍ନଗାମୀ ହେଉଥିବାରୁ ଏସପି ସମସ୍ତଙ୍କୁ ହାତ ଯୋଡି ଶାନ୍ତ ରହି ଆଲୋଚନା କରିବାକୁ ଆହ୍ୱାନ ଦେବାରୁ ସ୍ଥିତିରେ ସୁଧାର ଦେଖାଯିବା ସହିତ ପୁଲିସ ଓ ଜନତା ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା।

ପୂର୍ବ ତିକ୍ତ ଅନୁଭୂତିରୁ ଭାରି ପୁଲିସ ମୁତୟନ
ବିଗତ ଦିନର ତିକ୍ତ ଅନୁଭୂତିରୁ ସମ୍ବଲପୁର ପୁଲିସ ଶିକ୍ଷା ନେଇ ସୁନାପାଲି ଓରାମପଡା, ଭୂତାପଡା, ଧନୁପାଲି ପୁଲିସ ଥାନା ଓ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଭାରି ପୁଲିସ ବଳ ମୁତୟନ କରାଯାଇଥିଲା। କୌଣସି ପ୍ରକାରର ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ପୁଲିସ ଫୋର୍ସ ସମେତ ଜଣେ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ଭୂତାପଡା ଠାରେ ମୁତୟନ କରାଯାଇଥିଲା।

Comments are closed.