MEllora 950×100

ସମସ୍ୟା ଜର୍ଜରିତ ପ୍ରଶାସନର ସାବତ ପୁଅ ସୁନାଝରୀ !

ଅଭିଯୋଗ କଲେ ବନ୍ଧା ହେଉଛନ୍ତି ଲୋକେ, ଅପପୁଷ୍ଟିର ଶିକାର ହୋଇଛନ୍ତି ଶିଶୁ

ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନି, ଖାଦ୍ୟରେ ବନ୍ୟମୂଳ ଭରଷା, ଶୋଷ ମେଣ୍ଟାଉଛି ଝରଣା 

ତେଲକୋଇ : ସରକାର ଆଦିବାସୀଙ୍କ ବିକାଶ ତଥା ଆଦିବାସୀ ଅଞ୍ଚଳର ଉନ୍ନୟନ କରିଥିବା ଓ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁଡିକରେ ଯୋଜନା ସବୁ ଅପହଞ୍ଚ ହୋଇ ରହିଛି । ସରକାରଙ୍କ ଯୋଜନା ଏଠି ଧୂଆଁବାଣ। ଏଭଳି ଏକ ଗ୍ରାମ ହେଉଛି କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ କୁଆଁର ପଞ୍ଚାୟତ ଅନ୍ତର୍ଗତ ସୁନାଝରୀ ଗ୍ରାମ। ଏହି ପାହାଡ ଜଙ୍ଗଲ ଘେରା ଗ୍ରାମରେ ୧୦୦ରୁ ଉର୍ଦ୍ଧ୍ବ ପରିବାରର ପ୍ରାୟ ୫୦୦ ଜଣ ଲୋକ ବସବାସ କରୁଥିବା ବେଳେ ପ୍ରାୟ ସମସ୍ତ ପରିବାର ଆଦିବାସୀ ଭୂୟାଁ ଜନଜାତିର । ଆଦିବାସୀଙ୍କ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାମାନ ରହିଥିବା ବେଳେ ପ୍ରଶାସନିକ ଅବହେଳାରୁ ଏହି ଗ୍ରାମ ସାବତ ପୁଅ ପରି ସବୁ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛି । ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏହି ଗ୍ରାମର ଲୋକ ମାନେ ସ୍ବାଧୀନତାର ସ୍ବାଦ ଚାଖିପାରିନାହାନ୍ତି।
ଏହି ଗ୍ରାମକୁ ଆସିଲେ ଲାଗେ ସତରେ ଯେମିତି ସମୟ ଯନ୍ତ୍ରରେ ୧୦୦ ବର୍ଷ ପଛକୁ ଯାଇ ପହଞ୍ଚି ଯାଇଛେ । ଅଭିଯୋଗ କଲେ ଥାନାରେ ପୁରାଇ ଦିଅନ୍ତି ଅଧିକାରୀ । ଏହି ଗ୍ରାମକୁ ରାସ୍ତା କହିଲେ ଖାଲ-ଢିପ ପଥୁରିଆ ପାହାଡିଆ ରାସ୍ତା, ବିଦ୍ୟାଳୟ କହିଲେ ଝରକା କବାଟ ବିହିନ ୬ଫୁଟ ଉଚ୍ଚ କାନ୍ଥ ବିଶିଷ୍ଟ ଏକ ୧୦-୧୨ କୋଠରୀ ଏବଂ ଭଙ୍ଗା ଶୌଚାଳୟ, ଅଙ୍ଗନୱାଡି କହିଲେ ପ୍ରାୟ ୫ବର୍ଷ ରୁ ଅର୍ଦ୍ଧନିର୍ମିତ ହୋଇ ପଡି ରହିଥିବା ଏକ ଘର, ପାନୀୟଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରାକୃତିକ ଅର୍ଥାତ ପାଣି ପାଇଁ ଝରଣା ଭରଷା। କୁଆଁର ୪୯ନଂ ଜାତୀୟ ରାଜପଥରୁ ପ୍ରାୟ ୧୦ କିଲୋମିଟର ପାହାଡିଆ ପଥୁରିଆ ଖାଲ-ଢିପ ରାସ୍ତା ଦେଇ ଗଲେ ପଡେ ଏହି ଗାଁ । ଗମନାଗମନ, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ, ସୁଷମ ଖାଦ୍ୟ,  ଭତ୍ତା ଓ ଦୂରଭାଷ ସବୁଥିରେ ସମସ୍ୟାରେ ରହିଛି ଏହି ସୁନାଝରୀ ଗ୍ରାମ। ଗ୍ରାମକୁ ସବୁଦିନିଆ ରାସ୍ତା ଖଣ୍ଡେ ନଥିବାରୁ ରୋଗୀ ଏବଂ ଗର୍ଭବତୀଙ୍କୁ ପାଞ୍ଚ କିଲୋମିଟର ଖଟିଆ କିମ୍ବା ଭାରରେ ବୋହି ନେଲା ପରେ ୧୦୮ ଆମ୍ବୁଲାନ୍ସରେ ଯାଆନ୍ତି ଡାକ୍ତରଖାନାକୁ । କେବେ କେବେ ରୋଗୀ ବାଟରେ ଜୀବନ ହାରୁଥିବା ବେଳେ ଗର୍ଭବତୀ ରାସ୍ତାରେ ପ୍ରସବ କରୁଥିବା ନଜିର ରହିଛି ।  ଅଟୋ କିମ୍ବା ଅନ୍ୟ ଭଡା ଗାଡି ସୁନାଝରୀ ନା ଶୁଣିଲେ ଯିବାକୁ ରୋକଠୋକ ମନା କରିଦିଅନ୍ତି । ଫଳରେ ଲୋକ ଚାଲି ଚାଲି ଯିବାଆସିବାକୁ ବାଧ୍ୟ ହୋଇଥାନ୍ତି । ସେହିପରି ପାନୀୟ ଜଳ ପାଇଁ ଲୋକମାନେ ସିଧାସଳଖ ଝରଣା ଉପରେ ଭରଷା କରିବାକୁ ବାଧ୍ୟ ହୋଇଥାନ୍ତି । ବିପଦପୂର୍ଣ୍ଣ ଜଙ୍ଗଲ ରାସ୍ତାରେ ଝରଣାକୁ ଯାଇ ଜଳସଂଗ୍ରହ କରନ୍ତି ଗ୍ରାମର ମହିଳା ମାନେ । ଝରଣାର ଦୂଷିତ ପାଣିକୁ ପାନୀୟ ଭାବେ ଗ୍ରହଣ କରି ବହୁ ସମୟରେ ରୋଗର ଶୀକାର ହେଉଥିଲେ ହେଁ ଅନ୍ୟ କୌଣସି ଉପାୟ ନାହିଁ। ଗ୍ରାମରେ ଦୁଇଟି ନଳକୂପ ରହିଥିଲେ ହେଁ ବ୍ୟବହାର ପାଇଁ ଅଯୋଗ୍ୟ। ଖାଲି ସେତିକି ନୁହେଁ ଶିକ୍ଷା ଏଠି ସମ୍ପୂର୍ଣ୍ଣ ଦୟନୀୟ ଅବସ୍ଥାରେ । ଗୋଟିଏ ଝରକା କବାଟ ନଥିବା ଗୁହାଳ ଭଳି ଏକ ବିପଦସଙ୍କୁଳ ଘରେ ଚାଲିଛି ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢା। ଭବିଷ୍ୟତ ଗଢା ବି ଏମିତି ଯେ ଶିକ୍ଷକ କେବେ ଆସନ୍ତି ପୁଣି କେବେ ଆସନ୍ତିନି। ପୁଣି ଯେଉଁ ଦିନ ସବୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସନ୍ତି ସେଦିନ ଖଣ୍ଡେ ଫାଳେ ଅଣ୍ଡା ଦେଇ ଚଳାଇଦିଅନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ସୁନାଝରୀର ସବୁଠୁ ଶିକ୍ଷିତ ଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଯୁକ୍ତ ଦୁଇ । ଏତେ ଅବହେଳା ଭିତରେ ଅଙ୍ଗନୱାଡି କେନ୍ଦ୍ର ବା କେମିତି ବାକି ରହିଯାଆନ୍ତା। ଅଙ୍ଗନୱାଡି ର ନିଜସ୍ବ ଘର ଖଣ୍ଡିଏ ନାହିଁ । ପାଞ୍ଚ ବର୍ଷରୁ ଅଧିକ ହେବ ନିର୍ମାଣାଧୀନ ରହିଛି ଅଙ୍ଗନୱାଡି କେନ୍ଦ୍ର। ଫଳରେ ଜଣକ ଘରେ ଚାଲୁଛି ଅଙ୍ଗନୱାଡି କେନ୍ଦ୍ର। ଦିଦି ମନହେଲେ ମାସକୁ ଥରେ ଦିଥର ଆସି ଅଣ୍ଡା ଛତୁଆ ବାଣ୍ଟି ଚାଲିଯାଆନ୍ତି। ଗ୍ରାମର ଶିଶୁ ମାନେ ଦୈନିକ ସୁଷମ ଖାଦ୍ୟ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଫଳରେ ବହୁ ଶିଶୁ ଏବେ ଅପପୁଷ୍ଟିର ଶିକାର ହୋଇ ପଡିଛନ୍ତି । ସରକାରୀ ଯୋଜନା ଏବଂ ଯୋଜନା ପାଇଁ ଲୋକ ନିଯୁକ୍ତ ହୋଇଥିଲେ ହେଁ ଶିଶୁ ମାନେ ସୁଷମ ଖାଦ୍ୟ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ପୋଡୁଚାଷରେ ସମ୍ପୂର୍ଣ୍ଣ ନିର୍ଭର ଗ୍ରାମବାସୀଙ୍କ ପାଇଁ ଅନେକ ସମୟରେ ପିତାଳୁ ଏବଂ ଜଙ୍ଗଲୀ ମୂଳ ଭଳି ଜଙ୍ଗଲଜାତ ଦ୍ରବ୍ୟ ଭୋଜନ ଭାବେ ଗ୍ରହଣ କରି ଗୁଜୁରାଣ ମେଣ୍ଟାଇଥାନ୍ତି।
