ବଢୁଛି ଗ୍ରୀଷ୍ମ ପ୍ରବାହ, ଜନଜୀବନ ଅସ୍ତବ୍ୟସ୍ତ

ଉତ୍ତରଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସ୍ମାର୍ଟ ସିଟି ଆଉଟୁ ପାଉଟୁ ହେଉଛି। ଲଗାତର ଭାବେ ପାରଦ ବୃଦ୍ଧି ପାଇ ୪୦ଂ ଉପରେ ରହୁଥିଲା ବେଳେ ଗତ ୩/୪ ଦିନ ତଳେ ହଠାତ୍‍ ପାରଦ ୪୪.୦୨ଂରେ ପହଞ୍ଚି ବିଶ୍ୱର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା। ସହରାଞ୍ଚଳରେ ଯେପରି ଜଙ୍ଗଲ ଓ ପ୍ରାକୃତିକ ଜଳାଶୟ ସହିତ ଜୈବ ବିବିଧତା ପୂର୍ଣ୍ଣ ହୋଇଥିଲା, ବର୍ତ୍ତମାନ ତାହା ଧୀରେଧୀରେ ନଷ୍ଟ ହୋଇ ଚାଲିଛି। ବିକାଶ ପ୍ରକ୍ରିୟାରେ କେବଳ କଂକ୍ରିଟ୍‍ ଜଙ୍ଗଲ ବୃଦ୍ଧି ସହିତ ମାନବୀୟ ଚାପ ପ୍ରଭାବରେ ଜଙ୍ଗଲ ଓ ଗଛଲଟା ପ୍ରାକୃତିକ ଜଳାଶୟ ଉଭାନ ହୋଇ ଗଲାଣି। ଯେଉଁଥିପାଇଁ ପ୍ରତିବର୍ଷ ଶୀତ ଋତୁ ଓ ବର୍ଷା ଋତୁ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଉତ୍ତାପ ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଭୁବନେଶ୍ୱର ଏବେ ଉତ୍ତପ୍ତ ସହରରେ ପରିଣତ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ୨୦୨୦ ସୁଦ୍ଧା ୫୬% ଲୋକ ସହରରେ ବସବାସ କରୁଛନ୍ତି। ଆସନ୍ତା ୨୦୫୦ ବେଳକୁ ଏହା ୭୦%ରେ ପହଞ୍ଚିବ। ସେହି ତୁଳନାରେ ଯେଭଳି ଭାବେ ଜଙ୍ଗଲ ନଷ୍ଟ ସହିତ ଜୈବ ବିବିଧତା ନଷ୍ଟ ହେଉଛି ଆଗାମୀ ଦିନରେ ଏହା ଏକ ବିପଦର କାରଣ ହେବ ବୋଲି ଆଶଙ୍କା କରାଯାଉଛି। ବିଗତ ୫୦ ବର୍ଷ ତଳେ ଯେତେ ପ୍ରକାର ବଡ଼ ବୃକ୍ଷରାଜି, ଗୁଳ୍ମ ଏବଂ ପ୍ରାକୃତିକ ଜଳାଶୟ ଓ ଖୋଲା ପଡ଼ିଆ ରହିଥିଲା ସେହି ଅନୁପାତରେ ଏବେ କ୍ରମଶଃ ବିକାଶ ପ୍ରକ୍ରିୟାରେ ବିଲୁପ୍ତ ହେଉଛି। କହିବାକୁ ଗଲେ ରାସ୍ତାଘାଟ କୋଠାବାଡ଼ି ନିର୍ମାଣ ପାଇଁ ପ୍ରତ୍ୟେକ ସ୍ଥାନରୁ ପୁରାତନ ଗଛ ବ୍ୟାପକ ଭାବେ କଟାଯାଉଛି। ଚନ୍ଦକା ଜଙ୍ଗଲ ଏବେ ସଂକୁଚିତ ହେବାରେ ଲାଗିଛି। ଏହାର ଗୋଟେ ଗୋଟେ ଅଂଶକୁ ମଧ୍ୟ ସହରୀକରଣରେ ମିଶାଇ ଦିଆଯାଉଛି।


