ସୁଲ୍‌ତାନ ଅଫ୍ ଜୋହର କପ୍ ଜୁନିୟର ହକି: ଜାପାନଠାରୁ ୩-୪ରେ ଭାରତ ପରାସ୍ତ

ଜୋହର ବାରୁ (ମାଲେସିଆ): ମାଲେସିଆ ଚାଲିଥିବା ସୁଲ୍‌ତାନ ଅଫ୍ ଜୋହର କପ୍ ଜୁନିୟର ପୁରୁଷ ହକି ଟୁର୍ଣ୍ଣାମେଣ୍ଟ​‌େ​‌ର ଭାରତୀୟ ଦଳ କ୍ରମାଗତ ୨ଟି ମ୍ୟାଚ୍ ଜିତିବା ପରେ ୩ୟ ମ୍ୟାଚ୍‌ରେ ପରାଜୟ ଭୋଗିଛି। ମଙ୍ଗଳବାର ଏକ ସଂଘର୍ଷପୂର୍ଣ୍ଣ ପୁଲ୍‌ ମ୍ୟାଚ୍‌ରେ ଭାରତକୁ ୪-୩ ଗୋଲ୍‌ ବ୍ୟବଧାନରେ ଜାପାନ ପରାସ୍ତ କରିଛି। ୩ଟି ମ୍ୟାଚ୍ ପରେ ଭାରତ ୬ ପଏଣ୍ଟ ପାଇଛି। ଭାରତ ବୁଧବାର ଅଷ୍ଟ୍ରେଲିଆ ବିପକ୍ଷରେ ୪ର୍ଥ ଲିଗ୍ ମ୍ୟାଚ୍ ଖେଳିବ।
ଆରମ୍ଭରୁ ଜାପାନ ଦଳ ଆକ୍ରମଣାତ୍ମକ ହକି ଖେଳିଥିଲା। ଫଳତଃ ଜାପାନକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ଜାପାନର ୱାତାରୁ ମାତ୍‌ସୁମୋଟୋ ଗୋଲ୍‌ ସ୍କୋର୍‌କରି ଦଳକୁ ଆଗୁଆ କରିଥିଲେ। ୩ୟ ମିନିଟରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ଓଡ଼ିଆ ଖେଳାଳି ପ୍ରତାପ ଲାକ୍ରା ହିଟ୍‌ ମାରିଥିଲେ ହେଁ ଜାପାନ ଗୋଲ୍‌ରକ୍ଷକ ଟାକୁମି କିଟାଗାୱା ବଲ୍‌କୁ ରୋକି ଦେଇଥିଲେ। ପରେ ଜାପାନ ଆକ୍ରମଣ କରିଥିବା ବେଳେ ଭାରତୀୟ ଗୋଲ୍‌ରକ୍ଷକ ପ୍ରଶାନ୍ତ ଚୌହାନ ବଲ୍‌କୁ ନେଟ୍‌ ମଧ୍ୟକୁ ପଶିବାକୁ ଦେଇନଥିଲେ। ଫଳରେ ପ୍ରଥମ କ୍ବାର୍ଟରରେ ଜାପାନ ୧-୦ ଗୋଲ୍‌ରେ ଆଗୁଆ ରହିଥିଲା। ୨ୟ କ୍ବାର୍ଟରରେ ଭାରତ ଅଧିକ ଆକ୍ରମଣ କରିଥିଲେ ହେଁ ଏହାର ଫରୱାର୍ଡଙ୍କ ଦୁର୍ବଳ ଫିନିସିଂ ଯୋଗୁଁ ଗୋଲ୍‌ ଦେଇ ପାରିନଥିଲା। ଅନ୍ୟପକ୍ଷରେ ଜାପାନ ସୁଯୋଗର ସଦ୍‌ବ୍ୟବହାର କରି ୨ୟ ଗୋଲ୍‌ ସ୍କୋର୍ କରିଥିଲା। ୨୨ ମିନିଟରେ ପେନାଲ୍‌ଟି କର୍ଣ୍ଣରରୁ ଜାପାନର କୋସେଇ କାୱାବେ ଏଥିରୁ ଗୋଲ୍‌ ସ୍କୋର୍ କରିଥିଲେ। ମଧ୍ୟାନ୍ତର ସୁଦ୍ଧା ଜାପାନ ୨-୦ ଗୋଲ୍‌ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଭାରତ ଗୋଟିଏ ଗୋଲ୍‌ ସୁଝାଇ ଦେଇଥିଲା। ୩୧ ମିନିଟରେ ପେନାଲ୍‌ଟି କର୍ଣ୍ଣରରୁ ଗୁରସାହିବଜିତ ସିଂହ ଏହି ଗୋଲ୍‌ଟି ସ୍କୋର୍ କରିଥିଲେ। ୨ ମିନିଟ ପରେ ଜାପାନ ୩ୟ ଗୋଲ୍‌ଦେଇ ଭାରତର ଚିନ୍ତା ବଢ଼ାଇ ଦେଇଥିଲା। ପେନାଲ୍‌ଟି କର୍ଣ୍ଣରରୁ ଜାପାନର ୱାତାରୁ ମାତ୍‌ସୁମୋଟୋ ଗୋଲ୍‌ ସ୍କୋର୍‌ କରିଥିଲେ। ୩୭ ମିନିଟରେ ଜାପାନ ଆଉ ଏକ ଗୋଲ୍‌ଦେଇ ୪-୧ ଗୋଲ୍‌ରେ ଆଗୁଆ ହୋଇ ଯାଇଥିଲା। ପେନାଲ୍‌ଟି କର୍ଣ୍ଣରରୁ ଜାପାନର କୋସେଇ କାୱାବେ ଗୋଲ୍‌ ସ୍କୋର୍ କରିଥିଲେ। ପରବର୍ତ୍ତୀ ମିନିଟରେ ଭାରତ ୨ୟ ଗୋଲ୍‌ ଦେଇଥିଲା। ଶାରଦାନନ୍ଦ ତିୱାରୀ ପେନାଲ୍‌ଟି କର୍ଣ୍ଣରରୁ ଏହି ଗୋଲ୍‌ ଦେଇଥିଲେ। ୪ର୍ଥ କ୍ବାର୍ଟରରେ ଆକ୍ରମଣାତ୍ମକ ହକି ହୋଇଥିବା ବେଳେ ଭାରତ ଆଉ ଗୋଟିଏ ଗୋଲ୍‌ ସୁଝାଇ ପାରିଥିଲା। ୫୩ ମିନିଟରେ ପେନାଲ୍‌ଟି କର୍ଣ୍ଣରରୁ ଓଡ଼ିଆ ଖେଳାଳି ପ୍ରତାପ ଲାକ୍ରା ଏହି ଗୋଲ୍‌ ସ୍କୋର୍ କରିଥିଲେ।

Comments are closed.