ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରକୋପ ସହିତ ଘୂର୍ଣ୍ଣିଝଡ଼ ସମ୍ଭାବନା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ମାଲକାନଗିରିରେ ଗତ ସପ୍ତାହେ ଧରି ତାପମାତ୍ରା ୪୦ ଡ଼ିଗ୍ରୀ ସେଲସିୟସରୁ ଉପରେ ରହିଛି। ଆଜି ଉତ୍ତର ଓଡ଼ିଶାରେ ଗ୍ରୀଷ୍ମପ୍ରକୋପ ବଢ଼ିଛି। ବାରିପଦାରେ ସର୍ବାଧିକ ତାପମାତ୍ରା ୪୦ ଟପିଛି। ଏଥିସହିତ ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଓ ବୌଦ୍ଧରେ ତାପମାତ୍ରା ୩୯ରୁ ୪୦ଡ଼ିଗ୍ରୀ ମଧ୍ୟରେ ରହିଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରା ୨ଡ଼ିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ ୯ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ଼ ସହିତ ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ଝାରସଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁରରେ ଘଡ଼ଘଡ଼ି ସହିତ ବର୍ଷା ହେବ। ୮ତାରିଖରେ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କୋରାପୁଟରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ୩୦ରୁ ୪୦କିମି ବେଗରେ ପବନ ବହିବ। ୯ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ କନ୍ଧମାଳରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ଘୂର୍ଣ୍ଣିଝଡ଼ ଓ ବର୍ଷା ପାଇଁ ସତର୍କ ରହିବା ନିମନ୍ତ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି।

Comments are closed.