ଝଲସୁଛି ବଡଦାଣ୍ଡ, ସୁନାବେଶରେ ସଜ୍ଜିତ ତିନି ଠାକୁର

ଝଲସୁଛି ବଡଦାଣ୍ଡ, ନବଦିନାତ୍ମମ ଯାତ୍ରାର ଅନ୍ତିମ ଦିବସରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ତିନିରଥ ଉପରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି। କୋଭିଡ୍‍ ଗାଇଡ୍‍ ଲାଇନ୍‍କୁ ମାନି ମାର୍କେଟ୍‍ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡଦାଣ୍ଡରେ କର୍ଫ୍ୟୁ ଜାରୀ କରାଯିବା ସହ ତିନିରଥ ଚାରିପଟେ ବ୍ୟାରିକେଡ୍‍ ନିର୍ମାଣ କରାଯାଇଛି। ଚଳିତ ବର୍ଷ ରଥଯାତ୍ରା ନିରାଡ଼ମ୍ବର ଭାବେ ପାଳିତ ହେଉଥିବାରୁ ଜଗନ୍ନାଥ ପ୍ରେମୀମାନେ ଘରେ ରହି ବିଭିନ୍ନ ଚ୍ୟାନେଲରେ ସୁନାବେଶର ସିଧା ପ୍ରସାରଣ ଦେଖୁଛନ୍ତି।

ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବାପରେ ଶ୍ରୀମନ୍ଦିର ପରିସରରେ ଥିବା ଭିତର ରତ୍ନଭଣ୍ଡାରକୁ ଅପରାହ୍ନ ପ୍ରାୟ ୩ଟା ବେଳେ ଖୋଲାଯାଇଥିଲା। ପରେ ସେଠାରେ ଥିବା ମହଣ ମହଣ ଓଜନର ବିଭିନ୍ନ ରତ୍ନଖଚିତ ର୍ଦୁମୂଲ୍ୟ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ସବୁକୁ ବାହାର କରାଯାଇ ମାଜିଷ୍ଟ୍ରେଟ୍‍ ଓ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ସେବାୟତମାନେ ତିନିରଥ ଉପରକୁ ଆଣିଥିଲେ। ଶ୍ରୀବିଗ୍ରହମାନଙ୍କୁ ସ୍ୱର୍ଣ୍ଣ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଢିଆଣି, ଚନ୍ଦ୍ରସୂର୍ଯ୍ୟ, ଆଡକାନୀ, ଘାଗରାମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣଚକ୍ର ଓ ରୌପ୍ୟ ଚକ୍ର, ହଳମୂଷଳ, ବାହାଡା ମାଳି, କଦମ୍ବମାଳି, ତାବିଜମାଳି, ସେବତୀମାଳି, ତ୍ରିଖଣ୍ଡିକା କମରପଟି ଆଦି ଅଳଙ୍କାରରେ ସଜ୍ଜିତ କରାଯାଇଛି। ଅଳଙ୍କାରଗୁଡିକର ସୁରକ୍ଷା ଲାଗି ତିନିରଥ ଚାରିପଟେ କର୍ଡନ କରାଯାଇ ସେଠାରେ ର‍୍ୟାପିଡ୍‍ ଆକ୍ସନ ଫୋର୍ସଙ୍କ
ସମେତ ବହୁ ସଂଖ୍ୟକ ସଶସ୍ତ୍ର ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ଆଜି ରାତି ପ୍ରାୟ ରାତି ୯ଟା ବେଳକୁ ସୁନାବେଶ ମଇଲମ କରାଯିବାକୁ ସ୍ଥିର କରାଯାଇଛି। ଆସନ୍ତାକାଲି ତିନିରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ପାରମ୍ପରିକ ରୀତି ମତେ ଅଧରପଣା ଭୋଗ କରାଯିବ ଏବଂ ଶନିବାର ସଂଧ୍ୟାରେ ନିଳାଦ୍ରୀ ବିଜେରେ ଠାକୁରମାନେ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଅଧିଷ୍ଠିତ ହେବେ।

Comments are closed.