ଡଜନେ ଅଭିନେତ୍ରୀଙ୍କ ସହ ସମ୍ପର୍କ ରଖିଥିଲା ସୁକେଶ

ତିହାର କାରାଗାରରେ ଜମାଇଥିଲା ସ୍ବତନ୍ତ୍ର ଦରବାର, କର୍ମଚାରୀଙ୍କୁ ଦେଉଥିଲା ମାସିକ କୋଟିଏ ଟଙ୍କା

ନୂଆଦିଲ୍ଲୀ : ଔଷଧ କମ୍ପାନୀ ରାନ୍‌ବାକ୍ସିର ମାଲିକ ଶିବିନ୍ଦର ସିଂହ ଓ ମାଲବିନ୍ଦର ସିଂହଙ୍କୁ ଜାମିନ କରାଇଦେବା ବାହାନାରେ ଶିବିନ୍ଦରଙ୍କ ପତ୍ନୀ ଅଦିତିଙ୍କଠାରୁ ୨୦୦ କୋଟି ଟଙ୍କାର ଚୂନ ଲଗାଇଥିବା ସୁକେଶ ଚନ୍ଦ୍ରଶେଖର ଗତ କିଛି ଦିନ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଓ ନୋରା ଫତେହିଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେମାନଙ୍କୁ ସେ ଶହଶହ କୋଟି ଟଙ୍କାର ଉପହାର ଦେଇଥିବା ଖବର ପ୍ରକାଶ ପାଇଛି; ତେବେ ସୁକେଶଙ୍କ ତାଲିକାରେ କେବଳ ଜାକ୍‌ଲିନ୍‌ କିମ୍ବା ନୋରା ନୁହନ୍ତି; ୧୨ରୁ ଅଧିକ ଅଭିନେତ୍ରୀ ରହିଥିବା ସୂଚନା ମିଳିଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଅଦାଲତରେ ଦାଖଲ କରାଯାଇଥିବା ଅଭିଯୋଗ ଫର୍ଦର ପୃଷ୍ଠା ଯେତିକି ଖୋଲୁଛି ଏଥିନେଇ ଚର୍ଚ୍ଚା ସେତିକି ଜମୁଛି। ସୁକେଶ ନିଜକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେବା ସହ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ନମ୍ବର ମଧ୍ୟ ବ୍ୟବହାର କରୁଥିବା ଜଣାପଡ଼ିଛି।
ଆହୁରି ମଜାର ବିଷୟ ହେଉଛି; ସୁକେଶ ଠକେଇ ମାମଲାରେ ତିହାର କାରାଗାରରେ ଥିବାବେଳେ ତାଙ୍କୁ ପ୍ରାୟ ୧୨ ଜଣ (ଡଜନେ) ଅଭିନେତ୍ରୀ ତଥା ମଡେଲ ସାକ୍ଷାତ୍‌ କରିଥିବା ଅଭିଯୋଗ ଫର୍ଦରୁ ଜଣାପଡ଼ିଛି। ସୁକେଶଙ୍କର ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର, ଶିଳ୍ପା ସେଟ୍ଟୀ ପ୍ରମୁଖଙ୍କ ସହିତ ସମ୍ପର୍କ ଥିବା ଏଥିରୁ ଜଣାପଡ଼ିଛି। ଶ୍ରଦ୍ଧାଙ୍କ ସହ ୨୦୧୫ରୁ ସମ୍ପର୍କ ରହିଥିବା ସ୍ବୀକାର କରିଛି ସୁକେଶ। ଡ୍ରଗ୍ସ ମାମଲାରେ ଶ୍ରଦ୍ଧାଙ୍କୁ ସେ ସାହାଯ୍ୟ କରିଥିବା ମଧ୍ୟ କହିଛି। ସେହିପରି ସ୍ବାମୀ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ଫସିଥିବାବେଳେ ଶିଳ୍ପା ସେଟ୍ଟୀଙ୍କୁ ସେ ସହାୟତା କରିଥିବା ଜଣାପଡ଼ିଛି। ଶିଳ୍ପା ତାଙ୍କର ଜଣେ ବାନ୍ଧବୀ ବୋଲି ସେ ଇଡିକୁ କହିଥିବା ପ୍ରକାଶ। ଏମାନଙ୍କ ବ୍ୟତୀତ ହରମନ ବାବେଜା ମଧ୍ୟ ସୁକେଶ ସହ ସମ୍ପର୍କରେ ଥିବା ପ୍ରକାଶ। ସୁକେଶ କାରାଗାର କର୍ମଚାରୀଙ୍କୁ ପ୍ରତିମାସରେ ପ୍ରାୟ ୧କୋଟି ଟଙ୍କା ଳାଞ୍ଚ ଦେଇ ଏହି ଭେଟଘାଟର ବନ୍ଦୋବସ୍ତ କରିଥିବା ଏବଂ ନିଜେ ଅତ୍ୟନ୍ତ ଆରାମରେ ରହିବା ବ୍ୟବସ୍ଥା କରିଥିବା ପ୍ରକାଶ। ସେ କାରାଗାରରେ ତା’ ପ୍ରତି ଅବହେଳା ହେଉଥିବା ଅଭିଯୋଗ କରି ଟେଲିଭିଜନ୍‌, ଫ୍ରଜିର, ସୋଫା, ମିନେରାଲ ପାଣି ଓ ଅନ୍ୟ ସୁବିଧାସୁଯୋଗ ହାତେଇଥିଲା। ଏମିତି କି କାରାଗାର ଆଇନର ଉଲ୍ଲଙ୍ଘନ କରାଯାଇ ପତ୍ନୀ ଲୀନା ମାରିଆ ପଲ୍‌ଙ୍କୁ ସପ୍ତାହକରେ ଦୁଇ ଥର ଭେଟିବାର ସୁଯୋଗ ଦିଆଯାଇଥିଲା। ଏହି ଭେଟ ଲିପିବଦ୍ଧ ହେଉ ନ ଥିଲା। କାରାଗାରରେ ସେ ସ୍ବତନ୍ତ୍ର ଚିକେନ୍‌ ଭୋଜିର ଆୟୋଜନ ମଧ୍ୟ କରୁଥିଲେ; ଯେଉଁଥିରେ ଅଭିନେତ୍ରୀ ଓ ମଡେଲମାନେ ଯୋଗ ଦେଉଥିଲେ। କାରାଗାରରେ ରହି ସୁକେଶ ସେ ସ୍ବତନ୍ତ୍ର କାର୍ଯ୍ୟାଳୟ ଚଳାଇଥିଲା। ଗିରଫ ୟୁନିଟେକ୍‌ ଶିଳ୍ପ ଗୋଷ୍ଠୀ ମୁଖ୍ୟ ସଞ୍ଜୟ ଚନ୍ଦ୍ରା ଓ ତାଙ୍କ ଭାଇ ଅଜୟ ଚନ୍ଦ୍ରାଙ୍କ ସହ ସେଠାରେ ବ୍ୟାବସାୟିକ କାରବାର ଚଳାଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ଚନ୍ଦ୍ରା ଭାଇଙ୍କୁ ମୁମ୍ବଇ ସ୍ଥାନାନ୍ତର କରାଯାଇଥିଲା।
ପତ୍ନୀ ଲୀନାଙ୍କର ଏହି କାର୍ଯ୍ୟାଳୟ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ରହିଥିଲା। ସେହିପରି ଅଦିତିଙ୍କଠାରୁ ସେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧିକାରୀ ପରିଚୟ ନେଇ ୨୦୦କୋଟିରୁ ଅଧିକ ଟଙ୍କା ଲୁଟିବା ପରେ ଅଦିତି ତାଙ୍କ ସହ ବାର୍ତ୍ତାଳାପର ରେକର୍ଡ କରିଥିଲେ। ଏଭଳି ୮୪ଟି ରେକର୍ଡ ସେ ଅଦାଲତରେ ଉପସ୍ଥାପନ କରିଛନ୍ତି। ଅପରପକ୍ଷରେ ଏତେ ଘଟଣା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କୌଣସି ଅଧିକାରୀ ଥାନା କିମ୍ବା ଅଦାଲତର ଦ୍ବାରସ୍ଥ ନ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

Comments are closed.