ଅନ୍ୟପକ୍ଷରେ ଏହି ଗ୍ରାମର ଦଶରୁ ଉର୍ଦ୍ଧ୍ବ ବୃଦ୍ଧ-ବୃଦ୍ଧା ଏବଂ ବିଧବା ମହିଳା ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଗୁହାରୀ କରି କରି ଏବେ ଭାଗ୍ୟକୁ ଆଦରି ବସିଛନ୍ତି । ସମସ୍ତେ ପ୍ରତିଶୃତି ଦେଇ ଭୁଲିଯାଇଛନ୍ତି ଏହି ଗ୍ରାମର ଭତ୍ତା ହିତାଧିକାରୀମାନଙ୍କୁ । ଗ୍ରାମରେ ନେଟୱର୍କ ନଥିବାରୁ ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସମସ୍ୟା ବହୁଳ ଏହି ଗ୍ରାମର ସମସ୍ୟାର ସମାଧାନ ତ ଦୂରର କଥା ଅଭିଯୋଗ କଲେ ସରକାରୀ ଅଧିକାରୀ  ଥାନାରେ ପୁରେଇ ଦେବାର ନଜିର ରହିଛି । ଏବେବି ସତେ ଯେପରି ଏହି ଅଞ୍ଚଳରେ ଚାଲିଛି ବ୍ରିଟିଶ ଶାସନ । ପୂର୍ବରୁ ଏହି ଗ୍ରାମର କିଛି ଲୋକ ଗ୍ରାମର ସମସ୍ୟା କୁ ନେଇ ବିଡିଓଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ବିଡିଓ ମହାଶୟ ସମସ୍ୟା ସମାଧାନ କରିବା ବଦଳରେ ଦୁଇଜଣ ଅଭିଯୋଗକାରୀ ନିଶାକର ମନ୍ତ୍ରୀ ଓ ଚକ୍ର ଧର ଆପଟଙ୍କୁ ଦୁଇଘଣ୍ଟା ପାଇଁ ଥାନାରେ ଭର୍ତ୍ତି କରିଦେଇଥିଲେ। ପ୍ରଶାସନ ସାବତ ମା ପରି ଏହି ଗ୍ରାମର ବିକାଶକୁ ଦାୟୀତ୍ବ ବୋଲି ନଭାବି ଦଣ୍ଡ ଦେବାକୁ ଅଧିକାର ବୋଲି ଭାବୁଥିବା ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ । ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ସୁନାଝରୀରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ନପଡିବା ପରିତାପର ବିଷୟ ହୋଇଛି । ସେହିପରି ନେତା ଏହି ଗ୍ରାମକୁ କେବଳ ନିର୍ବାଚନ ସମୟରେ ଆସୁଥିବା ବେଳେ ଅନ୍ୟ ସମୟରେ ଭୁଲିଯାଆନ୍ତି। ଜାତୀୟ ରାଜପଥ ରୁ ମାତ୍ର ଦଶ କିଲୋମିଟର ଦୂରରେ ଅବସ୍ଥିତ ଏକ ଗାଁ ଏଭଳି ଅବସ୍ଥାରେ ରହିଥିବା ବେଳେ ଆଭ୍ୟନ୍ତରୀଣ ଗ୍ରାମ ଗୁଡିକର ଅବସ୍ଥା ଯେ କ’ଣ ଥିବ ତାହା ସ୍ପଷ୍ଟ ଅନୁମାନ କରାଯାଇପାରେ। ଗ୍ରାମର ସମସ୍ତ ସମସ୍ୟା ସମାଧାନ ନହେବା ଯାଏ ଗ୍ରାମବାସୀ ଭୋଟବର୍ଜନ ନିଷ୍ପତ୍ତି ନେଇଥିବା ୱାର୍ଡମେମ୍ବର ପୂର୍ଣ୍ଣିମା ଦେହୁରୀ  ପ୍ରକାଶ କରିଛନ୍ତି।

Comments are closed.