ଏ ସମ୍ପର୍କରେ ଗତ କିଛି ଦିନ ତଳେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେଯେ ଗତ ୧୧ ବର୍ଷ ଭିତରେ ୧୪ କୋଟି ୮୫ ଲକ୍ଷ ଗଛ କଟାଯାଇଛି। ୨୯ଲକ୍ଷ ୭୩ହଜାର ନୂତନ ଚାରା ରୋପଣ କରାଯାଇଛି। ତେବେ କଥା ହେଉଛି ସେଥିମଧ୍ୟରୁ କେତେ ଗଛ ବଞ୍ଚିଛି ତା’ର କିଛି ହିସାବ ନାହିଁ। ପରିବେଶବିତଙ୍କ କହିବା ଅନୁସାରେ ଚାରା ରୋପଣ ସହଜ କିନ୍ତୁ ରକ୍ଷଣାବେକ୍ଷଣ ଓ ବଞ୍ଚାଇବା ସହଜ ନୁହେଁ। ତେଣୁ ଚାରା ରୋପଣ ସରକାରୀ ବିଭାଗ ଦାୟିତ୍ବ ନନେଇ ବେସରକାରୀ ସଂସ୍ଥାକୁ ଦେଲେ ତାହା ଯଥାସମ୍ଭବ ସଫଳ ହେବ । ସେମାନଙ୍କ ପାଇଁ ନିର୍ଦିଷ୍ଟ ଭାବେ ନିୟମ କରାଯାଇ ପର୍ଯ୍ୟାୟକ୍ରମେ ୬ ବର୍ଷ ଭିତରେ ପ୍ରାପ୍ୟ ପ୍ରଦାନ କରାଗଲେ ସଂସ୍ଥା ଗୁଡ଼ିକ ଏଥିପ୍ରତି ଅଧିକ ଯତ୍ନବାନ ହେବେ। ତେଣୁ ସହରର ବିଭିନ୍ନ ଖାଲି ସ୍ଥାନରେ ଛୋଟ ଛୋଟ ସବୁଜିମା ଜଙ୍ଗଲ ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ ବୋଲି ପରିବେଶବିତ୍‍ କହିଛନ୍ତି। ଏହାକୁ ଗୁରୁତ୍ୱ ଦେଇ ବିଏମ୍‌ସି, ବିଡିଏ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏକ କମିଟି ଗଠନ କରାଯାଇଛି। ସର୍ଭେ ପାଇଁ ଏକ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି। ଅନେକ ଦିନ ବିତିଲାଣି କମିଟି ଗଠନ ପ୍ରକ୍ରିୟା ଝୁଲି ରହିଛି। ଏ ଦିଗରେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରାଯାଇଛି।

courtesy : interview times

ଅଶୋକ ମିଶ୍ର (ସିଟି ଡିଏଫ୍‍ଓ): ବର୍ତ୍ତମାନ ସମୟରେ ଭୁବନେଶ୍ୱର ସହରର ୫୦ଭାଗ ସ୍ଥାନରେ ଗୃହ ନିର୍ମାଣ, ୩୦ଭାଗ ସ୍ଥାନରେ ଲେନ୍‌ ରାସ୍ତାଠାରୁ ଆରମ୍ଭ କରି ରାଜପଥ ପର୍ଯ୍ୟନ୍ତ ରାସ୍ତାଘାଟ ନିର୍ମାଣ ହୋଇଛି। ଏହାକୁ ହିସାବକୁ େନଲେ ୮୦ଭାଗ ସ୍ଥାନ କଂକ୍ରିଟ୍‌ ଜଙ୍ଗଲରେ ପରିବର୍ତ୍ତନ ହୋଇଛି। ଅବଶିଷ୍ଟ ୨୦ଭାଗ ଖୋଲା ସ୍ଥାନ ଭାବେ ରହିଛି। ସେଥିମଧ୍ୟରୁ କିଛି ଭାଗ ସବୁଜ ଅଞ୍ଚଳ ଦେଖାଯାଉଛି। ସବୁଜ ଅଞ୍ଚଳ କମ୍‍ ଥିବାରୁ ଗ୍ରୀଷ୍ମ ନିୟନ୍ତ୍ରଣ କରିବା ସମ୍ଭବ ହେଉନି। ସହରରେ ମାତ୍ରାଧିକ ଭାବେ ଶୀତତାପ ଯନ୍ତ୍ର ବ୍ୟବହାର ଯୋଗୁଁ ତାର ପ୍ରଭାବ ଏବଂ ଗାଡି ମୋଟରରୁ ନିର୍ଗତ ଧୂଅାଁର ପ୍ରଭାବ ମଧ୍ୟ ଗରମରେ ସହାୟ ହେଉଛି।
ଡ. ସୁନ୍ଦର ନାରାୟଣ ପାତ୍ର (ସଭାପତି, ଓଡ଼ିଶା ପରିବେଶବିତ୍‍ ସୋସାଇଟି): ପୂର୍ବାପେକ୍ଷା ବର୍ତ୍ତମାନ ଜଳଚକ୍ରରେ ବିଭ୍ରାଟ ସୃଷ୍ଟି ହୋଇଛି। ସଠିକ୍‍ ସମୟରେ ବର୍ଷା ଏବଂ ଶୀତ ବି ଅନୁଭୂତ ହେଉନାହିଁ। ଜଳବାୟୁ ପରିବର୍ତ୍ତନ ସହିତ ଶୁଖିଲା ବାୟୁମଣ୍ଡଳ ଯୋଗୁଁ ବର୍ଷା ମଧ୍ୟ ହେଉନାହିଁ। କାଳକ୍ରମେ ଭୂତଳ ଜଳସ୍ତର ହ୍ରାସ ପାଉଥିବାବେଳେ ଅଳିଆ ଆବର୍ଜନା ଜାଳିବା, ଜଳାଶୟ ପୋତି ନିର୍ମାଣ କାର୍ଯ୍ୟ କରିବା ଉତ୍ତାପ ବୃଦ୍ଧି କରାଉଛି। ତେଣୁ ବ୍ୟାପକ ଜଙ୍ଗଲ ସୃଷ୍ଟି, ଜୈବିକ ଭାବେ ଶକ୍ତି ଉତ୍ପାଦନ କରାଯିବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା କାର୍ଯ୍ୟକ୍ରମ ରହିଛି।
ଜେ.କେ. ପାଣିଗ୍ରାହୀ (ପରିବେଶ ବିଶେଷଜ୍ଞ): ବିଗତ କିଛି ବର୍ଷର ହିସାବ ନେଲେ ଭୁବନେଶ୍ୱର ସହରରେ ଉତ୍ତାପର ପ୍ରଭାବ ସୃଷ୍ଟି ହୋଇଛି। ଏଠାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହୁଥିବା ବେଳେ ଏଲମିନା ଏବଂ ଲାମିନାରେ ବ୍ୟତିକ୍ରମ ଦେଖା ଦେଇଛି। ଏଥିପାଇଁ ଉତ୍ତାପ ବୃଦ୍ଧି ପାଉଥିବା ବେଳେ ଯେଉଁମାନେ ଉତ୍ତାପକୁ ଟାଣି ରଖନ୍ତି ଏବଂ ପୁଣି ଛାଡ଼ନ୍ତି ତାକୁ କଂକ୍ରିଟ୍‍ ଜଙ୍ଗଲ କୁହାଯାଏ। ଗାଡ଼ି ମୋଟରରୁ ବାହାରୁଥିବା ସବୁଜ ବାଷ୍ପ ଏବଂ ଅବାଧ ଗଛକଟା, ଜଳ ଉତ୍ସ ନଷ୍ଟ, ମାତ୍ରାଧିକ ଭାବେ ଏସି ବ୍ୟବହାର ଏଭଳି ବିଭିନ୍ନ ଉତ୍ସରୁ ଉତ୍ତାପ ବୃଦ୍ଧି ପାଉଛି। ଯାହାକି ଗ୍ରାମାଞ୍ଚଳଠାରୁ ୨/୩ ଡିଗ୍ରୀ ଅଧିକ ଉତ୍ତାପ ସହରରେ ରହୁଛି। ତେଣୁ ଏହାର ପ୍ରଶମନ ପାଇଁ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।

Comments are closed.